କାଉଣ୍ଟରରେ ମିଳିବ ମଦ !
କଟକ: ରାଜ୍ୟରେ ଏବେ ଅନଲାଇନରେ ମଦ ବିକ୍ରି ଚାଲିଛି । ତେବେ ଅଧିକ ରାଜସ୍ୱ ସଂଗ୍ରହ ଲକ୍ଷ୍ୟରେ ସରକାର ମଦ ଦୋକାନରୁ ସିଧାସଳଖ ମଦ ବିକ୍ରି ପାଇଁ ଅନୁମତି ଦେବାକୁ ଯୋଜନା କରୁଛନ୍ତି । ଆସନ୍ତା ଜୁନ ପ୍ରଥମ ସପ୍ତାହରୁ ମଦ ଦୋକାନ କାଉଣ୍ଟରରେ ମଦ ବିକ୍ରି ହେବ । ସେହିପରି ଅନଲାଇନ ବ୍ୟବସ୍ଥା ମଧ୍ୟ ଜାରି ରହିବ । ଏ ନେଇ ସରକାରୀ ଭାବେ ଘୋଷଣା କରାଯାଇନଥିଲେ ମଧ୍ୟ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ରାଜ୍ୟର ପ୍ରାୟ ୨୦୮୨ଟି ମଦଦୋକାନରୁ ଗ୍ରାହକମାନେ ସିଧାସଳଖ ମଦ କିଣିପାରିବେ । କେବଳ ସେତିକି ନୁହେଁ ଦେଶୀ ମଦ ଓ ଭାଙ୍ଗ ଦୋକାନ ଖୋଲିବାକୁ ବି ସରକାର ଯୋଜନା କରୁଥିବା କୁହାଯାଉଛି ।
ଗତ ମାର୍ଚ୍ଚ ୨୧ ତାରିଖ ରାତିରୁ ପ୍ରଥମେ ରାଜ୍ୟ ତମାମ ଠିପି ଖୋଲା ମଦ ଦୋକାନ ବା ବାରକୁ ବନ୍ଦ କରାଗଲା । ଏହା ପରେ ୨୨ ତାରିଖ ଲକଡାଉନ ଘୋଷଣା ପରେ ଠିପି ବନ୍ଦ ମଦ ଦୋକାନଗୁଡ଼ିକ ମଧ୍ୟ ବନ୍ଦ ହୋଇଗଲା । ତେବେ ଲକଡାଉନ -୩ ଲାଗୁ ହେବା ପରେ ଅର୍ଥାତ ମେ ୪ ରୁ ଦେଶବ୍ୟାପୀ ମଦ ବିକ୍ରିକୁ କେନ୍ଦ୍ର ସରକାର ପୁଣି ଅନୁମତି ଦେଲେ । କିନ୍ତୁ ରାଜ୍ୟରେ ମେ’୨୪ ରୁ ପର୍ଯ୍ୟାୟକ୍ରମେ ଅନଲାଇନରେ ମଦ ବିକ୍ରି ଆରମ୍ଭ ହୋଇଛି । ଏହା ମଧ୍ୟରେ ୪ ଦିନ ହେବ ହୋମ ଡେଲିଭରି ବ୍ୟବସ୍ଥାରେ ମଦ ବିକ୍ରି ହେଉଛି । ତେବେ ପ୍ରଥମ ଦୁଇରୁ ତିନି ଦିନ ଯେଉଁ ମାତ୍ରାରେ ହୋମ ଡେଲିଭରି ପାଇଁ ଅର୍ଡର ଆସୁଥିବା ବା ମଦ କିଣିବାକୁ ଲୋକଙ୍କ ଆଗ୍ରହ ଥିଲା ଗଲା ଦୁଇ ଦିନ ହେବ କମିବାରେ ଲାଗିଛି । ଲୋକେ ଅନଲାଇନରେ ମଦ କିଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ତେଣୁ କାଉଣ୍ଟରରୁ ମଦ ବିକ୍ରି କରିବାକୁ ଅବକାରୀ ବିଭାଗ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଅବକାରୀ କମିସନରଙ୍କ କାର୍ଯ୍ୟାଳୟ ଓ ଅବକାରୀ ବିଭାଗ ମଧ୍ୟରେ ଆଲୋଚନା ଚାଲିଛି । ଜୁନ ପହିଲା ବା ପ୍ରଥମ ସପ୍ତାହରେ ଏଭଳି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଇବାକୁ ଅବକାରୀ ବିଭାଗ ଯୋଜନା କରିଛି । ମଦରେ ଲାଗୁ ହୋଇଥିବା ୫୦ ପ୍ରତିଶତ କୋଭିଡ ଚାର୍ଜ ଏବେ ପ୍ରତ୍ୟାହାର ହେବନି ବୋଲି ସୂଚନା ମିଳିଛି ।


