ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବାଜିମାତ
ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ଦୀର୍ଘ ବର୍ଷ ପରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ବାଜିମାତ କରିଛି। ନିର୍ବାଚନରେ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ବିଭିନ୍ନ ପଦରେ ବିଜୟୀ ହୋଇଥିବାରୁ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି। ସଭାପତି ପଦରେ ଜ୍ୟୋତିର୍ମୟ ସାହୁ ୬୫୪ ଖଣ୍ଡ ଭୋଟ ପାଇ ବିପୁଳ ବିଜୟ ହାସଲ କରିଥିବା ବେଳେ ଉପସଭାପତି ପଦରେ ଏନ୍. ଦୀନେଶ ରେଡ୍ଡୀ ୬୫୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି ଡିଏସ୍ଏ ସମ୍ପାଦକ ପଦରେ ସରୋଜିନୀ ଗୌଡ଼ ୬୭୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବାଳିକା ପ୍ରକୋଷ୍ଠ ସମ୍ପାଦକ ପଦରେ ବର୍ଷା ପ୍ରିୟଦର୍ଶିନୀ ଲେଙ୍କା ୪୬୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ, ସାଧାରଣ ସମ୍ପାଦକ ଭାବେ ବିଭୂତି ନାୟକ, ସହସମ୍ପାଦକ ଭାବେ ପୂଜା ତରେଇ, କ୍ରୀଡ଼ା ସମ୍ପାଦକ ଭାବେ ଚନ୍ଦନ ପ୍ରଧାନ, ନାଟ୍ୟ ସମ୍ପାଦକ ଭାବେ ଓମ୍ କୁମାର ଦାଶ, ସାଇନ୍ସ ସୋସାଇଟି ସମ୍ପାଦକ ଭାବେ ଝରଣା ରାଣୀ ସ୍ୱାଇଁ, ବାଳକ ସାଧାରଣ ପ୍ରକୋଷ୍ଠ ସମ୍ପାଦକ ଭାବେ ଆଶିଷ ରାଉଳ ଏବଂ ଏସ୍ଏସ୍ଜି ସମ୍ପାଦକ ଭାବେ ହରିଶ୍ଚନ୍ଦ୍ର ବେହେରା ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଥିଲେ। ଦୀର୍ଘ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହୋଇଥିବାରୁ ଏଥିରେ ଛାତ୍ରଛାତ୍ରୀମାନଙ୍କ ଅଂଶଗ୍ରହଣ ଓ ବିଜୟକୁ ନେଇ ବିଭିନ୍ନ ମହଲରେ ଉତ୍ସାହ ପ୍ରକାଶ ପାଇଛି। ନିର୍ବାଚନ ଫଳାଫଳ ପ୍ରକାଶ ପରେ ଏବିଭିପି ସମର୍ଥକ ଛାତ୍ରଛାତ୍ରୀମାନେ ଉତ୍ସବମୁଖର ହୋଇପଡ଼ିଥିଲେ। ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ବିଜୟ ପାଇଁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ନବନିର୍ବାଚିତ ପ୍ରତିନିଧିମାନଙ୍କୁ ବିଧାୟକଙ୍କ ସମେତ ବିଭିନ୍ନ ଛାତ୍ର ନେତା ଓ ଜନପ୍ରତିନିଧି ଶୁଭେଚ୍ଛା ଜଣାଇଛନ୍ତି। ଏହି ବିଜୟକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।


