ପ୍ରତିବାଦ ଦିବସକୁ ସଫଳ କରିବା ପାଇଁ ଶ୍ରମିକ ସଙ୍ଗଠନର ପ୍ରସ୍ତୁତି ବୈଠକ

ଦିଗପହଣ୍ଡି, (ୱାଇଏନ୍‌ଏସ୍‌): ଭାରତର ସମସ୍ତ ଶ୍ରମିକ ସଙ୍ଗଠନ ଗୁଡ଼ିକ ପକ୍ଷରୁ ଜୁଲାଇ ୦୩ ରେ ଡାକରା ଦିଆଯାଇଥିବା ସର୍ବଭାରତୀୟ ସ୍ତରରେ ପ୍ରତିବାଦ ଦିବସ ପାଳନ ପରିପ୍ରେକ୍ଷୀରେ ଦିଗପହଣ୍ଡି ସ୍ଥିତ ଶ୍ରମିକ ସଙ୍ଗଠନ ଏଆଇଟିୟୁସି,ସିଆଇଟିୟୁ ଏବଂ ଆଇଏନଟିୟୁସିର ଏକ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଦିଗପହଣ୍ଡି ପିଏଚଡି ରୋଡ଼ ସ୍ଥିତ ଶ୍ରମିକ ସଙ୍ଗଠନ ସିଆଇଟିୟୁ କାର୍ଯ୍ଯାଳୟରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଶ୍ରମିକ ନେତା ଅଶ୍ଵିନୀ କୁମାର ଦାସ ଅଧ୍ୟକ୍ଷତା କରିଥିଲେ ।ଅନୁଷ୍ଠିତ ଏହି ବୈଠକରେ ଶ୍ରମିକ ସଙ୍ଗଠନ ଏ ଆଇ ଟି ୟୁ ସି ର ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର, ସିପିଆଇ ଦିଗପହଣ୍ଡି ଶାଖା ସମ୍ପାଦକ ତପନ କୁମାର ମିଶ୍ର, ଗଞ୍ଜାମ ଜିଲା କଂଗ୍ରେସ କମିଟି ଉପସଭାପତି ତଥା ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ସିପିଆଇ(ଏମ୍) ନେତା କୁରେଶୁ ପଣ୍ଡା, ସୁଦର୍ଶନ ରାଜୁ ପ୍ରମୁଖ ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ଏଥିରେ ଗରିବ ମେହନତୀ ମଣିଷଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ୱ ନଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ଲକ୍ ଡାଉନ ସମୟସୀମା ବୃଦ୍ଧି କରାଯାଉଥିବା ଯୋଗୁଁ ଗଭୀର ଉଦବେଗ ପ୍ରକାଶ ପାଇଥିଲା। ଆୟକର ଦେଉନଥିବା ସମସ୍ତ ପରିବାରଙ୍କୁ ମାସିକ ୭୫୦୦ଟଙ୍କା ଲେଖାଏଁ ଅନ୍ତତଃ ୬ ମାସ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବୀ କରାଯାଇଥିଲା।ସେହିଭଳି ପେଟ୍ରୋଲ,ଡିଜେଲ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ବନ୍ଦ କରିବା, ରାଷ୍ଟ୍ରାୟତ ଶିଳ୍ପର ଅଂଶଧନ ବିକ୍ରି ଓ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ବନ୍ଦ କରାଯିବା, ଶ୍ରମ ଆଇନ ସଂଶୋଧନ ବାତିଲ କରିବା, ପ୍ରବାସୀ ଶ୍ରମିକଙ୍କ ସମେତ ସମସ୍ତ ଶ୍ରମିକ ମାନଙ୍କୁ ଦୈନିକ ୬୦୦ ଟଙ୍କା ହାରରେ ବର୍ଷକୁ ୨୦୦ ଦିନର ଏମଜି ଏନ୍ ଆର ଇ ଜି ଏସ ଯୋଜନାରେ କାମ ଯୋଗାଇ ଦେବା, ଠିକା ଚାଷୀ ଅଧ୍ୟାଦେଶ ଓ ଅତ୍ୟାବଶ୍ୟକ ଦ୍ରବ୍ୟ ସଂଶୋଧନ ଅଧ୍ୟାଦେଶ ବାତିଲ କରାଯିବା ଏବଂ ଦୈନିକ କାର୍ଯ୍ୟ ସମୟ ୮ ଘଣ୍ଟାରେ ସୀମିତ ରଖିବା ଭଳି ୮ ଦଫା ଦାବୀ ହାସଲ ନେଇ ଶ୍ରମିକ ସଙ୍ଗଠନ ଗୁଡ଼ିକ ପକ୍ଷରୁ ପାଳନ ହେବାକୁ ଥିବା ପ୍ରତିବାଦ ଦିବସର ସଫଳତା ଉପରେ ମଧ୍ୟ ସବିଶେଷ ଆଲୋଚନା କରାଯାଇଥିଲା।ସେହିଦିନ ଶ୍ରମିକ ସଙ୍ଗଠନ ମାନଙ୍କ ପକ୍ଷରୁ ମିଳିତ ଭାବେ ଦିଗପହଣ୍ଡି ବସଷ୍ଟାଣ୍ଡ ଠାରେ ସାମାଜିକ ଦୂରତ୍ୱ ବଜାୟ ରଖି ପ୍ରତିବାଦ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ