କ୍ୱାରାଣ୍ଟାଇନ୍‌ରେ ଏକମାତ୍ର ପୁତ୍ର : ମୃତ ପିତାଙ୍କୁ ମୁଖାଗ୍ନି ଦେଇ ପାରିଲେନି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଏକ କ୍ୱାରାଣ୍ଟାଇନ୍‌ରେ ଏକମାତ୍ର ପୁତ୍ର ରହିଥିବା ବେଳେ ହଠାତ୍ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ଖବର ମୋବାଇଲ୍ ଦ୍ୱାରା ପୁତ୍ର ପାଇ ଅତ୍ୟନ୍ତ ମ୍ରିୟମାଣ ହୋଇପଡିଥିଲେ । ପରିବାରବର୍ଗ ଓ ଗ୍ରାମବାସୀଙ୍କ ହିତ ଦୃଷ୍ଟିରୁ ପିତାଙ୍କୁ ମୁଖାଗ୍ନି ଦେବା ପାଇଁ ଗ୍ରାମକୁ ଯାଇ ନ ଥିଲେ ଏକମାତ୍ର ପୁତ୍ର । ଏଭଳି ଏକ ହୃଦୟ ବିଦାରକ ଖବର ହସ୍ତଗତ ହୋଇଛି । ଘଟଣାରୁ ପ୍ରକାଶ,ଏହି ଜିଲ୍ଲାର ରାୟଗଡ ବ୍ଲକ ମହକୁମାରେ ଥିବା ଅସ୍ଥାୟୀ ସଂଘରୋଧ କେନ୍ଦ୍ରରେ ବଳଦା ଗ୍ରାମର ହନୁ ଭୁୟାଁଙ୍କ ଏକମାତ୍ର ପୁତ୍ର ରାଜୁ ଭୁୟାଁ(୨୫)ଗତ କିଛି ଦିନ ହେଲା ଅବସ୍ଥାନ କରିଛନ୍ତି । ରାଜୁ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ପରିବାର ପୋଷଣ ପାଇଁ ଆନ୍ଧ୍ରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଲକ୍‌ଡାଉନ୍ ଯୋଗୁଁ ଆନ୍ଧ୍ରରେ କାମ ଧନ୍ଦା ବନ୍ଦ ହେବାରୁ ନିଜ ଗ୍ରାମକୁ ଫେରି କ୍ୱାରାଣ୍ଟାଇନ୍‌ରେ ରହିଥିଲେ । ଗତକାଲି ହଠାତ୍ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ମୋବାଇଲ୍ ଦ୍ୱାରା ପୁତ୍ର ପାଇଥିଲେ । ହେଲେ କରୋନା ସଂକ୍ରମଣ ଦ୍ୱାରା ନିଜ ଗ୍ରାମବାସୀ ଓ ପରିବାର ବର୍ଗଙ୍କ ପ୍ରତି ବିପଦ ଥିବା ଅନୁଭବ କରି କ୍ୱାରାଣ୍ଟାଇନ୍‌ରୁ ବାହାରି ମୁଖାଗ୍ନି ଦେବା ପାଇଁ ଏକମାତ୍ର ପୁତ୍ର ରାଜୁ ନ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଶେଷରେ ନିଜ ମୋବାଇଲ୍‌ରେ ଭିଡିଓ କଲିଂ ଦ୍ୱାରା ପିତାଙ୍କ ଶେଷ ଦର୍ଶନ ଓ ଶେଷକୃତ୍ୟ ଦେଖି ପ୍ରଣାମ ଜଣାଇ କ୍ୱାରାଣ୍ଟାଇନ୍‌ରେ ରହିଥିଲେ ଏକମାତ୍ର ପୁତ୍ର । ଏଠାରେ ସୁଚନା ଯୋଗ୍ୟ ମୃତ ପିତା ଜଣକ ଆନ୍ଧ୍ରରେ କୋଇଲା ବିକ୍ରି କରୁଥିଲେ । ଲକ୍‌ଡାଉନ୍ ଯୋଗୁଁ ଭିନ୍ନକ୍ଷମ ପତ୍ନୀଙ୍କୁ ଧରି ନିଜ ଗ୍ରାମ ବଳଦାରେ ରହୁଥିଲେ । ଏପରି ଗରିବ ପିତାମାତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଶ୍ରମିକ ଭାବେ ପୁତ୍ର ରାଜୁ ଆନ୍ଧ୍ର ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ