ବିନା ସୂଚନାରେ ଆସିଲେ ମାଗଣା ଟିକେଟ ଲାଗୁ ହୋଇନପାରେ
ଭୁବନେଶ୍ୱର: କରୋନା ଲକଡାଉନ ଯୋଗୁଁ ବାହାରେ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଶା ଫେରୁଛନ୍ତି । କିଏ ବସରେ ତ କିଏ ଟ୍ରେନରେ ଫେରୁଛନ୍ତି । ଏହାଛଡ଼ା କିଏ ସାକେଲରେ ତ କିଏ ଚାଲି ଚାଲି ମଧ୍ୟ ଫେରୁଛନ୍ତି । ତେବେ ଯେଉଁ ପ୍ରବାସୀମାନେ ଟ୍ରେନରେ ଆସୁଛନ୍ତି ସେମାନେ ଆସିବା ପୂର୍ବରୁ ସୂଚନା ଦେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ବିନା ସୂଚନାରେ ଆସିଲେ ମାଗଣା ଟିକେଟ ଲାଗୁ ହୋଇନପାରେ ବୋଲି ଶ୍ରୀ ଜେନା କହିଛନ୍ତି । କରୋନା ମୁକାବିଲା ନେଇ ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ଏହା କହିଛନ୍ତି ।
ସେ କହିଛନ୍ତି ଯେ, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାବେଳେ ଚିନ୍ତାଜନକ ନୁହେଁ । ପ୍ରବାସୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏହି ଅବସରରେ ଶ୍ରୀ ଜେନା ସରପଞ୍ଚ ଓ ଏସଏଚଜିର ସହଯୋଗକୁ ପ୍ରଶଂସା କରିଛନ୍ତି ।
ଏହାଛଡ଼ା ଅନ୍ୟ ରାଜ୍ୟରୁ ପ୍ରବାସୀ ଆସିଲେ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ ଶ୍ରୀ ଜେନା କହିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ଟ୍ରେନ ଯୋଗେ ବାହାର ରାଜ୍ୟରୁ ଅଧିକ ପ୍ରବାସୀ ଆସୁଛନ୍ତି । ଆଜି ତେଲେଙ୍ଗାନାକୁ ୧୨ଟି ଟ୍ରେନରେ ୨୦ ହଜାରରୁ ଉର୍ଦ୍ଧ୍ବ ଆସୁଛନ୍ତି । ସେମାନେ ବିନା ସୂଚନା ସୂଚନାରେ ଆସୁଥିବାରୁ ଆମ ପାଇଁ ସମସ୍ୟା ଉପୁଜୁଛି । ଯେଉଁମାନେ ଆସିବାକୁ ଚାହୁଁଛନ୍ତି ସେମାନେ ଆଗୁ ସୂଚନା ଦିଅନ୍ତୁ । ସୂଚନା ଦେଇ ଆସିଥିବା ପ୍ରବାସୀଙ୍କ ପାଇଁ ବ୍ୟବସ୍ଥା କରିଛୁ । ସୂଚନା ଦେଇ ଆସିଲେ ଗନ୍ତବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା କରିବୁ । ବିନା ସୂଚନାରେ ଆସିଲେ ମାଗଣା ଟିକେଟ ଲାଗୁ ହୋଇନପାରେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।


