ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଧମକାଇଲେ ଟ୍ରମ୍ପ
ଓ୍ବାଶିଂଟନ: ମହାମାରୀ କୋରୋନାରେ ସର୍ବାଧିକ ପ୍ରଭାବିତ ଦେଶ ଆମେରିକାରେ ଜଣେ ଅଣଶ୍ବେତାଙ୍ଗଙ୍କ ମୃତ୍ୟୁକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ମିନେସୋଟା ରାଜ୍ୟର ମିନିଆପଲିସ ସହରରେ ପୋଲିସ ହେପାଜତରେ ଅଣଶ୍ୱେତାଙ୍ଗ ଜର୍ଜ ଫ୍ଲୋୟର୍ଡଙ୍କ ମୃତ୍ୟୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏପରିକି ବିକ୍ଷୋଭକାରୀ ଓ ପୋଲିସ ମୁହାଁମୁହିଁ ମଧ୍ୟ ହୋଇଛନ୍ତି। ତେବେ ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଦର୍ଶନକାରୀଙ୍କୁ ଚେତାବନୀ ଦେଇଛନ୍ତି।
ଏହି ଘଟଣା ପରେ ସୁରକ୍ଷା ଦୃରୁ ଆମେରିକାର ଆଟଲାଣ୍ଟା ସମେତ ୧୬ଟି ରାଜ୍ୟର ୨୫ଟି ସହରରେ କର୍ଫ୍ୟୁ ଜାରି କରାଯାଇଛି। ଏହି ଅବସରରେ ଟ୍ରମ୍ପ କହିଛନ୍ତି ଯେ ହ୍ବାଇଟ ହାଉସର ପରିସୀମା ଛୁଇଁବା ପ୍ରଦର୍ଶନକାରୀଙ୍କ ପାଇଁ ବିପଜ୍ଜନକ ହେବ। କାରଣ ଆମ ପାଖରେ ଭୟଙ୍କର କୁକୁର ଓ ମାରଣାସ୍ତ୍ର ମଧ୍ୟ ରହିଛି। କିନ୍ତୁ ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଇତିମଧ୍ୟରେ ୧୪୦୦ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରେ ୮୦ ପ୍ରତିଶତ ମିନିଆପଲିସ ସହରର ବାସିନ୍ଦା ଥିବା ଜଣାପଡ଼ିଛି।