ନିର୍ବାଚନ ଆଦର୍ଶ ଆଚରଣ ବିଧି ଉପରେ ମାଜିଷ୍ଟ୍ରେଟ୍, ସର୍ଭିଲେନ୍ସ ଟିମ୍ ଓ ଫ୍ଲାଇଂ ସ୍କ୍ୱାଡକୁ ତାଲିମ
ବାଲେଶ୍ୱର (ଯୁଗାଦ୍ଦ ନ୍ୟୁଜ): ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଅବ୍ୟବହିତ ପୂର୍ବରୁ ଆଗାମୀ ସାଧାରଣ ନିର୍ବାଚନରେ ମୁତୟନ ହେବାକୁ ଥିବା ମାଜିଷ୍ଟ୍ରେଟ୍, ସର୍ଭିଲେନ୍ସ ଟିମ୍ ଓ ଫ୍ଲାଇଂ ସ୍କ୍ୱାଡର ସଦସ୍ୟମାନଙ୍କୁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ତରଫରୁ ତାଲିମ ପ୍ରଦାନ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ଆଦର୍ଶ ଆଚରଣ ବିଧି କିପରି ପାଳନ କରାଯିବ ସେ ନେଇ ବିଶଦ ଭାବେ ବୁଝାଯାଇଥିଲା । ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ସି-ଭିଜିଲ୍ ଆପ୍ ସମ୍ବନ୍ଧରେ ମଧ୍ୟ ଜଣାଇଦିଆଯାଇଥିଲା । ବିଶେଷ ଭାବେ ଆଦର୍ଶ ଆଚରଣ ବିଧି ସମୟରେ ଯେ କୌଣସି ପ୍ରକାର ସଭା ସମିତି, ସରକାରୀ କାନ୍ଥବାଡରେ ପୋଷ୍ଟର ମାରିବା, ପ୍ରାର୍ଥୀପତ୍ର ଦାଖଲ ବେଳେ ବିଧି ମୁତାବକ କାର୍ଯ୍ୟ କରିବା, ପ୍ରଚାର ସମୟରେ ଅନ୍ୟ ପ୍ରାର୍ଥୀର ଚରିତ୍ର ସଂହାର, କୌଣସି ଧାର୍ମିକ ଭାବନାକୁ ଚୋଟ ପହଂଚୁଥିବା ଭଳି କଥା କିମ୍ବା କାର୍ଯ୍ୟ ନ କରିବା, ନିର୍ଦ୍ଧାରିତ ସମୟ ବାହାରେ ମାଇକ ଯୋଗେ ପ୍ରଚାର ନ କରିବା, ସରକାରୀ ଡାକ ବଙ୍ଗଳା ବ୍ୟବହାର ବେଳେ ଅନୁମତି ଲୋଡିବା, ନିର୍ଦ୍ଧାରିତ ଖର୍ଚ୍ଚ ବାହାରେ ଖର୍ଚ୍ଚ ନ କରିବା ଭଳି କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ କଡା ନଜର ରଖିବାକୁ କୁହାଯାଇଛି । ଏହା ଲାଗୁ ହେବାର ୪୮ ଘଂଟା ମଧ୍ୟରେ ରାଜନେତାମାନଙ୍କ ଲାଗିଥିବା ଫଟୋଚିତ୍ର, ବ୍ୟାନର, ହୋର୍ଡିଂ ସବୁକୁ ବାହାର କରିବା ଇତ୍ୟାଦି ପ୍ରତି ସତର୍କ ଦୃଷ୍ଟି ଦେବାକୁ କୁହାଯାଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ନାୟକ, ଉପଜିଲ୍ଲାପାଳ ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ନୀଳଗିରି ବିଶାଲ ସିଂହ, ସହକାରୀ ଜିଲ୍ଲାପାଳ(ନିର୍ବାଚନ) ମନୋଜ ସେନାପତି, ସତ୍ୟଜିତ ମହାନ୍ତି, ପ୍ରୋଗ୍ରାମ ଅଫିସର ସୀତାଂଶୁ ଶେଖର ଦାସ, ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।


