ଭୁବନେଶ୍ୱରରେ ମୋଦୀ
ଭୁବନେଶ୍ୱର: ପଶ୍ଚିମବଙ୍ଗରେ ବାତ୍ୟା ‘ଅମ୍ଫନ’ କ୍ଷୟକ୍ଷତିର ସମୀକ୍ଷା କରିବା ପରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ମୋଦୀ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି ।
ସେଠାରେ ଉପସ୍ଥିତ ରାଜ୍ୟପାଳ ପ୍ର.ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ଡିଜିପି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ନେତା ପ୍ରଦୀପ୍ତ ନାଏକ, ମନମୋହନ ସାମଲ, ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ମୋଦୀଙ୍କୁ ସ୍ୱାଗତ କରିଥିଲେ । ପ୍ରକାଶ ଯେ, ‘ଅମ୍ଫନ’ ଯୋଗୁଁ ଓଡ଼ିଶାର ୪ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାର ଅନୁଧ୍ୟାନ କରିବା ଲାଗି ମୋଦି ଓଡ଼ିଶା ଆସିଛନ୍ତି । ସେ ବାୟୁସେନାର ହେଲିକପ୍ଟର ଯୋଗେ ଉପକୂଳ ଜିଲ୍ଲାଗୁଡ଼ିକରେ ବାତ୍ୟା ଜନିତ କ୍ଷୟକ୍ଷତିକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ । ପ୍ରଧାନମନ୍ତ୍ରୀଙ୍କ ସହିତ ହେଲିକପ୍ଟରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି । ପାଖାପାଖି ଦୁଇଘଣ୍ଟା ଧରି ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୪ ପ୍ରଭାବିତ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବେ। ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ଅନୁଧ୍ୟାନ କରି ଫେରିବା ପରେ ଅପରାହ୍ନ ୫ଟାରୁ ୬ଟା ପର୍ୟ୍ୟନ୍ତ ବିଜୁ ପଟ୍ଟନାୟକ ବିମାନବନ୍ଦର ପରିସରରେ ଏକ ସମୀକ୍ଷା ବୈଠକରେ ଯୋଗଦେବେ । ରାଜ୍ୟ ସରକାରଙ୍କ ସହ ରିଲିଫ୍ ଓ ମରାମତି କାର୍ୟ୍ୟର ସମୀକ୍ଷା କରିବେ। ସନ୍ଧ୍ୟା ୬.୧୫ ମିନିଟରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବେ।


