ନିର୍ମାଣ ଶ୍ରମିକଙ୍କ କରୋନା ସହାୟତା ରାଶି ହଡପ ଅଭିଯୋଗ
ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ବ୍ଲକ ବଡକାଳିମାଟି ପଂଚାୟତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା କୋଭିଡ୍ -୧୯ ସହାୟତା ରାଶି କୁ ଶ୍ରମିକଙ୍କୁ ନଦେଇ ହଡପ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ଉକ୍ତ ପଂଚାୟତରେ ରହୁଥିବା କବି ମୁଣ୍ଡା ଓ ତାଙ୍କ ପତ୍ନୀ ଦୁଲାରୀ ମହାକୁଡ ନିର୍ମାଣ ଶ୍ରମିକ ଭାବେ ପନଜୀକରଣ କରି ଲେବରକାର୍ଡ ପାଇଥିଲେ । କବି ମୁଣ୍ଡାଙ୍କ ଲେବର କାର୍ଡ ପନଜୀକରଣ ସଂଖ୍ୟା ୪୨୨୬୩/୧୫ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକଡାଉନ୍ ପାଇଁ ମାସିକ ୫ ଶହ ଟଙ୍କ ଲେଖାଏଁ ସମୁଦାୟ ୩ ମାସର ୧୫ଶହ ଟଙ୍କା ପ୍ରତି ଶ୍ରମିକଙ୍କୁ ଦିଆଯାଉଅଛି । ଜିଲା କୋଠାବାଡି ନିର୍ମାଣ ଶ୍ରମିକ ସମିତି ପକ୍ଷରୁ ଏନେଇ ବ୍ଲକ ଏବଂ ପ୍ରତି ପଂଚାୟତରେ ନିର୍ବାହୀ ଅଧିକାରୀଙ୍କ ପାଖକୁ ତାଲିକା ପଠାଯାଇଅଛି । ତାଲିକାଭୁକ୍ତ ଥିବା ନିର୍ମାଣ ଶ୍ରମିକଙ୍କୁ ଉକ୍ତ ସହାୟତା ରାଶି ପ୍ରଦାନ କରାଯିବାର ନିୟମ ରହିଛି । ଏହି ସହାୟତା ରାଶି ନିର୍ମାଣ ଶ୍ରମିକଙ୍କୁ ପଂଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ନଗଦ ଭାବେ ପ୍ରଦାନ କରିବାର ନିୟମ ରହିଛି । ହେଲେ ଏହି ସହାୟତା ରାଶିକୁ ବଡକାଳିମାଟି ପଂଚାୟତରେ କିଛି ଅସାଧୁ ଅଧିକାରୀ ତାଲିକାଭୁକ୍ତ ଥିବା ନିର୍ମାଣ ଶ୍ରମିକଙ୍କୁ ନଦେଇ ନିଜେ ହଡପ କରିଥିବା ଅଭିଯୋଗ ଆଣିଛନ୍ତି ଉକ୍ତ ଅଂଚଳର ନିର୍ମାଣ ଶ୍ରମିକ କବି ମୁଣ୍ଡା ଓ ତାଙ୍କ ପତ୍ନୀ । ସେମାନେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଙ୍କ ଦୁଇ ଜଣଙ୍କର ନାମ ତାଲିକାଭୁକ୍ତ ହୋଇଛି ଏବଂ ପଂଚାୟତ କାର୍ଯ୍ୟାଳୟକୁ ଯାଇ ଉକ୍ତ ସହାୟତା ରାଶି ଆଣିବା ପାଇଁ ସେମାନଙ୍କୁ କୁହାଯାଇଥିଲା । କବି ମୁଣ୍ଡା ପଂଚାୟତ କାର୍ଯ୍ୟାଳୟକୁ ଯିବା ପରେ ସେଠାରେ ଥିବା ଅଧିକାରୀ ଜଣକ ଟଙ୍କା ନାହିଁ ବୋଲି କହି କବି ମୁଣ୍ଡାଙ୍କୁ ସହାୟତା ରାଶି ନଦେଇ କେବଳ ତାଙ୍କ ପତ୍ନୀ ଦୁଲାରୀ ମହାକୁଡ ଙ୍କୁ ଦେଇଥିଲେ ଏବଂ କବି ମୁଣ୍ଡାଙ୍କୁ ଆସନ୍ତା କାଲି ଆସିବା ପାଇଁ କହିଥିଲେ । ତେବେ ତିନି ଚାରିଦିନ ପଂଚାୟତ ଅଫିସକୁ ଯିବା ପରେ କବି ମୁଣ୍ଡାଙ୍କୁ କୋଭିଡ୍ -୧୯ ସହାୟତା ରାଶି ଦିଆଯିବ ନାହିଁ ବୋଲି ଉକ୍ତ ଅଧିକାରୀ ଜଣକ କହିଥିଲେ । ଏହାର କାରଣ ସମ୍ପର୍କରେ ପଚାରିବାରୁ କବି ମୁଣ୍ଡା ବାର୍ଦ୍ଧକ୍ୟ ଭତା ପାଉଥିବାରୁ ତାଙ୍କୁ ଏହି ସହାୟତା ରାଶି ଦିଆଯିବ ନାହିଁ ବୋଲି ସେ କହିଥିଲେ । ତେବେ ନିର୍ମାଣ ଶ୍ରମିକ କବି ମୁଣ୍ଡା ଓ ତାଙ୍କ ପତ୍ନୀ ମଧ୍ୟ ବାର୍ଦ୍ଧକ୍ୟ ଭତା ପାଉଛନ୍ତି । ତେବେ କେଉଁ ନିୟମ ଆଧାରରେ ତାଙ୍କ ପତ୍ନୀଙ୍କୁ ଉକ୍ତ ସହାୟତା ରାଶି ଦିଆଗଲା ପ୍ରଶ୍ନ କରିବାରୁ ଅଧିକାରୀ ଜଣକ ଏହା ତାଙ୍କ ଦୟା ବୋଲି କହିଥିଲେ । ଉକ୍ତ ସହାୟତା ରାଶି ପାଇବା ପାଇଁ ବହୁ ସମୟ ଧରି ନିର୍ମାଣ ଶ୍ରମିକ କବି ମୁଣ୍ଡା ସେଠାରେ ଛିଡା ହୋଇ ରହିବାରୁ ଅଧିକାରୀ ଜଣକ ଗାଳିଗୁଲଜ କରିବା ସହିତ ଅପମାନିତ କରି ସେଠାରୁ ତାଙ୍କୁ ବିିଦା କରିଦେଇଥିବା କବି ମୁଣ୍ଡା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବଡକାଳିମାଟି ପଂଚାୟତର ନିର୍ବାହୀ ଅଧିକାରୀ ଚନ୍ଦ୍ରଶେଖର ବୈଦ୍ୟଙ୍କୁ ପଚାରିବାରୁ ସେ ଏହି ଭଳି ଅଭିଯୋଗ ଭିତି ହୀନ ଏବଂ ଏଥିରେ ମୋର ଚରିତ୍ରହୀନ ହେଉଥିବା କହି ଫୋନ୍ କାଟି ଦେଇଥିଲେ ।


