ବିନା ସ୍ପର୍ଶରେ ଏଟିଏମରୁ ଉଠିବ ଟଙ୍କା
ମୁମ୍ବାଇ: ଏଟିଏମକୁ ସ୍ପର୍ଶ ନ କରି ଟଙ୍କା ଉଠାଯିବା ବ୍ୟବସ୍ଥା ଖୁବ ଶୀଘ୍ର ଦେଶରେ କାର୍ଯ୍ୟ କାରି ହେବ । ଏଜିଏସ ଟ୍ରାଞ୍ଜାକ୍ଟ ଟେକ୍ନୋଲୋଜିସ ନାମକ ସଂସ୍ଥା ପକ୍ଷରୁ ସ୍ପର୍ଶ ବିହୀନ ଏଟିଏମର ଏକ ନମୁନା ବିକଶିତ କରାଯାଇଛି । ବ୍ୟାଙ୍କର ମୋବାଇଲ ଆପକୁ ବ୍ୟବହାର କରି ଗ୍ରାହକମାନେ ଏଟିଏମ ମେସିନ ସହିତ ଯୋଗାଯୋଗ ସ୍ଥାପନ କରିପାରିବେ । ଏଟିଏମ ସ୍କି୍ରନରେ ଏକ କୁ୍ୟଆର କୋଡ ପ୍ରଦର୍ଶିତ ହେବ । ତାହାକୁ ସ୍କ୍ରିନ କରି ଗ୍ରାହକମାନେ ଏଟିଏମ ସ୍କ୍ରିନରେ ଦେଉଥିବା ତଥ୍ୟଗୁଡ଼ିକୁ ମୋବାଇଲ ଆପରେ ଦେଇ ଟଙ୍କା ଉଠାଇପାରିବେ । ସାଧାରଣତଃ ଏଟିଏମରୁ ଟଙ୍କା ଉଠାଇବା ବେଳେ କାର୍ଡ ଭର୍ତ୍ତି କରାଯାଏ । ଏହା ପରେ ଗ୍ରାହକ ନିଜର ଖାତା ପ୍ରକାରକୁ ଚୟନ କରିବା ପରେ ପିନ ଓ ଉଠାଇବାକୁ ଚାହୁଁଥିବା ଟଙ୍କାର ପରିମାଣ ଲେଖିବା ପରେ ମେସିନରୁ ଟଙ୍କା ବାହାରିଥାଏ । ମାତ୍ର ସ୍ପର୍ଶବିହୀନ ଏଟିଏମ ବ୍ୟବହାର କରିବା ଲାଗି ଗ୍ରାହକମାନଙ୍କୁ ନିଜ ବ୍ୟାଙ୍କର ମୋବାଇଲ ଆପ ବ୍ୟବହାର କରିବାକୁ ପଡ଼ିବ । ସାରା ଦେଶରେ ଏଜିଏସ ଟ୍ରଞ୍ଜାକ୍ଟ ୭୦,୦୦୦ ରୁ ଅଧିକ ଏଟିଏମର ପରିଚାଳନା କରୁଛି । ବର୍ତ୍ତମାନ ଏହି ଦୁଇଟି ବ୍ୟାଙ୍କ ଲାଗି ସ୍ପର୍ଶବିହୀନ ଏଟିଏମ ବିକଶିତ କରିବା କାର୍ଯ୍ୟ କରୁଛି । ଆଉ ଚାରିଟି ବ୍ୟାଙ୍କ ସହ ଏହା କଥାବାର୍ତ୍ତା ଆରମ୍ଭ କରିଛି । ଏଟିଏମ ମେସିନରେ ଥିବା ସଫ୍ଟୱେୟାରରେ ପରିବର୍ତ୍ତନ କରି ତାହାକୁ ସ୍ପର୍ଶବିହୀନ ଏଟିଏମରେ ପରିଣତ କରାଯିବ । ଏଥିପାଇଁ ଆଠ ସପ୍ତାହ ସମୟ ଲାଗିବ । ପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର କେତେକ ନିର୍ଦ୍ଧିଷ୍ଟ ଏଟିଏମରେ ସ୍ପର୍ଶବିହୀନ ଉଠାଣ ସୁବିଧା ମିଳୁଥିଲା । ତେବେ କେବଳ ବ୍ୟାଙ୍କର ନିଜ ଗ୍ରାହକମାନେ ଏହି ସୁବିଧା ପାଉଥିଲେ । ମାତ୍ର ଏଜିଏସ ଟ୍ରାଞ୍ଜାକ୍ଟ ବିକଶିତ କରୁଥିବା ଏଟିଏମରେ ବିଭିନ୍ନ ବ୍ୟାଙ୍କର ଗ୍ରାହକ ଟଙ୍କା ଉଠାଇପାରିବେ ।


