୨୧ଦିନ ଶେଷପରେ ସଙ୍ଗରୋଧ କେନ୍ଦ୍ରରୁ ଘରକୁ ଫେରିଲେ ଅନ୍ତେବାସୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଛି । ଏହାର ମୁକାବିଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦ୍ୟମ ଜାରୀ ରଖିଛନ୍ତି । ଓଡ଼ିଶା ରାଜ୍ୟର ଲକ୍ଷ ଲକ୍ଷ ଲୋକେ କାମ କରିବା ସକାଶେ ବାହାର ରାଜ୍ୟ ଯଥା ସୁରଥ, ମୁମ୍ବାଇ, କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ସମେତ ବିଭିନ୍ନ ରାଜ୍ୟ ଉପରେ ନିର୍ଭର କରିଥାନ୍ତି । ଏଭଳି ଦୁର୍ଦ୍ଦିନ ସମୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ନିଜ ନିଜ ଭିଟାମାଟିକୁ ଫେରାଇ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଏଭଳି କାର୍ଯ୍ୟକ୍ରମକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଂଶସା କରିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକର ୨ଟି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଅନ୍ତେବାସୀଙ୍କ ୨୧ ଦିନିଆ ଅବଧି ପୁର୍ଣ୍ଣ ହେବା ପରେ ଶନିବାର ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କିଳିତ ପ୍ରଚେଷ୍ଟାରେ ଅନ୍ତେବାସୀଙ୍କୁ ନିଜ ନିଜ ଗ୍ରାମକୁ ଫେରିବାର ସୁଯୋଗ ପ୍ରଦାନ କରାଯାଇଛି । ସ୍ଥାନୀୟ ବ୍ଳକ ପୋଚିଲିମା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଛାତ୍ରବାସରେ ଆୟୋଜିତ ସଙ୍ଗରୋଧ କେନ୍ଦ୍ରରେ ଥିବା ୧୨୩ ଓ ଶାସନ ଆମ୍ବଗାଁ ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥିବା ୧୦୦ ଅନ୍ତେବାସୀ ସ୍ୱତନ୍ତ୍ର ବସ୍ ଯୋଗେ ଘରକୁ ପ୍ରତ୍ୟାବର୍ତନ କରିଛନ୍ତି । ଏ ନେଇ ପ୍ରଶାସନ ପକ୍ଷରୁ ଏକ ବିଦାୟୀ ଉତ୍ସବର ଆୟୋଜନ କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ରହି ଘର ବାହୁଡ଼ା ପ୍ରବାସୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଘରେ ପଂହଚିବା ପରେ ୭ଦିନ ଲାଗି ହୋମ୍ କ୍ୱାରାଟାଂଈନ୍‌ରେ ରହିବା ସହ ସାମାଜିକ ଦୂରତ୍ୱ ରକ୍ଷା, ମାସ୍କ ବ୍ୟବହାର କରିବା ସକାଶେ ଜିଲ୍ଲାପାଳ କୁଲାଙ୍ଗେ ପରାମର୍ଶ ଦେବା ସହ ଅନ୍ତେବାସୀଙ୍କ ସହ ୨୧ ଦିନର ଅନୁଭୁତି ସମ୍ପର୍କରେ ପଚାରି ବୁଝିଥିଲେ । ସ୍ଥାନୀୟ ବ୍ଳକର ୨ଟି ସଙ୍ଗରୋଧ କେନ୍ଦ୍ରରୁ ୨୧୩ ଅନ୍ତେବାସୀଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ଶେରଗଡ଼, ଆସିକା, ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ଧରାକୋଟ, ପୋଲସରା, ବୁଗୁଡ଼ା, କବିସୂର୍ଯ୍ୟନଗର, ପୁରୁଷୋତମପୁର, ବେଗୁନିଆପଡ଼ା ବ୍ଳକ ଅଂଚଳକୁ ପଠାଯାଇଛି । ଅନ୍ତେବାସୀମାନେ ଘରକୁ ପ୍ରତ୍ୟାଗମନ ସମୟରେ ଭାବ ବିହ୍ୱଳ ହୋଇ କାନ୍ଦି ପକାଉଥିବାର ଦେଖିବାକୁ ମିଳିଥିଲା । ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ପ୍ରମୁଖ ଉପସ୍ଥିତ ରହି ଅନ୍ତେବାସୀଙ୍କୁ ଘର ବାହୁଡ଼ା ମସୟରେ ଶୁଭେଛା ଜଣାଇଥିଲେ । ଅନ୍ୟପକ୍ଷରେ ଉଭୟ ସଙ୍ଗରୋଧ କେନ୍ଦ୍ରରେ ଦୀର୍ଘ ୨୧ ଦିନ ଧରି ରହି ଆସିଥିବା ଅନ୍ତେବାସୀ ମାନେ ସଙ୍ଗରୋଧ କେନ୍ଦ୍ରର ନୋଡ଼ାଲ ଅଧିକାରୀ ଅରୁଣ କୁମାର ପ୍ରଧାନ, ସହକାରୀ ଯନ୍ତ୍ରୀ ପ୍ରମୋଦ ନାୟକ, ଜିପିଇଓ ପ୍ରଶାନ୍ତ ରଥ, ଓଏଭି ଅଧ୍ୟକ୍ଷ ଅରୁଣ କୁମାର ପଟେଲ, ପୋଚିଲିମାେ ଆଇଟିଆଇ ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡା, ଚନ୍ଦ୍ରକାନ୍ତ ଚାନ୍ଦୁଆଙ୍କ ସମେତ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ