ଯଶୋଦା ଫାଉଣ୍ଡେସନ୍ ତରଫରୁ ମହିଳାଙ୍କୁ ପନିପରିବା ବିହନ ଆବଣ୍ଟନ
ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଗ୍ରାମପଞ୍ଚାୟତର ମାଟିଖାଲ ଗ୍ରାମଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଯଶୋଦା ଫାଉଣ୍ଡେସନ୍’ ପକ୍ଷରୁ ଏକ ବିଭିନ୍ନ ପନିପରିବା ବିହନ ଆବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ଗ୍ରାମର ପ୍ରାୟ ମହିଳାମାନଙ୍କୁ ଭେଣ୍ଡି, ଜହ୍ନି, କାକୁଡ଼ି, ଲାଉ, କଲରା ଓ ଶାଗ ସମେତ ଆଠ ପ୍ରକାରର ଉନ୍ନତ ବିହନ ବଣ୍ଟନ କରାଯାଇଥିଲା। ଏହି ସହାୟତା ପାଇ ଗ୍ରାମର ମହିଳାମାନେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ଯଶୋଦା ଫାଉଣ୍ଡେସନ୍ ଟ୍ରଷ୍ଟି ସାଗରୀକା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା। ଏହି ଅବସରରେ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ସାହିତ୍ୟିକ ଓ ଆଇନଜୀବୀ ଡଃ. ପ୍ରଶାନ୍ତ କୁମାର ଶତପଥୀ, ସନ୍ତୋଷ ଶତପଥୀ ଏବଂ ପୁଷ୍ପା ସାହୁ ପ୍ରମୁଖ ଉପସ୍ଥିତ ରହି ମହିଳାମାନଙ୍କୁ ବିହନ ଆବଣ୍ଟନ କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ।


