ମାମଲା ବଢୁଛି ହେଲେ ଅଭିଯୁକ୍ତ ଧରା ପଡୁନି

ଦିଗପହଣ୍ଡି : ଦିଗପହଣ୍ଡି ଥାନାଞ୍ଚଳରେ ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଅପରାଧି ମାନେ ପୋଲିସର ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ଜଣାପଡିଛି । ଗତ ଫେବୃୟାରୀ ମାସ ଠାରୁ ଅଦ୍ୟାବଧି ଥାନାରେ ୧୩୦ ଗୋଟି ମାମଲା ରୁଜୁ ହୋଇଥିବା ବେଳେ କେବଳ ମାର୍ଚ୍ଚ, ଅପ୍ରେଲ, ମଇ, ଜୁନ୍ ଏବଂ ଜୁଲାଇ ମଙ୍କସର ଆଜି ସୁଦ୍ଧା ୧୦୦ ଗୋଟି ମାମଲା ଥାନାରେ ରୁଜୁ ହୋଇଥିବା ଜଣାପଡିଛି । ଅଧିକାଂଶ ସଂଗିନ ମାମଲାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିିବାରେ ପୋଲିସ ବିଫଳ ହୋଇଥିବା ବେଳେ ମଦ ଏବଂ ଗଞ୍ଜେଇ ବେଆଇନ ଚାଲାଣ ଚଢାଉ କରି ପୋଲିସ ବାହା ବାହା ନେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସେହିପରି ଗଞ୍ଜେଇ ଜବତ କରାଗଲେ ମଧ୍ୟ କମ୍ ସଂଖ୍ୟକ ଗଞ୍ଜେଇ ଜବତ ଏବଂ ବେଳେ ବେଳେ ଅଭିଯୁକ୍ତ ଆଦୌ ଗିରଫ ନଥିବା ଘଟଣାରୁ ପୋଲିସର ସାଧୁତା ନେଇ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ସାଧାରଣରେ ସମାଲୋଚନା ହେଉଛି । ଚଳିତ ବର୍ଷ ସାଧାରଣ ନିର୍ବାଚନକୁ ନିରପେକ୍ଷ କରିବା ପାଇଁ ପୋଲିସ ସ୍ତରରେ ଅଦଳବଦଳ କରାଯାଇଥିଲା । ଦିଗପହଣ୍ଡି ଥାନାରେ କାର୍ଯ୍ୟ କରି ଆସିଥିବା ବହୁ ଦବଙ୍ଗ ଅଫିସର୍ ମାନଙ୍କୁ ଅନ୍ୟତ୍ର ବଦଳି କରାଯାଇ ସେଠାରେ ନୂତନ ଥାନାଧିକାରୀ ଭାବେ ଗୌରାଙ୍ଗ ସାହୁଙ୍କୁ ନିଯୁକ୍ତି କରାଯାଇଥିଲା । ହେଲେ ଉକ୍ତ ଅଧିକାରୀଙ୍କୁ ଅପରାଧି ମାନେ ଖାତିର କରୁନଥିବା ବେଳେ ବେଧଡକ ନିର୍ଭୟରେ ଅପରାଧ ମାନ ଘଟୁଛି ବୋଲି ଚର୍ଚ୍ଚା ହେଉଛି । ଗତ ଫେବୃୟାରୀ ୨୬ରେ ଦିଗପହଣ୍ଡି ଥାନା ଅଧିନସ୍ଥ ପଦ୍ମନାଭପୁର ଗ୍ରାମର କ୍ରସର୍ ମାଲିକ ଟି.କାଳିଆ ରାଓଙ୍କୁ ଦାଦାବଟି ଏବଂ ପୂର୍ବଶତୃତାକୁ କେନ୍ଦ୍ର କରି କିଛି ଅପରାଧି ସଂଘବଦ୍ଧ ଆକ୍ରମଣ କରିଥିଲେ । ଏନେଇ ଦିଗପହଣ୍ଡି ଥାନାରେ କେସନଂ ୨୩ା୧୯ରେ ମାମଲା ରୁଜୁ ହୋଇଥିବା ବେଳେ ଅଦ୍ୟାବଧି ପ୍ରକୃତ ଷଡଯନ୍ତ୍ରକାରୀ ଗିରଫ ହୋଇନଥିବା ବେଳେ ପୋଲିସ କେବଳ ଜଣଙ୍କୁ ଗିରଫ କରି ଚୁପ୍ ହୋଇ ବସିଛି । ସେହିପରି ମାର୍ଚ୍ଚ ୧୧ରେ ଭିଷ୍ମଗିରୀ ଗ୍ରାମର ଏକ ସ୍କୁଲର ପ୍ରଧାନ ଶିକ୍ଷକ ମନୋଜ ନାୟକଙ୍କୁ ପୂର୍ବ ଶତୃତାକୁ କେନ୍ଦ୍ର କରି ବ୍ଲେଡ୍ରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଘଟଣାରେ ପୋଲିସ କେସନଂ ୪୨ା୧୯ରେ ଏକ ମାମଲା ରୁଜୁ କରି ଜଣଙ୍କୁ ଗିରଫ କରିଥିବା ବେଳେ ସହଯୋଗୀ ମାନଙ୍କୁ ଗିରଫ କରିପାରିନାହିଁ । ଗତ ଅପ୍ରେଲ ୪ରେ ଗୁହାଳପୁର ଗ୍ରାମ ଶେଷ ମୁଣ୍ଡରେ ଥିବା ଏକ ପୋଖରୀ ମଧ୍ୟରୁ ନର କଙ୍କାଳ ଠାବ କରାଯାଇଥିଲା । ଗ୍ରାମର ଦୀର୍ଘ ଦିନ ଧରି ଲାପତା ଥିବା କାଳୁ ପ୍ରଧାନଙ୍କ ଶବ ବୋଲି ତାଙ୍କ ବାପା କାଶୀ ପ୍ରଧାନ ଏବଂ ତାଙ୍କ ପତ୍ନୀ ଚିହ୍ନଟ କରିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ପରେ କେହି ହତ୍ୟା କରିଦେବା ପରେ ପୋଖରୀରେ ଅଖା ବସ୍ତା ମଧ୍ୟରେ ଖଣ୍ଡ ବିଖଣ୍ଡିତ ଶବ ଫୋପାଡିଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଉକ୍ତ ପୋଖରୀର ଉନ୍ନତି କରଣ କାର୍ଯ୍ୟଚାଲୁଥିବା ବେଳେ ପାଣି ପମ୍ପ ଦ୍ୱାରା ପାଣି ଶୁଖାଯାଉଥିବା ବେଳେ ନର କଙ୍କାଳ ଠାବ ହୋଇଥିଲା । ସେଥିରେ ଗୋଡରେ ଲୁହା ପ୍ଲେଟ୍ ପଡିଥିବା ଦେଖି ଗ୍ରାମର କାଳୁ ପ୍ରଧାନଙ୍କ ଶବ ବୋଲି ଠାବ ହୋଇଥିଲା । ପରବର୍ତ୍ତୀ ସମୟରେ ପୋଲିସ ଅପମୃତ୍ୟୁରୁ ହତ୍ୟା ମାମଲାକୁ ପରିବର୍ତ୍ତନ କରି ତଦନ୍ତ ଚଳାଇଥିଲେ ହେଁ ଅଦ୍ୟାବଧି ମାମଲାରେ କାହାରିକୁ ଗିରଫ ତ କରିବା ଦୂରର କଥା ତଦନ୍ତ ପ୍ରକ୍ରିୟାକୁ ମଧ୍ୟ ବନ୍ଦ କରିଦେଇଥିବା ଜଣାପଡିଛି । ଅପ୍ରେଲ ୧୦ରେ ଅଞ୍ଚଳ କଲୋନୀ ରାଜପୁର ରୋଡ୍ରେ ରହୁଥିବା ଜଣେ ମହିଳା ପୋଲିସଙ୍କ ଘରେ କେହି ନଥିବା ସମୟରେ ଦୃବୃତ୍ତ ମାନେ କଳାକନା ବୁଲାଇଥିଲେ । ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲେ ହେଁ ଚୋର ମାନଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଛି । ଅପ୍ରେଲ ୨୦ରେ ସିଦେ୍ଧଶ୍ୱର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଚରଣ ପଣ୍ଡାଙ୍କ ଠାରୁ ଜଣେ ବ୍ୟକ୍ତି କୌଣସି କାର୍ଯ୍ୟରେ ୧ ହଜାର ଟଙ୍କାର କାନାରା ବ୍ୟାଙ୍କ୍ ର ଚେକ୍ ନେଇଥିଲେ । ଘରୁ ଯିବା ପରେ ଉକ୍ତ ଚେକ୍ରେ ୧ ହଜାର ପୂର୍ବରୁ ୨ଲକ୍ଷ ଟଙ୍କା ଉଲ୍ଲେଖ କରି ବ୍ୟାଙ୍କ୍ରୁ ୨ ଲକ୍ଷ ୧ ହଜାର ଟଙ୍କା ଉଠାଇନେଇଯାଇଥିଲେ । ବ୍ୟାଙ୍କ୍ ଖାତାରୁ ହଠାତ୍ ୨ ଲକ୍ଷ ଟଙ୍କା କଟିଯିବା ଦେଖି ଶିକ୍ଷକ ଜଣକ ପୋଲିସର ସହାୟତା ନେଇଥିଲେ । ଥାନାରେ ମାମଲା ରୁଜୁ କରାଯାଇଥିଲେ ହେଁ ଉକ୍ତ ଠକଙ୍କୁ ପୋଲିସ ଠାବ କରିବାରେ ବିଫଳ ହୋଇଛି । ଗତ ମଇ ୭ରେ ସାମନ୍ତରାପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ ନିଜ ପେନସନ ଟଙ୍କା ଦିଗପହଣ୍ଡି ଷ୍ଟେଟ୍ ବ୍ୟାଙ୍କରୁ ଉଠାଇ ଦିଗପହଣ୍ଡି ବସଷ୍ଟାଣ୍ଡ୍ ଅଭିମୂଖେ ଯିବା ସମୟରେ ଦୃବୃତ୍ତ ମାନେ ଆସି ବ୍ୟାଗ୍ରେ ଥିବା ନଗଦ ୨୦ ହଜାର ଟଙ୍କା ଝାମ୍ପି ନେଇଯାଇଥିଲେ । ବରିଷ୍ଠ ନାଗରିକଙ୍କୁ ବିଚ୍ ରାସ୍ତା ଉପରେ ମାଡ ମାରି ଟଙ୍କା ଛଡାଇ ନେବା ଘଟଣା ଅଦ୍ୟାବଧି ଲୋକଙ୍କ ମନରୁ ଲିଭିନଥିବା ବେଳେ ପୋଲିସ କେବଳ ମାମଲା ଟିଏ ରୁଜୁ କରି ଚୁପ୍ ବସିଥିବା ଜଣାପଡିଛି । ଗତ ଜୁନ୍ ମାସରେ ରଘୁନାଥପୁର ଗ୍ରାମର ଜଣେ ବୃଦ୍ଧା ଜେମା ଦାସ ଏବଂ ତାଙ୍କ ଝିଅ ଘରେ ଥିବା ବେଳେ ପଡୋଶୀ ଘର ଜଣେ ଯୁବକ ଘରେ ପଶି ଅସଦାଚରଣ କରିବା ସହିତ ମାଡ ମାରିଥିଲେ । ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲେ ହଁ ପୋଲିସ ଜଣଙ୍କୁ ଗିରଫ କରି ଚୁପ୍ ବସିଥିବା ବେଳେ ଉକ୍ତ ଏତଲାକାରୀଙ୍କୁ ସୁରକ୍ଷା ଦେବାରେ ପୋଲିସ ବିଫଳ ହୋଇଥିବାରୁ ସର୍ବଦା ଆକ୍ରୋଷର ଶୀକାର ହେବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି । ଗତ ଜୁନ୍ ୧୧ରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗ୍ରାମର ବାପା ଜି.ଯୋଗେନ୍ଦ୍ର ରେଡ୍ଡି ଏବଂ ତାଙ୍କ ପୁଅ ରାଜେଶଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ଉକ୍ତ ମାମଲାରେ ମଧ୍ୟ ପୋଲିସ ହାତ ଖାଲି ପଡିଥିବା ବେଳେ ଗତ ଜୁନ୍ ୧୫ରେ ବନ୍ଥପଲ୍ଲୀ ଗ୍ରାମର ସରପଞ୍ଚ ପ୍ରଶାନ୍ତ ସ୍ୱାଇଁଙ୍କୁ ଦାଦାବଟି ନେଣ ଦେଣକୁ କେନ୍ଦ୍ର୍ର କରି ଅପରାଧି ମାନେ ହତ୍ୟା ଉଦ୍ୟମ କରିଥିଲେ । ଅଭିଯୁକ୍ତ ମାନେ ବୋମା ପକାଇବାକୁ ଯାଉଥିବା ବେଳେ ବୋମାଟି ଅଭିଯୁକ୍ତଙ୍କର ହାତରେ ଫୁଟିଯାଇ ପାପୁଲି ଉଡିଯାଇଥିଲା । ଘଟଣାରେ ପୋଲିସ ଆହତ ହେବା ସମୟରେ ଦୁଇ ଅଭିଯୁକ୍ତ ସଞ୍ଜୟ ଗୌଡ ଏବଂ ହରିଶ୍ଚନ୍ଦ୍ର ଗୌଡଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର୍ ରହିଥିବା ଜଣାପଡିଛି । ସେହିପରି ଜୁନ୍ ୧୭ରେ ବାସୁଦେବପୁର ଗ୍ରାମର ପ୍ରକାଶ ମଳିକଙ୍କୁ ଘରୁ ଡାକି ନେଇ ଦୃବୃତ୍ତ ମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । କୁକୁଡାଖଣ୍ଡି ବାଉଁଶିଆପଲ୍ଲୀ ଜଙ୍ଗଲର ଏକ ନାଳରୁ ପ୍ରକାଶଙ୍କ ଶବ ଠାବ କରାଯିବା ପରେ ପୋଲିସ ମାମଲା ରୁଜୁ କରିଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ପୋଲିସ ଘଟଣାରେ ୨ ଜଣଙ୍କୁ ଗିରଫ କରିଥିଲେ ହେଁ ମୁଖ୍ୟ ଆସାମୀ ଏଯାବତ୍ ଫେରାର୍ ରହିଥିବା ଚର୍ଚ୍ଚା ହେଉଛି । ସେହିପରି ଜୁଲାଇ ୧୬ରେ ଦାଦାବଟି କେନ୍ଦ୍ର କରି ମହୁଡା ସ୍ଥିତ ଏକ ମାର୍ବଲ ପଥର କମ୍ପାନୀର କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏନେଇ ମାଲିକ ଜିତେନ୍ଦ୍ର ସିଂ ଶେଖାୱତ୍ ଥାନାରେ ଏତଲା ଦେବା ପରେ ପୋଲିସ କେସନଂ ୧୨୭ା୧୯ରେ ଏକ ମାମଲା ସିନା ରୁଜୁ କରିଛି ହେଲେ ଦାଦାବଟି ମାଗିବାକୁ ପଠାଇଥିବା ମୁଷ୍ଟିମେୟ ବ୍ୟକ୍ତି ବିଶେଷଙ୍କୁ ଗିରଫ କରିପାରିନଥିବା ଆଲୋଚନା ହେଉଛି । ଗତ ୧୮ ଜୁଲାଇ ସନ୍ଧ୍ୟାରେ ଦିଗପହଣ୍ଡି ସହର ପୁଞ୍ଜୁିକୟାଁ ଛକରେ ଜନଗହଳିପୂର୍ଣ୍ଣ ରାସ୍ତା ଉପରେ କଲ୍ୟାଣପୁର ଗ୍ରାମର ଉମାକାନ୍ତ ଗୌଡ ତାଙ୍କ ଜ୍ୱାଇଁ ସଞ୍ଜୟ ଗୌଡଙ୍କୁ ପେଟରେ ଛୁରା ମାରି ଅନ୍ତ ବୁଜୁଳା ବାହାର କରିଦେଇଥିଲେ । ସଞ୍ଜୟ ନିଜ ଇଚ୍ଛାରେ ପ୍ରେମ ବିବାହ କରିଥିବାରୁ ଆକ୍ରୋଷ ମୂଳକ ଭାବେ ଉମାକାନ୍ତ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ଉକ୍ତ ଘଟଣାରେ ମଧ୍ୟ ପୋଲିସ ଚୁପ୍ ବସିଥିବା ବେଳେ ଜୁଲାଇ ୨୦ରେ କଲ୍ୟାଣପୁର ତୋଟାରୁ ପ୍ରେମୀ ଯୁଗଳଙ୍କ ଶବ ଠାବ କରାଯାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନୁଯାୟୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଥିଲେ ହେଁ ପ୍ରେମ ବ୍ୟାପାରକୁ ପରିବାର ବର୍ଗ ସହମତି ପ୍ରକାଶ ନକରିବାରୁ ଅନର୍ କିଲିଂ ଘଟିଥିବାନେଇ ମଧ୍ୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ସେହିପରି ଜୁଲାଇ ୨୧ରେ ଯୁକ୍ତ ୨ କଲେଜ ପଢୁଆ ଛାତ୍ରୀ ଜଣେ କଲେଜକୁ ଯାଇ ଆଉ ଫେରିନଥିଲେ । କେହି ଅପହରଣ କରି ନେଇଯାଇଥିବା ନେଇ ଥାନାରେ ୧୩୦ା୧୯ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅପହୃତାଙ୍କ କୌଣସି ଟେର୍ ମିଳିନଥିବା ଜଣାପଡିଛି । ଜୁଲାଇ ୭ରେ ନୂଆ ମୌଳାଭଣଞ୍ଜା ଗୋପବନ୍ଧୁ ନଗରର ଆପ୍ପା ରାଓ ଆଚାରୀ ବ୍ୟାଙ୍କ୍କୁ ଆସି ଟଙ୍କା ଉଠାଇ ଫେରିବା ସମୟରେ ଅଭିନବ ଉପାୟରେ ଦୃବୃତ୍ତ ମାନେ ନଗଦ ୬ ହଜାର ଟଙ୍କା ଲୁଟି ନେଇଯାଇଥିଲେ । ଥାନାଞ୍ଚଳରେ ଦିନକୁ ଦିନ ଲୁଟ୍ ରାହାଜାନୀ ଅପହରଣ ହତ୍ୟା ଉଦ୍ୟମ ହତ୍ୟା ଆଦି ନିର୍ଭୟରେ ଅପରାଧ ମାନେ ଘଟଇଚାଲୁଥିବା ବେଳେ ପୋଲିସର ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ହେତୁ ଅପରାଧି ମାନଙ୍କୁ ଜାମିନରେ ମୁକୁଳିବା ପାଇଁ ପୋଲିସ ପ୍ରଶୟ ଦେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କୌଣସି ଅପରାଧ ଘଟିଲେ ଅପରାଧିଙ୍କ ସମ୍ପୃକ୍ତ ଥିବା ପୋଲିସ ଜାଣିଥିଲେ ମଧ୍ୟ ତୁରନ୍ତ ଗିରଫ କରାଯାଉନଥିବାରୁ ଅପରାଧି ମାନେ ନିଜ ନିଜର ଓକିଲ ମାନଙ୍କ ଜରିଆରେ ଅଗ୍ରୀମ ଜାମିନ କିମ୍ବା ହାଇକୋର୍ଟରୁ ଜାମିନରେ ଆସିବା ପାଇଁ ସୁବିଧା ରାସ୍ତା ପାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଦିନକୁଦିନ ଦିଗପହଣ୍ଡି ଥାନାଞ୍ଚଳରେ ହିଂସାକାଣ୍ଡ ଆଦି ବୃଦ୍ଧି ପାଉଥିବା ବେଳେ ତା ସାଙ୍ଗକୁ ତାଳ ଦେଇ ଥାନାର ଏତଲା ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ହେଲେ ଅପରାଧି ମାନଙ୍କ ଗିରଫ ନେଇ ସେତେଟା ଗୁରୂତ୍ୱ ଦିଆଯାଉନାହିଁ ବୋଲି ଆଲୋଚନା ହେଉଛି । ପୋଲିସ କେବଳ ମାସିକ ଟାର୍ଗେଟ୍ ପୁରଣ କରିବା ପାଇଁ ଦେଶୀ ବିଦେଶୀ ମଦ ଜବତ ଏବଂ ହେଲମେଟ୍ ଚେକିଂ କରି କାମ ସାରିଦେଉଥିବା ବେଳେ ନିୟମିତ ପାଟ୍ରୋଲିଂ ହେଉନଥିବା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ କୋହଳ ମନଭାବ ପୋଷଣ ହେତୁ ଅପରାଧି ମାନେ ଏବେ ବେଫିକର୍ ହୋଇଯାଇଥିବା ସହରରେ ସମାଲୋଚନା ହେଉଛି । ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହିତ ପୁନଶ୍ଚ ଦବଙ୍ଗ ପୋଲିସ ଅଧିକାରୀ ମାନଙ୍କୁ ନିଯୁକ୍ତି କରିବା ପାଇଁ ବିଭିନ୍ନ ମହଲରେ ଦାବୀ ହୋଇଛି । ଶୁଣିବାକୁ ମିଳୁଛି ଯେ, ସମ୍ପ୍ରତ୍ତି ପୋଲିସ ବିଭାଗରେ ପୁଣି ଅଦଳ ବଦଳ ହେଉଛି । ଏଣୁ ଏଥିପାଇଁ ତଦନ୍ତକାରୀ ଅଧିକାରୀ ମାନେ ସ୍ଥାନାନ୍ତର ସମୟରେ କୌଣସି ପ୍ରକାର ରିସ୍କ୍ ନେବାକୁ ନଚାହିଁ ଗୁରୂତ୍ୱ ଦେଉନାହାନ୍ତି । ଲମ୍ବା ଲମ୍ବା ଚାର୍ଜ ସିଟ୍ ଲେଖି କୋର୍ଟ ଚକ୍କର କାଟିବା ଅପେକ୍ଷା କମ୍ପ୍ରମାଇଜ୍ରେ କାମ ଶେଷ କରିବା ପାଇଁ ଅଭିଯୁକ୍ତ ଏବଂ ଏତଲାକାରୀ ମାନଙ୍କୁ ଚାପ ପକାଉଥିବା ବେଳେ ଅପରାଧି ମାନଙ୍କୁ ପୋଲିସର ଏଭଳି କାର୍ଯ୍ୟକଳାପ ସୁହାଉଥିବା ନେଇ ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ