କରୋନା ଯୋଦ୍ଧା ଭାବେ ସ୍କାଉଟ ଗାଇଡ୍ର କାର୍ଯ୍ୟ ସମ୍ପାଦନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଭୁବନେଶ୍ୱର ନୂତନ ପ୍ଲାଟ ଫର୍ମରୁ ଏକ ସ୍ୱତନ୍ତ୍ର ଟ୍ରେନ ପ୍ରବାସୀ ଛତିଶଗଡ ର ୧୨୦୦ ରୁ ଊର୍ଦ୍ଧ୍ୱ ଶ୍ରମିକମାନଙ୍କୁ ନେଇ ଗତକାଲି ଯାତ୍ରା କରିଥିଲା । ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ମୁଖ୍ୟ କାର୍ଯ୍ୟାଳୟର ବହୁ ପଦସ୍ତ କର୍ମଚାରୀ ଏବଂ ବହୁ ରୋଭର, ରେଞ୍ଜରସ୍ ଏବଂ ରୋଭର ଲିଡର ଶ୍ରମିକମାନଙ୍କୁ ଟ୍ରେନ୍ରେ ବସାଇବାରେ ସାହାଯ୍ୟ କରିଥିଲେ । ଏହି ଅବସରରେ ସେମାନଙ୍କପାଇଁ ଖାଦ୍ୟ ପେୟର ବ୍ୟବସ୍ଥା କରିବା ସହିତ ସେମାନଙ୍କୁ ଆବଶ୍ୟକୀୟ ମାସ୍କ ମଧ୍ୟ ଯୋଗାଇ ଦେଇଥିଲେ । ସାମାଜିକ ଦୂରତା ବଜାୟ ରଖି ସୁସ୍ଥ ଭାବରେ ଯାତ୍ରା କରି ନିଜ ରାଜ୍ୟରେ ପହଞ୍ଚିବା ପାଇଁ ସେମାନଙ୍କୁ ବୁଝାଇବା ସହ ସେମାନଙ୍କର ଶୁଭଯାତ୍ରା ପାଇଁ ଅଭିନନ୍ଦନ ଜଣାଇଥିଲେ । ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶ ମୂତାବକ ସ୍କାଉଟ ଗାଇଡ୍ମାନେ ଯାତ୍ରୀମାନଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ କରିଥିଲେ । ଆଜି ସେହିଭଳି ୧୦୦୦ ରୁ ଊର୍ଦ୍ଧ୍ୱ ବିହାରର ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ ବିହାର ଅଭିମୁଖେ ଯାତ୍ରା କରିଛି । ସ୍କାଉଟ ଓ ଗାଇଡ୍ର ସମସ୍ତ କର୍ମକର୍ତ୍ତା ଆଜି ମଧ୍ୟ ଉପସ୍ଥିତ ରହି ସେମାନଙ୍କ ପାଇଁ ଖାଦ୍ୟ ପେୟର ବ୍ୟବସ୍ଥା ପୂର୍ବକ ସେମାନଙ୍କୁ ମାସ୍କ ପ୍ରଦାନ କରି ଶୃଙ୍ଖଳିତ ଭାବେ ଟ୍ରେନ୍ରେ ଯାତ୍ରା କରିବାର ବନ୍ଦୋବସ୍ତ କରିବା ପାଇଁ ଭୁବନେଶ୍ୱର ନ୍ୟୁ ପ୍ଲାଟଫର୍ମରେ କାର୍ଯ୍ୟ କରିଛନ୍ତି । ସାମାଜିକ ଦୂରତା ରଖି ଯାତ୍ରା କରିବା ପାଇଁ ଶ୍ରମିକ ମାନଙ୍କୁ ପ୍ରବର୍ତ୍ତାଇବା ସହ ମାସ୍କ ପ୍ରଦାନ, ଖାଦ୍ୟ ଓ ପାନୀୟ ଯୋଗାଣରେ ସ୍କାଉଟ ଓ ଗାଇଡ୍ର କର୍ମକର୍ତ୍ତାମାନେ ଅହରହ ପ୍ରୟାସ ଜାରି ରଖିଛନ୍ତି ।


