କାର କିଣିବାକୁ ୧୧ ଲକ୍ଷ ନକଲି ନୋଟ୍
ଜଣେ ଯୁବତୀଙ୍କ ଅଜବ ନିଶା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବତୀଙ୍କ ପାଖରେ କାର୍ କିଣିବା ପାଇଁ ଟଙ୍କା ନ ଥିଲା । କିନ୍ତୁ କାର କିଣିବାର ନିଶା ମୁଣ୍ଡରୁ ଖସି ନ ଥିଲା । ଖାସ୍ ଏଥିପାଇଁ ଯୁବତୀ ଜଣଙ୍କ ନିଜର ଇଚ୍ଛାକୁ ପୂରଣ କରିବାକୁ ନକଲି ନୋଟ୍ ଛପାଇଥିଲେ । ଶେଷରେ ଧରାପଡ଼ି ଏବେ ଜେଲର ଚାରିକାନ୍ଥ ମଧ୍ୟରେ ରହିଛନ୍ତି । ଏପରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଜର୍ମାନୀର କୈସରସ୍ଲାର୍ଟନର ଜଣେ ଯୁବତୀଙ୍କ କ୍ଷେତ୍ରରେ । ୨୦ ବର୍ଷୀୟା ଏହି ଯୁବତୀ ଜଣଙ୍କ ଏକ କାର କିଣିବାକୁ ଶୋ’ରୁମ୍ରେ ପହଞ୍ଚିଥିଲେ । ଯେଉଁ କାର ତାଙ୍କର ପସନ୍ଦ ଆସିଥିଲା ସେତିକି ପରିମାଣର ଟଙ୍କା ତାଙ୍କ ପାଖରେ ନ ଥିଲା । ତେଣୁ ସେ ଫେରିିଆସିଥିଲେ । ନିଜର ଇଚ୍ଛା ପୂରା କରିବାକୁ ସେ ଲାଗିପଡ଼ିଥିଲେ । ପରେ ଏକ ଟଙ୍କା ଛପା ମେସିନ କିଣି ସେଥିରେ କିଛି ନକଲି ନୋଟ୍ ଛାପିଥିଲେ । ୧୫ ହଜାର ୟୁରୋ ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୧୧ ଲକ୍ଷ ଟଙ୍କା ଛପାଇଥିଲେ । ଆଉ ଦିନେ ଯୁବତୀ ଜଣଙ୍କ ଶୋ’ରୁମ୍ରେ ପହଞ୍ଚି ଉକ୍ତ ଟଙ୍କା ଜମା କରିଥିଲେ । କିନ୍ତୁ ଶୋ’ରୁମ୍ର କର୍ମଚାରୀ ଗଣିବା ପରେ ଏହା ନକଲି ବୋଲି ଜଣାପଡ଼ିଥିଲା । ଏହା ପରେ ଶୋ’ରୁମ୍ର କର୍ମଚାରୀ ପୋଲିସକୁ ଖବର ଦେବାରୁ ପୋଲିସ ପହଞ୍ଚି ଯୁବତୀଙ୍କୁ ଗିରଫ କରି ଜେଲ୍ ପଠାଇଛି । ନୋଟ୍ଗୁଡ଼ିକ ଇଙ୍କ୍ଜେଟ୍ ପ୍ରିଣ୍ଟରରେ ଛପା ହୋଇଥିବା ପୋଲିସ କହିଛି ।


