ଜୋକର ଅନ୍ଦାଜରେ ଆୟୁଷ୍ମାନ

ଓସ୍କାର ବିଜେତା ଫିଲ୍ମ ‘ଜୋକର’ର କେନ୍ଦ୍ରୀୟ ଚରିତ୍ର ଭଳି କୌଣସି ନକାରାତ୍ମକ ଚରିତ୍ରରେ ଅଭିନୟ କରିବାକୁ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସବୁବେଳେ ଇଚ୍ଛା ରହିଆସିଛି ବୋଲି ସେ କହିଛନ୍ତି। ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ଆୟୁଷ୍ମାନ ଚିତ୍ରକର ସ୍ବପ୍ନିଲ ପାୱାରଙ୍କ ଦ୍ବାରା ତିଆରି କରାଯାଇଥିବା ଏକ ପେଣ୍ଟିଂ ଶେୟାର କରିଛନ୍ତି ଯେଉଁଥିରେ ଆୟୁଷ୍ମାନଙ୍କୁ ଜୋକର ଅବତାରରେ ଦେଖବାକୁ ମିଳୁଛି। ଏହି ପେଣ୍ଟିଂ ସ୍ବପ୍ନିଲଙ୍କ ’ଜଷ୍ଟ ଇମାଜିନ’ ସିରିଜର ଅଂଶବିଶେଷ ଅଟେ, ଯେଉଁଥିରେ ବଲିଉଡର ଅନ୍ୟ କଳାକାରଙ୍କ ଫଟୋ ମଧ୍ୟ ଅଙ୍କା ଯାଇଛି।
ସ୍ବପ୍ନିଲଙ୍କ ଏହି ପେଣ୍ଟିଂକୁ ପ୍ରଶଂସା କରି ଆୟୁଷ୍ମାନ କୌଣସି ଲୋକପ୍ରିୟ ଭିଲେନ୍ ଚରିତ୍ରରେ ଅଭିନୟ କରିବାର ନିଜ ଇଚ୍ଛା ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ପ୍ରଥମରେ ଟଡ ଫିଲିପ୍‌ସଙ୍କ ଲୋକପ୍ରିୟ ଫିଲ୍ମ ’ଜୋକର’ରେ ଉତ୍କୃଷ୍ଟ ଅଭିନୟ ପାଇଁ ଜୋକ୍ବିନ୍ ଫିନିକ୍ସଙ୍କୁ ଓସ୍କାରରେ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିପରି ୨୦୦୯ରେ କ୍ରିଷ୍ଟୋଫର ନୋଲାନଙ୍କ ’ଦ ଡାର୍କ ନଇଟ୍’ରେ ଜୋକର ଚରିତ୍ରରେ ଅଭିନୟ କରି ହିଥ ଲେଜରଙ୍କୁ ଶ୍ରେଷ୍ଠ ସହକଳାକାର ଓସ୍କାର ପୁରସ୍କାର ମିଳିଥିଲା।
ସ୍ବପ୍ନିଲଙ୍କ ଏହି ଫଟୋ ଶେୟାର କରି ଆୟୁଷ୍ମାନ ଲେଖିଛନ୍ତି ଯେ ବାସ୍ତବରେ ସେ କ’ଣ ଏଭଳି କୌଣସି ବ୍ୟକ୍ତିଙ୍କ ଭଳି ଦେଖାଯାଉଛନ୍ତି, ଯାହା ପାଖରେ କୌଣସି ପ୍ଲାନ ରହିଛି? ଆପଣମାନେ ଜାଣିଛନ୍ତି ମୁଁ କେମିତି? ମୁଁ କୌଣସି କାର୍ ପଛରେ ଦୌଡ଼ୁଥିବା କୁକୁର ଭଳି। ତାହା ମତେ ମିଳିବ କି ନାହିଁ, ଜଣା ନ ଥାଏ। ଯଦି ସେହି ଜିନିଷ ମୋ ହାତକୁ ବି ଆସିଯାଏ, ତେବେ ତାହା ସହ କ’ଣ କରିବା ଦରକାର। ତାହା ବି ମୁଁ ଜାଣିନି। ମୁଁ ଅରାଜକତାର ଏଜେଣ୍ଟ ଅଟେ। କୁଟିଳ, ଭୟଙ୍କର, ଶୈତାନ ଓ ଦୁଷ୍ଟ ପ୍ରକୃତିର ସବୁବେଳେ ’ଜୋକର’ ଭଳି କୌଣସି ନେଗେଟିଭ୍ ଚରିତ୍ରରେ ଅଭିନୟ କରିବା ମୋର ଇଚ୍ଛା ରହିଛି। ମୋ ମସ୍ତିଷ୍କକୁ ପଢ଼ିବା ଓ ଏଭଳି ସୁନ୍ଦର ପେଣ୍ଟିଂ କରିବା ପାଇଁ ସ୍ବପ୍ନିଲ ଆପଣଙ୍କୁ ଧନ୍ୟବାଦ ବୋଲି ଆୟୁଷ୍ମାନ ଲେଖିଛନ୍ତି।
ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଆୟୁଷ୍ମାନ ସୋସାଲ ମିଡିଆରେ ସୂଚନା ଦେଇଥିଲେ ଯେ ସେ ସ୍ପାନିଶ୍ ୱେବ ସିରିଜ୍ ’ମନି ହାଇଷ୍ଟ’ର ପ୍ରଫେସର (ଅଲ୍ବୋରା ମୋର୍ଟେଙ୍କ ଦ୍ବାରା ଅଭିନୀତ)ଚରିତ୍ରରେ ଅଭିନୟ କରିବାକୁ ବହୁତ ଉତ୍ସାହିତ। ସୂଚନାଯୋଗ୍ୟ ଯେ ଖୁବଶୀଘ୍ର ସୁଜିତ ସରକାରଙ୍କ ଫିଲ୍ମ ’ଗୁଲାବୋ ସୀତାବୋ’ରେ ଆୟୁଷ୍ମାନ ଅମିତାଭ ବଚ୍ଚନଙ୍କ ସହ ନଜର ଆସିବାକୁ ଯାଉଛନ୍ତି। ଏହା ୧୨ ଜୁନରେ ଆମାଜନ୍ ପ୍ରାଇମ୍ ଭିଡ଼ିଓରେ ପ୍ରିମିଅର ହେବାକୁ ଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ