ସୁଧୁରୁନି ଚୀନ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଚାପ ସତ୍ତ୍ବେ ଏବେ ବି ସୁଧୁରିନି ଚୀନ୍। ସୀମା ବିବାଦ ଶେଷ କରିବା ମୁଡରେ ନାହିଁ। ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା ଫେଲ୍‌ ମାରିଛି। ବେଜିଂ ତା’ର ବିସ୍ତାରବାଦ ଚିନ୍ତାଧାରାକୁ ଛାଡ଼ୁନାହିଁ। ପୂର୍ବ ଲଦାଖରେ ଜାରି ରହିଥିବା ବିବାଦର ସମାଧାନ କରିବା ପରିବର୍ତ୍ତେ ଚାଇନା ସୀମାରେ ଗତିବିଧି ବୃଦ୍ଧି କରିବାରେ ଲାଗିଛି । ଏପରି କି ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚାଇନା ସେନା ପକ୍ଷରୁ ଘନଘନ ହେଲିକପ୍ଟର ଉଡ଼ା ଯାଉଛି। ଭାରତ ମନରେ ଭୟ ସୃଷ୍ଟି କରିବା ପାଇଁ ଚାଇନା ଏପରି କରୁଥିବା କୁହାଯାଇଛି। ତେବେ ଭାରତୀୟ ସେନା ମଧ୍ୟ ଚାଇନାର ସବୁ ପ୍ରକାରର ହରକତର ଜବାବ ଦେବାକୁ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ, ଭାରତୀୟ ସୀମା ନିକଟରେ ଗତ ୭ରୁ ୮ ଦିନ ହେଲାଣି ଚାଇନା ବ୍ୟାପକ ସଂଖ୍ୟାରେ ହେଲିକପ୍ଟର ଉଡ଼ାଇବାରେ ଲାଗିଛି। ଏଲଏସିରେ ଚାଇନା ମୁତୟନ କରିଥିବା ଟ୍ରୁପ୍ସକୁ ଅତିରିକ୍ତ ସହାୟତା କରିବା ପାଇଁ ବେଜିଂ ଏପରି ଉଡ଼ାଣ କରୁଛି। ଚାଇନା ସୀମାରେ ଉଡ଼ାଉଥିବା ବିମାନ ଗୁଡ଼ିକ ମଧ୍ୟରେ ଏମଆଇ-୧୭ ଓ ସ୍ଥାନୀୟ ମିଡିୟମ ଲିଫ୍ଟ ହେଲିକପ୍ଟର ରହିଛି। ଏହାପୂର୍ବରୁ ମଧ୍ୟ ଇଷ୍ଟର୍ଣ୍ଣ ଲଦାଖ ସୀମା ବିଶେଷ କରି ଗଲୱାନା ଅଞ୍ଚଳରେ ବି ଚାଇନା ପକ୍ଷରୁ ଯୁଦ୍ଧ ବିମାନ ଉଡ଼ାଣ କରାଯାଇଥିଲା। ଗଲୱାନା ଅଞ୍ଚଳରେ ଉଡ଼ୁଥିବା ଚାଇନା ବିମାନ ଭାରତୀୟ ସୀମାରେ ମଧ୍ୟ ପ୍ରବେଶ କରି ନୂଆଦିଲ୍ଲୀ ପକ୍ଷରୁ କରାଯାଉଥିବା ରାସ୍ତା ନିର୍ମାଣ କାମର ଫଟୋ ଉଠାଇଥିଲା। ଚାଇନା ବାରମ୍ବାର ଆକାଶ ସୀମାକୁ ଉଲ୍ଲଙ୍ଘନ କରୁଥିବାରୁ ଭାରତ ମଧ୍ୟ ଏହାର ଜବାବ ଦେବାକୁ ପ୍ରସ୍ତୁତ ହୋଇ ରହିଛି। ଦିନକୁ ଦିନ ଲଦାଖ ଓ ଉତ୍ତର ସିକ୍କିମ ସୀମାରେ ଭାରତ ଓ ଚାଇନା ସୀମା ବିବାଦ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଉଭୟ ଦେଶ ମଧ୍ୟରେ ଶୀର୍ଷ ସ୍ତରୀୟ ଆଲୋଚନା ହୋଇଥିଲା। ତଥାପି ଚାଇନା ବିବାଦ ସମାଧାନ କରିବା ପରିବର୍ତ୍ତେ ସୀମାରେ ଗତିବିଧି ବଢ଼ାଇବାରେ ଲାଗିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ