ସ୍ମାର୍ଟଫୋନ୍ ବ୍ୟବହାର କରୁଥିଲେ…
କାଲି ଯାହା ବିଳାସମୟ ଥିଲା ଆଜି ତାହା ଆବଶ୍ୟକତା । କାଲି ଯାହା ଆବଶ୍ୟକତା ଥିଲା ଆଜି ତାହା ଆଉଡେଟେଡ୍ । କିଛି ବର୍ଷ ପୂର୍ବରୁ ଗାଁରେ କାଁ ଭାଁ କିଏ ମୋବାଇଲ୍ ଫୋନଟିଏ ଧରିଥିଲେ ତାକୁ ଲୋକେ ଟେରେଇ ଟେରେଇ ଚାହୁଁଥିଲେ । କିନ୍ତୁ ଆଜି ଗାଁଠାରୁ ସହର, ସବୁଠି ସମସ୍ତେ ସ୍ମାର୍ଟଫୋନ୍ ଭିତରେ ଏତେ ମାତ୍ରାରେ ଫସିଯାଇଛନ୍ତି ଯେ, ଆଉ ଜମା ବାହାରି ପାରୁନାହାନ୍ତି । ସିଢ଼ି ଚଢ଼ିଲାବେଳେ ସ୍ମାର୍ଟଫୋନ୍ରେ କେଞ୍ଚି ହୋଇଥିବ ମୁହଁ, ଝୁଣ୍ଟୁଥିବ ପାଦ । ଖାଇଲା ବେଳେ ଭାତ ଥାଳିକୁ ହାତ ନେଉ ନେଉ ଢାଳିଯାଉଥିବ ଡାଲି । ସ୍ମାର୍ଟ ଫୋନ୍ ଏମିତି ବାଇ କରିଛି ଯେ ସକାଳ ପାହିଯାଉଛି ପଛେ ଶୋଇପାରୁନି ଆଜିର ଏ ମଣିଷ । ବାପାମା’ ଶହେ ଡାକ ଡାକିଲେ ବି ଶୁଭୁ ନଥିବ କିଛି । ଆପଣ ବି ଏମିତିକା ଅଜବ ରୋଗର ଶିକାର କି? ଯଦି ହଁ ତେବେ କେତୋଟି ବିଷୟ ନିଶ୍ଚିତ ରୂପେ ଧ୍ୟାନଦିଅନ୍ତୁ ।
୧-ଲେମ୍ୱୁ ଅତି ଚୁପୁଡ଼ିଲେ ପିତା । ଅତିରୁ ଇତି । ଓଡ଼ିଆରେ ଏଭଳି ରୁଢି ଆପଣ ଶୁଣିଥିବେ । ଯଦି ସ୍ମାର୍ଟଫୋନ୍ ଆପଣଙ୍କୁ ଅତି ମାତ୍ରାରେ ଗ୍ରାସ କରିଛି, ତାହା ହେଲେ ଭାବନ୍ତୁ ତ ଯେଉଁ ମଣିଷ ଏଇ ଯନ୍ତ୍ରଟିକୁ ତିଆରି କରିଛି ଆଜି ସେଇ ଯନ୍ତ୍ର ମଣିଷକୁ ନିୟନ୍ତ୍ରଣ କରୁଛି । ଏମିତି ହେବା କ’ଣ ଠିକ୍ କି? ନୁହେଁ ନା ? ଯଦି ଆପଣଙ୍କୁ ଏଇ କଥା ଠିକ୍ ଲାଗୁଛି ତେବେ ସ୍ମାର୍ଟଫୋନ୍ ଆପଣଙ୍କ ବସ୍ ହେବା ଆଗରୁ ଆପଣ ତା’ ବସ୍ ହୋଇଯିବା ଭଲ ।
୨-ସ୍ମାର୍ଟଫୋନ୍ ଏକ ଯନ୍ତ୍ରଟିଏ ମାତ୍ର, ତାହା ଆମ ଜୀବନ ନିର୍ବାହକୁ ସହଜ କରିବା ପାଇଁ ଉଦ୍ଦିଷ୍ଟ । ଆମ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରସ୍ତୁତ । କିନ୍ତୁ ଏହା ଯଦି ଆମ ସମୟ ନଷ୍ଟ କରେ ତାହା କେତେ ଦୂର ଗ୍ରହଣୀୟ, ଆପଣ ବିଚାରକରନ୍ତୁ । ଏହାକୁ ଏପରି ବ୍ୟବହାର କରନ୍ତୁ ଯାହା ଫଳରେ କି ଆପଣଙ୍କ ସମୟ ସଞ୍ଚୟ କରିବା ସହିତ ଆପଣଙ୍କ କାମକୁ ସହଜ କରିବ ।
୩-ଇଣ୍ଟରନେଟ୍ ସୁବିଧା ପାଇଁ ଏପରି ଲାଗୁଛି ଯେମିତି ସାରା ବିଶ୍ୱଟି ଆମ ଆଖି ସାମ୍ନାରେ । ହାତ ମୁଠାରେ । କିନ୍ତୁ ସାରା ବିଶ୍ୱକୁ ଆମେ ହାତ ମୁଠାରେ ରଖିବା କି ଆବଶ୍ୟକ? ଯେତିକି ଦରକାର ସେତିକି ବ୍ୟବହାର ଭଲ । ତେଣୁ ଆପଣଙ୍କ ଜରୁରୀ ଅନୁସାରେ ସୋସିଆଲ୍ ମିଡିଆ ବ୍ୟବହାରରେ ସମସ୍ତ ଧାର୍ଯ୍ୟ କରନ୍ତୁ ।
୪-ଏହା ଯୋଗାଯୋଗର ଏକ ମାଧ୍ୟମ ମାତ୍ର । ମନୋରଞ୍ଜନର ଏକ ଉପକରଣ ହୋଇପାରେ, କିନ୍ତୁ ମଣିଷକୁ ନିୟନ୍ତ୍ରଣ କରିବା ଭଳି ଏକ କ୍ରୁର ବସ୍ତୁ ନହେବା ଉଚିତ । ତେଣୁ ଏହା ଆପଣଙ୍କର ଏକ ବ୍ୟାଡ ମାଷ୍ଟର ହେବା ଆଗରୁ ଆପଣ ତାକୁ ଗୁଡ୍ ସର୍ଭାଣ୍ଟ କରିଦେବା ଉଚିତ ।
ନିଦ ଔଷଧ ଖାଉଥିଲେ…
୫-ଯେତେ ସମ୍ଭବ ସେଥିରୁ ଭଲ ଶିକ୍ଷା ଗ୍ରହଣ କରିବା ଉଚିତ । ଏହାକୁ ଏକ ସୁଯୋଗ ଭାବି ଅପବ୍ୟବହାର କରିବା ନିଜ ପାଇଁ ବିପଦ କୁହାଯାଇପାରେ । ତେଣୁ ଏହାକୁ ନିଜ ଜ୍ଞାନ ଆହରଣର ମାଧ୍ୟମ ଭାବେ ବ୍ୟବହାର କଲେ ଏହା ଆପଣଙ୍କୁ ଭାରାକ୍ରାନ୍ତ କରିବନାହିଁ ।
୬-ସିଢ଼ି ଚଢୁଥିବା ବା ଓହ୍ଲାଇବା ବେଳେ ରାସ୍ତା ଅତିକ୍ରମ କରୁଥିବା ବେଳେ କିମ୍ୱା ଗାଡ଼ି ଚଲାଉଥିବା ବେଳେ ମୋବାଇଲ ଫୋନ୍ ବ୍ୟବହାର କରିବା ଦୁର୍ଘଟଣା ବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସଙ୍ଗେ ସମାନ । ସେହିପରି ସେଲ୍ଫି ନେବା ବେଳେ ଦଶ ଥର ଚିନ୍ତା କରନ୍ତୁ ଏବଂ ଚାରିଆଡ଼କୁ ଚାହିଁ ଦେଖନ୍ତୁ ଯେମିତି ଆପଣଙ୍କ ଜୀବନ ପ୍ରତି କୌଣସି ବିପଦ ବା ରିସ୍କ ନଥିବ ।


