ସକାଳେ ଆମ୍ବୁଲାନ୍ସରେ ଛାଡି ସନ୍ଧ୍ୟାରେ ଉଠାଇନେଲେ କୋଭିଡ ଭ୍ୟାନରେ ଆତଙ୍କିତ ଅବସ୍ଥାରେ ଦୁଇ ଗ୍ରାମବାସୀ

ବେଲଗୁଣ୍ଠI, (ଶିବରାମ ଚୌଧୁରୀ):କରୋନା ଆତଙ୍କରେ ସମଗ୍ର ବିଶ୍ଵର ଜନସାଧାରଣ ଆତଙ୍କିତ ହୋଇଥିବା ବେଳେ ସ୍ଥାନୀୟ ପ୍ରଶାସନ ଏହାକୁ କିପରି ଖାମଖିଆଲ ଢଙ୍ଗରେ ନେଇଛି ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ବେଲଗୁଣ୍ଠI ବ୍ଲକ୍ ର ବଡ଼ବୋର୍ସିଂ ପଞ୍ଚାୟତରେ I ସୂଚନା ଅନୁସାରେ ଗତ ଜୁନ୍ ତିନି ତାରିଖରେ ତନରଡ଼ାସ୍ଥିତ ଆର୍ଯ୍ୟ କନ୍ୟା ଗୁରୁକୂଳ ଆଶ୍ରମ ସଙ୍ଗରୋଧ ଶିବିରରେ ରହିଥିବା ତିନି ପ୍ରବାସୀଙ୍କଠାରେ କରୋନା ଲକ୍ଷଣ ଦେଖାଯିବା ପରେ ସେମାନଙ୍କୁ ଭଞ୍ଜନଗରସ୍ଥିତ ହସ୍ପିଟାଲକୁ ନେଇ ସ୍ବାବ ନିଆଯାଇଥିଲା । ସେମାନଙ୍କୁ ପୁଣି ସେହି ସଙ୍ଗରୋଧ କେନ୍ଦ୍ରକୁ ଆଣିବା ବଦଳରେ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା I ଚାରି ଦିନ ଧରି ସେମାନଙ୍କୁ କୋଭିଡ ହସ୍ପିଟାଲର ଏକ ସ୍ଵତନ୍ତ୍ର କ୍ୟାବିନରେ ସେମାନଙ୍କୁ ରଖାଯିବା ପରେ ଗତ ସାତ ତାରିଖରେ ଏକ ଆମ୍ବୁଲାନ୍ସ ଯୋଗେ ଆଣି ବେଲଗୁଣ୍ଠI ବ୍ଲକ୍ ର ସାନ ବୋର୍ସିଂ, ଦୁବଲୁଣ୍ଡା ଏବଂ ସୋରଡା ବ୍ଲକ୍ ର ବୁଗୁଡା ଗ୍ରାମ ଛକରେ ଛାଡି ଦିଆଯାଇଥିଲା I କିନ୍ତୁ ସନ୍ଧ୍ୟା ବେଳେ ପୁଣି ଏକ କୋଭିଡ ଭ୍ୟାନ ଆସି ସେହି ତିନି ଜଣଙ୍କୁ ଗାଁ ରୁ ଉଠାଇ ନେଇଥିଲା I ଏହି ଘଟଣା ଯୋଗୁଁ ଦୁବଲୁଣ୍ଡା ଏବଂ ସାନ ବୋର୍ସିଂ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି I କାରଣ ସକାଳୁ ସନ୍ଧ୍ୟା ଭିତରେ ସେହି ସନ୍ଦିଗ୍ଧ ବ୍ୟକ୍ତି ମାନେ ଗ୍ରାମର ପୋଖରୀରେ ଗାଧୋଇବା ସହ ପ୍ରତ୍ୟେକ ବ୍ୟକ୍ତି ଅତି କମ୍ ରେ କୋଡିଏ ଜଣଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି I ଏହି ଘଟଣାରେ ପ୍ରଶାସନର ଭୂମିକା ସନ୍ଦେହ ଘେରକୁ ଆସିଯାଇଛି I ପ୍ରଥମ କଥା ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ମେଡିକାଲ୍ କୁ ଅଣାଯାଇଥିଲା ବେଳେ ଚିକିତ୍ସା ପରେ ସେମାନଙ୍କୁ ପୁନଶ୍ଚ ସଙ୍ଗରୋଧ କେନ୍ଦ୍ରକୁ ନ ନେଇ କାହା ନିର୍ଦ୍ଦେଶରେ ନିଜ ଗ୍ରାମରେ ଆଣି ଛଡାଯାଇଥିଲା ? ପୁଣି ଚାରି ପାଞ୍ଚ ଘଣ୍ଟା ପରେ ସେମାନଙ୍କୁ କୋଭିଡ ଭ୍ୟାନରେ ଉଠାଇ ନେବାର କାରଣ କଣ ? ଯଦି ସେହି ବ୍ୟକ୍ତି ମାନେ କରୋନା ଚିହ୍ନଟ, ତାହେଲେ ପ୍ରଶାସନ ପରବର୍ତ୍ତୀ ପଦକ୍ଷେପ ନ ନେଇ ନୀରବ ରହିଛି କାହିଁକି I ସୂଚନା ପ୍ରକାରେ ସେମାନଙ୍କୁ ଉଠାଇ ନେବାର ଗୋଟିଏ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ ସେମାନଙ୍କ ସଂସ୍ପର୍ଶରେ ଆସିଥିବା କୌଣସି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ନାହିଁ କିମ୍ବା ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ସଙ୍ଗରୋଧରେ ରଖାଯାଇ ନାହିଁ I କେବଳ ସାନ ବୋର୍ସିଂ ଗ୍ରାମ୍ୟ କମିଟି ତଟଫରୁ ନିଜସ୍ଵ ପ୍ରଚେଷ୍ଟାରେ ଆଠ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଥିବା ବେଳେ ଗ୍ରାମର ପୋଖରୀରେ ଗାଧୋଇବା ପାଇଁ ଲୋକଙ୍କୁ ବାରଣ କରାଯାଇଛି I ସେମାନଙ୍କୁ କୋଭିଡ ଭ୍ୟାନରେ ପୁନଶ୍ଚ ଉଠାଇନେବା ଅର୍ଥ ସେମାନଙ୍କ ସ୍ୱାବ ନମୁନା ବିଳମ୍ବରେ ଆସିଥିଲା, କିନ୍ତୁ ସ୍ୱାବ ରିପୋର୍ଟ୍ ଆସିବା ପୂର୍ବରୁ ସେମାନଙ୍କୁ ମେଡିକାଲ୍ ରୁ ଛାଡ଼ିଦେବା ପ୍ରଶାସନର ତରବରିଆ ନୀତିକୁ ପଦାରେ ପକାଇଦେଇଛି I ଯଦି ଏମିତି ପ୍ରଶାସନ ଅବହେଳା କରେ ଆଗାମୀ ଦିନରେ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣକୁ ଏଡାଇ ଦିଆ ଯାଇ ନ ପାରେ I ଏମିତି ପରିସ୍ଥିତିରେ ପ୍ରଶାସନର ଖାମଖିଆଲ ମନୋଭାବକୁ ଅଞ୍ଚଳବାସୀ ନାପସନ୍ଦ କରିବା ସହ ଅଜଣା ଆଶଙ୍କାରେ ରହିଛନ୍ତି ।ଏ ପରି ପରିସ୍ଥିତିରେ ଆଜି ପ୍ରଶାସନ ତରଫରୁ ସଫେଇ ଦେଇ ସ୍ୱାସ୍ଥ୍ୟ ବିଭାଗର ଦୋଷ ବୋଲି କହୁଥିବା ବେଳେ ପ୍ରଶାସନ ହେଉ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ବୋଲି ଆଲୋଚନା ହେଉଛି ।ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେଲା ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ତରଫରୁ କରୋନ ପଜିଟିଭଙ୍କ ସଂଶ୍ପର୍ଷରେ ଆସିଥିବା ଲୋକଙ୍କ ପାଇଁ କୌଣସି ପଦକ୍ଷେପ ନିଆ ନ ଯିବା ଚର୍ଚ୍ଚାର ବିଷୟ ହୋଇଛି ।ଦୁବଲୁଣ୍ଡା ଗ୍ରାମରେ ସେମାନେ ଖୋଲା ମେଲା ବୁଲୁଥିବା ବେଳେ ସାରବୋରସିଂ ଗ୍ରାମରେ ଗ୍ରାମ କମିଟିର ନିଷ୍ପତ୍ତି ପ୍ରକାରେ କରୋନା ପଜିଟିଭଙ୍କ ସଂଶ୍ପର୍ଷରେ ଆସିଥିବା ଲୋକଙ୍କୁ କ୍ୱରେଣ୍ଟାଇନ୍ ରେ ରଖିଛନ୍ତି ଏବଂ ଆଜି ଏକ ଝିଅ ବାହାଘର କରୋନା ଭୟାଭୟତା ପାଇଁ ସ୍ଥଗିତ ରଖାଯାଇଛି ।ପ୍ରଶାସନ ଏହି ଦୁଇ ଗ୍ରାମରେ ଆଶା ଓ ଅଙ୍ଗନବାଡିକୁ ଦାୟିତ୍ୱ ଦେଇ ଘଟଣାକୁ ଅଣଦେଖା କରୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ପାରିବାପଣିଆ ପଦାରେ ପଡିଛି ।ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ଦୁଇ ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ