ଚମାଖଣ୍ଡି ଛକରେ ଓଭରବ୍ରିଜ୍ ନିର୍ମାଣ ପାଇଁ ବିଧାୟକଙ୍କ ଉପସ୍ଥିତିରେ ଦାବି
ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ଚମାଖଣ୍ଡି ଛକରେ ବାରମ୍ବାର ଘଟୁଥିବା ସଡ଼କ ଦୁର୍ଘଟଣାର ନିରାକରଣ ସହ ଜନସାଧାରଣଙ୍କ ସୁରକ୍ଷା ପାଇଁ ଜାତୀୟ ରାଜପଥ ଉପରେ ଏକ ଓଭରବ୍ରିଜ୍ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଅଞ୍ଚଳବାସୀ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ଭେଟି ଚମାଖଣ୍ଡି ସରପଞ୍ଚଙ୍କ ପ୍ୟାଡ୍ରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ଅବିକଳ ନକଲ ବିଧାୟକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ବିଧାୟକ ଶ୍ରୀ ନାୟକ ଚମାଖଣ୍ଡି ଛକରେ ବାରମ୍ବାର ଘଟୁଥିବା ଦୁର୍ଘଟଣା ଓ ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଚମାଖଣ୍ଡି ଛକ ଜିଲ୍ଲାର ଏକ ପ୍ରମୁଖ ଓ ବ୍ୟସ୍ତବହୁଳ ଯାତାୟାତ କେନ୍ଦ୍ର। ଏହି ଛକ ଦେଇ ପ୍ରତିଦିନ ବହୁ ସଂଖ୍ୟକ ଯାନବାହନ ଚଳାଚଳ କରୁଥିବାବେଳେ ପଥଚାରୀମାନେ ମଧ୍ୟ ଜାତୀୟ ରାଜପଥ ପାର ହୋଇଥାନ୍ତି। ଫଳରେ ଏଠାରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ବୁଧବାର ରାତିରେ ଚମାଖଣ୍ଡି ଛକରେ ଘଟିଥିବା ସିରିଜ୍ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଜଣ ଗୁରୁତର ଆହତ ହୋଇଥିଲେ। ପୂର୍ବରୁ ମଧ୍ୟ ଏହି ଛକରେ ଏକାଧିକ ଦୁର୍ଘଟଣା ଘଟିଥିବାରୁ ଯାତାୟାତ ସୁରକ୍ଷାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଏହି ପରିପ୍ରେକ୍ଷୀରେ ଚମାଖଣ୍ଡି ଛକରେ ଜାତୀୟ ରାଜପଥ ଉପରେ ତୁରନ୍ତ ଏକ ଓଭରବ୍ରିଜ୍ ନିର୍ମାଣ କରିବା ସହ ଆବଶ୍ୟକ ଅନ୍ୟାନ୍ୟ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରପଞ୍ଚ ଓ ଅଞ୍ଚଳବାସୀ ଦାବି କରିଛନ୍ତି। ଓଭରବ୍ରିଜ୍ ନିର୍ମାଣ ହେଲେ ପଥଚାରୀଙ୍କ ଯାତାୟାତ ଅଧିକ ସୁରକ୍ଷିତ ହେବା ସହ ସଡ଼କ ଦୁର୍ଘଟଣା ହ୍ରାସ ପାଇବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି ଆର. ସନ୍ତୋଷ ରେଡ୍ଡୀ, ଚମାଖଣ୍ଡି ସରପଞ୍ଚ ସିଏଚ. ମନୋଜ କୁମାର ରେଡ୍ଡୀ, ସିପିଆଇ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଜିଲ୍ଲା ନେତା ସିଏଚ. ଜନାର୍ଦ୍ଦନ ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ଏନ. ଗିରିଜା ପ୍ରସାଦ ରେଡ୍ଡୀ,ପୂର୍ବତନ ସମିତି ସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ ଓ ଶିବରାମ ରେଡ୍ଡୀଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ।


