ସୁରଭି ମହୋତ୍ସବରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଲକ୍ଷ୍ୟରେ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଖଇରପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗାଙ୍ଗପୁର କ୍ଲଷ୍ଟର ସ୍ତରୀୟ ସୁରଭି ମହୋତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଆବାହକତ୍ୱରେ ଏବଂ ଖଇରପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମହୋତ୍ସବରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଏବଂ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସହ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ପାତ୍ର ସ୍ୱତନ୍ତ୍ର ଅତିଥି ଏବଂ ବିଧାୟକଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ, ସମିତିସଭ୍ୟା ଶାନ୍ତିଲତା ବେହେରା ଓ ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ବିଧାୟକ ନୀଳମଣି ବିଷୋୟୀ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ଶିକ୍ଷା ସହିତ ସାହିତ୍ୟ, ସଂସ୍କୃତି, କଳା ଓ କ୍ରୀଡ଼ାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଶିକ୍ଷାର୍ଥୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରିବା ସହ ସେମାନଙ୍କୁ ଉପଯୁକ୍ତ ସୁଯୋଗ ଓ ପ୍ରୋତ୍ସାହନ ଯୋଗାଇଦେବା ଦିଗରେ ସୁରଭି ଭଳି କାର୍ଯ୍ୟକ୍ରମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ। ସ୍ୱତନ୍ତ୍ର ଅତିଥି ସହ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ପାତ୍ର ଏବଂ ଅନ୍ୟ ଅତିଥିମାନେ ମଧ୍ୟ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଓ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ଉପରେ ମତ ରଖିଥିବା ଭାବାର୍ଥରେ ଉଲ୍ଲେଖ କରାଯାଇପାରେ।ମହୋତ୍ସବରେ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ଏହି ତିନି ବର୍ଗରେ ମୋଟ ୧୫ ପ୍ରକାର ପ୍ରତିଯୋଗିତା ହୋଇଥିଲା। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶ୍ରେଷ୍ଠ ସାଂସ୍କୃତିକ ଦଳ ଭାବେ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମନୋନୀତ ହୋଇ ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହୋଇଛି।ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଶିବରାମ ମହାନ୍ତି, ପ୍ରଦୀପ କୁମାର ମାଝୀ ଓ ଶିକ୍ଷକ ସତ୍ୟନାରାୟଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଖଇରପୁଟି ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସମେତ ଗାଙ୍ଗପୁର କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ମଞ୍ଚ ସଂଯୋଜନା ଶିକ୍ଷକ ଶିଶିର କୁମାର ସ୍ୱାଇଁ ଓ ଶିକ୍ଷୟିତ୍ରୀ ସ୍ମିତା ନାୟକ କରିଥିବା ବେଳେ ଶିକ୍ଷକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ