ଟ୍ରାଫିକ କର୍ମଚାରୀଙ୍କୁ ମୋବାଇଲ ମନା

ଭୁବନେଶ୍ୱର: ଡ୍ୟୁଟିରେ ଥାଇ ବସି ମୋବାଇଲ ଫୋନରେ ଖେଳୁଛନ୍ତି ଟ୍ରାଫିକ କର୍ମଚାରୀ । କେହି କେହି ସୋସିଆଲ ମିଡିଆରେ ମାତିଥିବା ବେଳେ ଆଉ କିଛି ଗପ କରୁଛନ୍ତି । ଫଳରେ ଟ୍ରାଫିକ ପରିଚାଳନା ବିଶୃଙ୍ଖଳିତ ହେଉଛି । ଏଭଳି ଖବର ପ୍ରକାଶ ପାଇବା ପରେ କମିସନରେଟ ପୁଲିସ ପକ୍ଷରୁ ବାସ୍ତବତା ଯାଞ୍ଚ କରାଯାଇଥିଲା । ଖବରର ସତ୍ୟାସତ୍ୟ ପ୍ରମାଣିତ ହେବା ପରେ ଏକ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ଡ୍ୟୁଟିରେ ଥାଇ କୌଣସି ଟ୍ରାଫିକ କର୍ମଚାରୀ ମୋବାଇଲ ଫୋନ ବ୍ୟବହାର କରିପାରିବେ ନାହିଁ । ଟ୍ରାଫିକ ଡିସିପି ସାଗରିକା ନାଥ ଏହି ନିର୍ଦ୍ଦେଶନାମା ଜାରି କରିବା ପରେ ତନାଘନା ହୋଇଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଭିଏଚଏଫ ଜରିଆରେ ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରାଯାଇଛି । ତେବେ ଏହି ଆଦେଶ ନୂଆ ନୁହେଁ । ଗତବର୍ଷ ଅକ୍ଟୋବର ମାସରେ ଟ୍ରାଫିକ ଡିସିପି ଏଭଳି ଆଦେଶ କରିଥିଲେ । ଏହି ଆଦେଶର ମାସେ ପରେ ଅର୍ଥାତ ନଭେମ୍ବର ମାସରେ ପୁଲିସ କମିସନର ଏଭଳି ଆଦେଶ ଦେଇଥିଲେ । ହେଲେ ଦୁଇଦୁଇଟା ଆଦେଶ ପାଣିଫୋଟକା ପରେ ମିଳେଇ ଯାଇଥିଲା । କୌଣସି ଏକ ମାତ୍ର ପୋଷ୍ଟରେ ଏହି ଆଦେଶ ପାଳନ ହେଉଥିବା ପରିଲକ୍ଷିତ ହୋଇନଥିଲା । କିଏ ଗଛମୂଳେ, କିଏ ଛାଇ ତଳେ ଛିଡା ହୋଇ ମୋବାଇଲରେ ହଜି ଯାଇଥିଲେ । ପ୍ରତି ଛକରେ ଏଭଳି ଦୃଶ୍ୟ ଦେଖାଯାଇଥିଲା । କର୍ତ୍ତୃପକ୍ଷ ମଧ୍ୟ ଏକ ବିଜ୍ଞପ୍ତି ଜାରି କରି ବସି ଯାଇଥିଲେ । କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ ।
ଏବେ ୬ ମାସ ମଧ୍ୟରେ ତୃତୀୟ ଥର ଏଭଳି ଆଦେଶ ହୋଇଛି । କୌଣସି ପରିସ୍ଥିତିରେ ଡ୍ୟୁଟିରେ ଥାଇ ଟ୍ରାଫିକ କର୍ମଚାରୀ ମୋବାଇଲ ଫୋନ ବ୍ୟବହାର କରିପାରିବେ ନାହିଁ । ଡ୍ୟୁଟିକୁ ଯିବା ବେଳେ ମୋବାଇଲ ନେବେ ନାହିଁ । ଯଦି କେହି ମୋବାଇଲ ବ୍ୟବହାର କରୁଥିବା ଦେଖାଯିବ ତେବେ ବିଭାଗ ଏହାକୁ ଗୁରୁତ୍ୱର ସହ ନେବ ବୋଲି ସ୍ପଷ୍ଟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ