ସବୁଠି ଭିଡ଼ ରହୁୂନି ସାମାଜିକ ଦୂରତ୍ୱ ରକ୍ଷା ଭବିଷ୍ୟତରେ ସ୍ଥିତି ଅସମ୍ଭାଳ ଆଶଙ୍କା

ହିଞ୍ଜିଳିକାଟୁ, (ୱାଇଏନଏସ): ମହାମାରୀ କରୋନା ଭୁତାଣୁ ସଂକ୍ରମଣ ନେଇ ଦେଶରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ଲକଡ଼ାଉନ । ପୂର୍ବାପେକ୍ଷା ୪ର୍ଥ ପର୍ଯ୍ୟାୟରେ କଟକଣାକୁ କିଛିଟା ମାତ୍ରାରେ କୋହଳ କରାଯାଇଛି । ହେଲେ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ସହରରେ ବର୍ତମାନର ଚିତ୍ର ଦେଖିଲେ ଏମିତି ଲାଗୁଛି ସତେଯେପରି ସ୍ଥାନୀୟ ସହରରେ କରୋନା ପାଇଁ କିଛି ବି କଟକଣା ଲାଗୁ କରାଯାଇନାହିଁ । ସରକାର ଏବଂ ପ୍ରଶାସନର କଟକଣାକୁ କେହି ବି ମାନିବାକୁ ନାରାଜ । ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ଜମୁଛି ଭିଡ଼ । ଦୋକାନ ବଜାରରେ ଲାଗିରହୁଛି ଅସମ୍ଭବ ଭିଡ଼ । ବର୍ତମାନ ପରିସ୍ଥିତିରୁ ଜଣାପଡ଼ୁଛି ଯେ, ସ୍ଥିତି ସମ୍ପୁର୍ଣ୍ଣ ବିଗିଡ଼ି ଯାଇଛି । ଏଭଳି ପରିସ୍ଥିତିରେ ପୁଲିସ କିମ୍ବା ପୌର ପ୍ରଶାସନିକ ଅଧିକାରୀ ଦେଖାହେଲେ ଲୋକଙ୍କ ମନେପଡ଼ି ଯାଉଛି ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ବ୍ୟବହାର ।ମହାମାରୀ କରୋନାର ଭୟାବହାତାକୁ ନେଇ କେନ୍ଦ୍ର ସରକାର ଗତ ମାର୍ଚ୍ଚ ୨୨ ତାରିଖରେ ଦେଶରେ ଜନତା କର୍ଫ୍ୟୁ ଲାଗୁ କରିଥିଲେ । ଦେଶବାସୀଙ୍କ ସମର୍ଥନ ପରେ ୨୩ ତାରିଖ ଠାରୁ ଲକଡ଼ାଉନ ଘୋଷଣା କରିଥିଲେ । ପ୍ରଥମ ପର୍ଯ୍ୟାୟ ଲକଡ଼ାଉନ କୁ ନେଇ ଜନସାଧାରଣ ବେଶ୍ ସଚେତନ ଥିଲେ । ପୁଲିସ ପ୍ରଶାସନର ତାଗିଦ୍ ହେଉ କିମ୍ବା ଫ୍ଲାର୍ଗ ମାର୍ଚ୍ଚ କି ସଂକ୍ରମଣ ଭୟ, ଲୋକେ ଅତ୍ୟାବଶ୍ୟକ ନଥିଲେ ଘରୁ ବାହରକୁ ବାହାରୁନଥିଲେ । ଏଭଳି କି ଦ୍ୱିତୀୟ ପର୍ଯ୍ୟାୟ ଲକଡ଼ାଉନ ସମୟରେ ବି ସ୍ଥିତି ସମାନ ରହିଥିବାର ଦେଖିବାକୁ ମିଳିଥିଲା । ଅମାନିଆଙ୍କୁ ଆକଟ କରିବା ପାଇଁ ପ୍ରଶାସନ ବେଶ୍ ତତ୍ପର ହୋଇ ପଡ଼ିଥିଲା । ବିନା କାରଣରେ ଘରୁ ବାହାରକୁ ବାହାରିଲେ ଏବଂ ମାସ୍କ ବ୍ୟବହାର କରିନଥିଲେ ଗଣିବାକୁ ପଡ଼ୁଥିଲା ତଣ୍ଡ । ଏପରିକି ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ ସାମାଜିକ ଦୂରତ୍ୱ ରକ୍ଷା କରୁନଥିଲେ ସେମାନଙ୍କ ଠାରୁ ୧ ହଜାର ଟଭ୍‌କା ଲେଖାଏଁ ଜୋରିମାନା ଆଦାୟ କରାଯାଉଥିଲା । ହେଲେ ତୃତୀୟ ପର୍ଯ୍ୟାୟ ଲକଡ଼ାଉନ ସମୟରେ ପରିସ୍ଥିତି ସାମାନ୍ୟ ହାଲୁକା ପଡ଼ିଯାଇଥିଲା । ପ୍ରଶାସନ ପକ୍ଷରୁ କେବଳ ଲୋକ ଦେଖାଣିଆ ଭାବେ ତାଗିଦ କରୁଥିବାର ଦେଖିବାକୁ ମିଳିଥିଲା । ହେଲେ ଚତୁର୍ଥ ପର୍ଯ୍ୟାୟ ଲକଡ଼ାଉନ ସମୟ ସମ୍ପୁର୍ଣ୍ଣ ବିଗିଡ଼ିଯାଇଛି । ବର୍ତମାନର ସ୍ଥିତି ଦେଖିଲେ ଜଣାପଡ଼ୁଛି ପରିସ୍ଥିତି ସମ୍ପୁର୍ଣ୍ଣ ସ୍ୱାଭାବିକ ପାଲଟିଯାଇଛି । ସତେଯେପରିକି ସହରବାସୀଙ୍କ ପାଇଁ ଲକଡ଼ାଉନର ମାନେ ହିଁ କିଛି ନାହିଁ । ଏକଦା ଗ୍ରୀନ୍ ଜୋନରେ ଥିବା ଗଞ୍ଜାମ ଜିଲ୍ଲା, ସଂକ୍ରମିତ ରାଜ୍ୟରୁ ପ୍ରବାସୀ ଓଡ଼ିଆ ମାନେ ନିଜ ଭିଟାମାଟିକୁ ଫେରିବା ପରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇଥିଲା । ଆଶାତୀତ ଭାବେ ସଂକ୍ରମିତଙ୍କସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଗ୍ରୀନ୍ ଜୋନରେ ରହିଥିବା ଗଞ୍ଜାମ ଜିଲ୍ଲାକୁ ରେଡ଼୍ ଜୋନ ଭାବେ ଘୋଷଣା କରାଯାଇଥିଲା । ହେଲେ ସମସ୍ତ ସଂକ୍ରମିତ ସଂଘରୋଧ କେନ୍ଦ୍ରର ବୋଲି ଜଣାପଡ଼ିବା ପରେ ଲୋକେ ବେପାରୁଆ ପାଲଟି ଯାଇଛନ୍ତି । ଗୁରୁବାର ଖବର ଲେଖାହେବା ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ ରହିଥିବା ବେଳେ ୩୪୩ ସୁସ୍ଥ ହୋଇଛନ୍ତି ଓ ୭ଜଣ ମୃତ୍ୟୁ ବରଣ କରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୩୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ବିଗତ କିଛି ଦିନ ଧରି ସ୍ଥାନୀୟ ପୌରାଂଚଳ ପରିବା ବଜାର, ଆମିଷ ବଜାର, ଲକ୍ଷ୍ମୀ ବଜାର ସମେତ ନିକଟବର୍ତି ଗ୍ରାମାଂଚଳର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ବିଭିନ୍ନ ମନ୍ଦିର ପରିସରରେ ବେଶ ଭିଡ଼ ହେଉଥିବା ଦେଖିବାକୁ ମିଳୁଛି । ଏପରିକି ସକାଳ ଓ ସନ୍ଧ୍ୟା ସମୟରେ ଯୁବଗୋଷ୍ଠୀ କ୍ରିକେଟ ଓ ଜୁଆ ଖେଳୁଥିବାର ଦେଖିବାକୁ ମିଳୁଛି । କିଛି ଅମାନିଆ ମୋଟର ସାଇକେଲରେ ସହର ବଜାର ଓ ବିଭିନ୍ନ ଗଳିକନ୍ଦିରେ ବିନା କାରଣରେ ଚକ୍କର କାଟୁଛନ୍ତି । ଶୁକ୍ରବାର ସାବିତ୍ରୀ ବ୍ରତ ରହିଥିବା ବେଳେ ଫଳ, ଲୁଗା, ଷ୍ଟେସେନାରୀ, ଚୁଡ଼ି ଓ କିରାଣୀ ଦୋକାନ ଗୁଡ଼ିକରେ ଗ୍ରାହକଙ୍କ ଅସମ୍ଭବ ଭିଡ଼ ହେଉଥିବାର ଦେଖିବାକୁ ମିଳୁଛି । କିଛି ଅମାନିଆ ମାସ୍କ କୁ ମୁହଁରେ ପିନ୍ଧିବା ପରିବର୍ତେ ବେକରେ ଝୁଲାଇ ରଖିଥିବାର ଦେଖିବାକୁ ମିଳିଛି । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ସାମାଜିକ ଦୂରତ୍ୱ ରକ୍ଷାକୁ ଗୁରୁତ୍ୱ ଦିଆଯାଉନଥିବା ଦେଖିବାକୁ ମିଳିଛି । ଦେକାନୀ ମାଲିକ ମାନେ ମଧ୍ୟ ଏହାକୁ ବାରଣ କରି କ୍ଷତିର ସମ୍ମୁଖୀନ ହେବାକୁ ଚାହୁଁନଥିବା ଜଣାପଡ଼ିଛି । ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯିବା ସହ ସଚେତନ ସକାଶେ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ଲୋକେ ମାନିବାକୁ ନାରାଜ । ଖିଲାପକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲେ ମଧ୍ୟ ଲୋକେ ସୁଧୁରିବାର ନା ଧରୁନାହାନ୍ତି । ସାମାଜିକ ଦୂରତ୍ୱ ରକ୍ଷା ସକାଶେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁୁଖରେ ଗୋଲେଇ ଚିହ୍ନ କରାଯାଇଥିବା ବେଳେ ବର୍ତମାନ ତାହା ମୂଲ୍ୟହୀନ ହୋଇପଡ଼ିଛି । ସତେ ଯେପରିକି ଲୋକମାନେ ସାମାଜିକ ଦୂରତାକୁ ଭୁଲିଗଲେଣି । ଏପରିକି କିଛି ପ୍ରବାସୀ ସ୍ଥାନୀୟ ସହର ଦେଈ ଯାତାୟତ କରୁଥିବା ବେଳେ ମନଇଛା ଗାଡ଼ିରୁ ଓହ୍ଲାଇ ଏଣେତେଣ ବୁଲୁଥିବା ବେଳେ କିଛି ପ୍ରବାସୀ ସାଇକେଲ ଓ ଚାଲି ଚାଲି ପେରୁଥିବା ବେଳେ ସ୍ଥାନୀୟ ସହର ନିକଟସ୍ଥ ଘୋଡ଼ାହାଡ଼ ନଦୀରେ ସ୍ନାନ, ଶୌଚ କରୁଥିବା ବେଳେ ଆଉ କିଛି ରୋଷେଇ କରି ଭୋଜନ କରୁଥିବାର ଦେଖିବାକୁ ମିଳିଥିଲା । ଫଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଏ ନେଇ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କୁ ପଚାରିବାରୁ ସେ କହିଲେ ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ବ୍ୟବହାର କରୁନଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ଅନ୍ୟପକ୍ଷରେ ବର୍ତମାନ ପରିସ୍ଥିତିରେ ପ୍ରଶାସନର ନିୟମ ଓ ଗାଇଡ଼ଲାଇନକୁ ନିଜ ଜୀବନର ସୁରକ୍ଷା ପାଇଁ ପାଳନ କରିବା ଦରକାର ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ