ଡ୍ରୋନ୍ ଘଉଡ଼ାଇବ ପଙ୍ଗପାଳ
ନୂଆଦିଲ୍ଲୀ: କିଛି ଦିନ ହେବ ଭାରତର ଅନେକ ଚାଷ ଜମିରେ ଆତଙ୍କ ରଚିଥିବା ପାକିସ୍ତାନୀ ପଙ୍ଗପାଳଙ୍କୁ ଘଉଡ଼ାଇବାକୁ ଦେଶ ପ୍ରଥମ ଥର ପାଇଁ ଏକ ନୂଆ ପଦ୍ଧତି ଆପଣାଇଛି । କେନ୍ଦ୍ର କୃଷି ମନ୍ତ୍ରଣାଳୟର ପ୍ରୟାସ କ୍ରମେ ଏକ ସ୍ୱତନ୍ତ୍ର ଡ୍ରୋନ ପ୍ରସ୍ତୁତ କରାଯାଇଛି । ରାଜସ୍ଥାନର ଜୟପୁରରେ ଏହାକୁ ପରୀକ୍ଷା ମୂଳକ ଭାବେ ପ୍ରୟୋଗ କରାଯାଇଥିଲା । ଯାହା ଫଳବତୀ ହୋଇଛି । ଏଣୁ ଆଗକୁ ଆହୁରି ଅନେକ ସଂଖ୍ୟାରେ ଏଭଳି ଡ୍ରୋନ ପ୍ରସ୍ତୁତ କରି ପଙ୍ଗପାଳଙ୍କ ସହ ମୁକାବିଲା କରିବାକୁ କେନ୍ଦ୍ର କୃଷି ବିଭାଗ ଅଣ୍ଟା ଭିଡ଼ିଛି । ଏହି ଡ୍ରୋନ ଚାଷଜମି ଉପରେ ଏକ ରାସାୟନିକ ପଦାର୍ଥ ଛିଞ୍ଚିବା ସହ ପଙ୍ଗପାଳଙ୍କୁ ଘଉଡ଼ାଇବାକୁ ଏକ ସ୍ୱତନ୍ତ୍ର ଶବ୍ଦ ବାହାର କରୁଛି । ଏହି ଶବ୍ଦ ଶୁଣି ପଙ୍ଗପାଳମାନେ ପଳାଉଥିବା ଜଣାପଡ଼ିଛି । ଗୁରୁବାର ରାଜସ୍ଥାନର ୩୦ଟି ସ୍ଥାନରେ ଏହା ବ୍ୟବହାର କରାଯାଇଥିଲା । ତେବେ ଡ୍ରୋନରେ ଥିବା ରାସାୟନିକ ପଦାର୍ଥ ମାତ୍ର ୧୦ ମିନିଟ ମଧ୍ୟରେ ଶେଷ ହୋଇଯାଉଥିବାରୁ ଟ୍ରାକ୍ଟର ଦ୍ୱାରା ଏଥିରେ ବାରମ୍ବାର ରାସାୟନିକ ଭର୍ତ୍ତି କରାଯାଉଛି । ଏହି ରାସାୟନିକ ଭର୍ତ୍ତି କରିବା ଦାୟିତ୍ୱରେ ଥିବା କୃଷି ବିଭାଗର ଅଧିକାରୀମାନେ ପର୍ସନାଲ ପ୍ରୋଟେକ୍ସନ ଇକ୍ୟୁପମେଣ୍ଟ (ପିପିଇ) ପିନ୍ଧୁଛନ୍ତି ।


