ବାହାରିପୁର କରଗୋଳା ରାସ୍ତା କାମ ନିମ୍ନମାନର
ହାଟଡିହି (ଓ୍ବାଇଏନ୍ଏସ୍) : ଗ୍ରାମ୍ୟ ଉନ୍ନୟନ ସବଡିଭିଜନରେ ହେଉଥିବା କାମ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ବାହାରିପୁର ଠାରୁ କରଗୋଳା ଯାଇଥିବା ଆର.ଡି ବିଭାଗ ରାସ୍ତାର ଗିରିଗାଁ ନିକଟରେ ନିର୍ମାଣ କରାଯାଉଥିବା ଗୋଟିଏ ରାସ୍ତାକାମ ଅତି ନିମ୍ନମାନର ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ବାହାରିପୁର ଠାରୁ କରଗୋଳା ପର୍ଯ୍ୟନ୍ତ ଯାଇଥିବା ଏହି ରାସ୍ତାଟି ଅବସ୍ଥା ଶୋଚନୀୟ ହୋଇ ପଡିଥିବାବେଳେ ଆରଡି ବିଭାଗ ପକ୍ଷରୁ ୨ଲକ୍ଷ ୯୫ହଜାର ଶହେ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା । ଏହି ଅନୁଦାନରେ ୪୦ମିଟର ଲମ୍ବର ରାସ୍ତାରେ ୭ସେଣ୍ଟିମିଟର ଉଚ୍ଚ ଓ ୩ମିଟର ୭୫ସିଏମ ଓସାରର କଂକ୍ରିଟ ରାସ୍ତା କରାଯିବା ସହ ଏକ କଲଭଟ ନିର୍ମାଣ କରାଯିବାପାଇଁ ଏଷ୍ଟିମେଟ ଥିଲା । କିନ୍ତୁ ଏବେ କେଉଁଠି ୨ଇଞ୍ଚ ତ ଆଉ କେଉଁଠି ୩ଇଞ୍ଚ ମୋଟର କଂକ୍ରିଟ କାମ କରାଯାଇଥିବାବେଳେ କଂକ୍ରିଟରେ ଚିପିସ ଓ ସିମେଣ୍ଟ ଓ ବାଲିର ପରିମାଣ ଠିକ ନଥିବାରୁ ତାହା ଦୁଇଦିନ ଭିତରେ ଫାଟ ସୃଷ୍ଟି ହେଲାଣି । ସେହିପରି କଲଭଟ କାମ ମଧ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ଆର.ଡି ବିଭାଗର ମୁଖ୍ୟଯନ୍ତ୍ରୀ, ନିର୍ବାହୀଯନ୍ତ୍ରୀ ପ୍ରମୁଖଙ୍କୁ ଜଣାଇ ତଦନ୍ତ ଦାବି କରିଛନ୍ତି । ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ କ୍ଷୀରୋଦ ବେହେରାଙ୍କୁ ପଚାରିବାରେ ସେ ନିମ୍ନମାନର କାର୍ଯ୍ୟକୁ ସ୍ୱୀକାର କରିବା ସହ ଯେତେ ତାଗିଦା କଲେବି ଠିକାଦାର ମୋ କଥା ଶୁଣୁ ନାହାନ୍ତି ବୋଲି କହିଛନ୍ତି । ଏଣୁ ବିଭାଗୀ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।