ଆଧାର ଭିତ୍ତିକ ଇ-କେୱାଇସି ଜରିଆରେ ତତ୍କାଳ ପାନ୍ ସୁବିଧାର ଶୁଭାରମ୍ଭ

ନୂଆଦିଲ୍ଲୀ : କେନ୍ଦ୍ରୀୟ ବଜେଟର ଘୋଷଣା ଅନୁସାରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ୨୮.୦୫.୨୦୨୦ ଆନୁଷ୍ଠାନିକ ଭାବେ ତତ୍କାଳ ପାନ୍ ନମ୍ବର ପ୍ରଦାନ ସୁବିଧାର ଶୁଭାରମ୍ଭ କରିଛନ୍ତି । ଏହି ସୁବିଧା ବୈଧ ଆଧାର ନମ୍ବର ଏବଂ ସେଥିରେ ପଞ୍ଜୀକୃତ ମୋବାଇଲ ନମ୍ବର ଧାରକଙ୍କୁ ମିଳିପାରିବ । ଏହି ନମ୍ବର ପ୍ରଦାନ ପ୍ରକ୍ରିୟାରେ ଇ-ପାନ୍ ନମ୍ବର ଆବେଦନକାରୀଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ଚଳିତ ବର୍ଷର କେନ୍ଦ୍ରୀୟ ବଜେଟ ଉପସ୍ଥାପନ ବେଳେ ଅର୍ଥ ମନ୍ତ୍ରୀ ଶ୍ରୀମତୀ ସୀତାରମଣ ଏସମ୍ପର୍କରେ ଘୋଷଣା କରିଥିଲେ । ବଜେଟ ଭାଷଣର ଅନୁଚ୍ଛେଦ ୧୨୯ରେ ଅର୍ଥ ମନ୍ତ୍ରୀ କହିଥିଲେ ଯେ, “ଗତ ବଜେଟରେ ମୁଁ ପାନ୍ ଓ ଆଧାରର ଅନ୍ତର୍ବିନିମୟ ନେଇ ଘୋଷଣା କରିଥିଲି, ଯାହାରକି ପରବର୍ତ୍ତୀ କାଳରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପାନ୍ ନମ୍ବର ପ୍ରଦାନକୁ ଆହୁରି ସରଳ କରିବା ପାଇଁ ଆମେ ଆଉ ଏକ ନୂଆ ପଦ୍ଧତି ଅନୁସରଣ କରିବୁ ଯାହାଫଳରେ ତତ୍କାଳ ପାନ୍ ନମ୍ବର ଆଧାର ଭିତ୍ତିରେ ଅନଲାଇନରେ ପ୍ରଦାନ କରାଯିବ ଏବଂ ଏଥିପାଇଁ କୌଣସି ବିସ୍ତୃତ ଆବେଦନପତ୍ର କରିବାକୁ ପଡିବ ନାହିଁ” । ଏହି ଆଧାର ଭିତ୍ତିକ ଇ-କେୱାଇସି ତତ୍କାଳ ପାନ୍ ସୁବିଧା ଆଜି ବିଧିବଦ୍ଧ ଭାବେ ଆରମ୍ଭ କରାଯାଇଛି । ଯଦିଓ ଏହାକୁ ପରୀକ୍ଷାମୂଳକ ଭାବେ ଫେବୃଆରୀ ୧୨ରେ ଆୟକର ବିଭାଗ ଦ୍ଵାରା ଇ-ଫାଇଲିଂ ଜରିଆରେ ଆରମ୍ଭ କରାଯାଇଥିଲା । ସେବେଠାରୁ ୬,୭୭,୬୮୦ ତତ୍କାଳ ପାନ୍ ନମ୍ବର ମାତ୍ର ୧୦ ମିନିଟ ମଧ୍ୟରେ ୨୫ ମେ’ ପର‌୍ୟ୍ୟନ୍ତ ଆବଣ୍ଟନ କରାଯାଇଛି ।ଏଠାରେ କହିବା ପ୍ରଯୁଜ୍ୟ ଯେ, ଚଳିତ ମାସ ୨୫ ତାରିଖ ସୁଦ୍ଧା ମୋଟ ୫୦ କୋଟି ୫୨ ଲକ୍ଷ ଆୟକରଦାତାଙ୍କୁ ପାନ୍ ନମ୍ବର ଆବଣ୍ଟନ କରାଯାଇଛି । ସେଥିରୁ ପ୍ରାୟ ୪୯.୩୯ କୋଟି ସାଧାରଣ ଲୋକଙ୍କୁ ପ୍ରଦାନ କରାଯାଇଥିବା ବେଳେ ସେଥିରୁ ୩୨.୧୭ କୋଟି ଆଧାର ଭିତ୍ତିକ । ତତ୍କାଳ ପାନ୍ ପାଇଁ ଆବେଦନ ପ୍ରକ୍ରିୟା ଖୁବ ସରଳ କରାଯାଇଛି । ତତ୍କାଳ ପାନ୍ ପାଇବାକୁ ଇଚ୍ଛୁକ ବ୍ୟକ୍ତି ଆୟକର ବିଭାଗର ଇ-ଫାଇଲିଂ ୱେବସାଇଟକୁ ଯାଇ ତାଙ୍କର ବୈଧ ଆଧାର ନମ୍ବର ଓ ପରେ ପରେ ତାଙ୍କର ଆଧାର ପଞ୍ଜୀକୃତ ମୋବାଇଲରେ ଆସିଥିବା ଓଟିପିକୁ ଦେବେ । ଏହି ପଦ୍ଧତି ସଫଳତାର ସହିତ କରିସାରିବା ପରେ ଏକ ୧୫ ଅଙ୍କ ବିଶିଷ୍ଟ ସ୍ଵୀକାରୋକ୍ତି ନମ୍ବର ସୃଷ୍ଟି ହେବ । ଯଦି ଆବଶ୍ୟକ ହୁଏ, ଆବେଦନକାରୀ ଯେକୌଣସି ସମୟରେ ତାଙ୍କ ବୈଧ ଆଧାର କାର୍ଡ ନମ୍ବର ଦେଇ ଏହାର ସ୍ଥିତି ସମ୍ପର୍କରେ ଜାଣିପାରିବେ ଓ ନମ୍ବର ପ୍ରଦାନ କରାଗଲା ପରେ ଏହି ଇ-ପାନ୍ ନମ୍ବରକୁ ଡାଉନଲୋଡ କରିପାରିବେ । ଆଧାର ସହିତ ଯଦି ଆବେଦନକାରୀଙ୍କ ଇ-ମେଲ ଆଇଡି ପଞ୍ଜୀକୃତ ହୋଇଥାଏ ତେବେ ଏହି ଇ-ପାନ୍ ନମ୍ବର ସେଟାକୁ ପଠାଯିବ । ଡିଜିଟାଲ ଭାରତ ଅଭିଯାନ ନେଇ ଏଭଳି ପାନ୍ ସୁବିଧା ଆୟକର ବିଭାଗ ପାଇଁ ଅନ୍ୟ ଏକ ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ