କୁଟୀର ଶିଳ୍ପ ଉଦ୍ୟୋଗର ପୁନରୁଦ୍ଧାରରେ ସହାୟକ ହେବ ଆତ୍ମନିର୍ଭର ଭାରତ

ନୂଆଦିଲ୍ଲୀ : ଲକଡାଉନ କାରଣରୁ ପ୍ରଭାବିତ ହୋଇଥିବା କୁଟୀର ଶିଳ୍ପ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ “ଆତ୍ମନିର୍ଭର ଭାରତ’ ଯୋଜନା ନୂଆ ଆଶା ସଂଚାର କରିଛି । କରୋନା ମୁକାବିଲା ଲାଗି ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ଫଳରେ କୁଟୀର ଶିଳ୍ପ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ବିଭିନ୍ନ ସାମଗ୍ରୀ ଉତ୍ପାଦନ ବନ୍ଦ ହେବା ସହିତ ଶିଳ୍ପୀମାନେ ହାତ ବାନ୍ଧି ବସି ରହିଥିଲେ । ଏହାଛଡ଼ା ସାମଗ୍ରୀର ବିକ୍ରି ମଧ୍ୟ ପ୍ରଭାବିତ ହୋଇଥିଲା । ଏହାଦ୍ୱାରା କୁଟୀର ଶିଳ୍ପ ଉଦ୍ୟୋଗ କ୍ଷତିଗ୍ରସ୍ତ ହେବା ସହିତ ଗ୍ରାମାଂଚଳର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଥିଲା । କୁଟୀର ଶିଳ୍ପ ସହିତ ଜଡ଼ିତ ଉଦ୍ୟୋଗୀ, କାରିଗର ଓ ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହିଥିଲେ । ଏ ସମସ୍ତ ବିଷୟକୁ ଆତ୍ମନିର୍ଭର ଭାରତ ପ୍ୟାକେଜରେ ଦୃଷ୍ଟି ଦିଆଯାଇଛି । ଏମଏସଏମଇ କ୍ଷେତ୍ର ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ୩ ଲକ୍ଷ କୋଟି ଟଙ୍କାର ସହାୟତା ଦ୍ୱାରା ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସମୃଦ୍ଧ କରୁଥିବା କୁଟୀର ଶିଳ୍ପ କ୍ଷେତ୍ରରେ ମଧ୍ୟ ସୁଧାର ଆସିପାରିବ ବୋଲି ଆଶା କରାଯାଉଛି । କେନ୍ଦ୍ର ସରକାରଙ୍କ ଏହି ସହାୟତା ପ୍ୟାକେଜ ଘୋଷିତ ହେବା ପରେ ରାଜ୍ୟର ବିଭିନ୍ନ ଅଂଚଳରେ ଥିବା କୁଟୀର ଶିଳ୍ପ ଉଦ୍ୟୋଗୀଙ୍କ ମନରେ ନୂଆ ଆଶା ସଂଚାର ହୋଇଛି । ସହାୟତା ଦ୍ୱାରା ଏହି ଉଦ୍ୟୋଗର ପୁନରୁଦ୍ଧାର ହୋଇପାରିବ ବୋଲି ସେମାନେ ପ୍ରତିକ୍ରିୟାରେ କହିଛନ୍ତି । ଉଦାହରଣ ସ୍ୱରୂପ ନବରଙ୍ଗପୁର ଜିଲ୍ଲାର ଲାଖ କୁଟୀର ଶିଳ୍ପ ଉଦ୍ୟୋଗୀମାନେ କେନ୍ଦ୍ର ସରକାରଙ୍କ ପ୍ୟାକେଜକୁ ନେଇ ବିଶେଷ ଉତ୍ସାହିତ ଅଛନ୍ତି । ଏଠାକାର ଲାଖ କାରୁକାର୍ଯ୍ୟର ବିଶ୍ୱସ୍ତରରେ ପ୍ରସିଦ୍ଧି ରହିଛି । ଉଭୟ ପାରମ୍ପରିକ ଏବଂ ଆଧୁନିକ ଶୈଳୀର ଲାଖ କାରୁକାର୍ଯ୍ୟରେ ନବରଙ୍ଗପୁର ଜିଲ୍ଲାର ଶିଳ୍ପୀମାନେ ଉତ୍କୃଷ୍ଟତା ବଜାୟ ରଖିପାରିଛନ୍ତି । ଜିଲ୍ଲାର ଶିଳ୍ପୀମାନେ ଯୁଗ ସହିତ ତାଳ ଦେଇ କୌଳିକ ବୃତିକୁ ବଜାୟ ରଖିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ମାତ୍ର କରୋନା ମହାମାରୀ ସେମାନଙ୍କ ବେଉସାକୁ ପ୍ରଭାବିତ କରିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତରେ କୁଟୀର ଶିଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଏହି ମୃତପ୍ରାୟ ଉଦ୍ୟୋଗକୁ ପୁନଃ ଉଜ୍ଜିବୀତ କରିବାର ଆଶା ସୃଷ୍ଟି କରିଛି । ସେମାନ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜରୁ ଲାଭବାନ ହେବେ ବୋଲି କହିଛନ୍ତି । ଏହି ଆର୍ଥିକ ପ୍ୟାକେଜ ଦ୍ୱାରା କାରିଗର ଓ ଉଦ୍ୟୋଗୀମାନେ ସହାୟତା ପାଇପାରିଲେ ଲାଖ କାମ ପ୍ରତି ଅଧିକାଂଶ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇବ ବୋଲି କହିଛନ୍ତି ନବରଙ୍ଗପୁର ଜିଲ୍ଲାର କୁଶଳୀ ଲାଖ ଶିଳ୍ପୀ ପ୍ରଭାତୀ ପାତ୍ର । ପ୍ରଭାତୀଙ୍କ ସମେତ ଜିଲ୍ଲାର ବହୁ କୁଟୀର ଶିଳ୍ପ କ୍ଷେତ୍ରର ଉଦ୍ୟୋଗୀ, କାରିଗର ଓ ବ୍ୟବସାୟୀ ଏହି ଆର୍ଥିକ ପ୍ୟାକେଜ ପାଇଁ ପ୍ରଧାନମନ୍ତ୍ରୀ ତଥା କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର କରୋନା ମହାମାରୀକୁ ପ୍ରତିହତ କରିବା ଲାଗି ଜାରି କରିଥିବା ଲକଡାଉନ କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ଦେଶର ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ବିଭିନ୍ନ କ୍ଷେତ୍ର ଲାଗି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ “ଆତ୍ମନିର୍ଭର ଭାରତ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ନିକଟରେ ଏହି ଯୋଜନାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମଧ୍ୟ ମିଳିଛି । ଏ ଯୋଜନାରେ କୁଟୀର ଶିଳ୍ପ କ୍ଷେତ୍ର ସମେତ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ପାଇଁ ୩ ଲକ୍ଷ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ