ଆନ୍ତର୍ଜାତିକ ଚା’ଦିବସ
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଭୋର୍ ନ ହେଉଣୁ ଷ୍ଟେଟବ୍ୟାଙ୍କ ଛକରେ ଆରମ୍ଭ ହୋଇଯାଏ ଚା’ ଆସର । କାହା ହାତରେ ସାଇକେଲ ଓ ମୋଟରସାଇକେଲ,କିଏ ସକାଳ ମନିଙ୍ଗ ୱର୍କ, ଆଉ କିଏ ଅଫିସ୍ ଯିବା ପୂର୍ବରୁ ଦୁଇ ମିନିଟ୍ ଅଟକି ଯାଏ ଗୋଟିଏ ଚା’ କପ୍ ପାଇଁ । ସମସ୍ତେ ମୁହାଁନ୍ତି ଷ୍ଟେଟବ୍ୟାଙ୍କ ଛକର ଶିବ ଭାଇଙ୍କ ଚା’ ଦୋକାନକୁ । ଚା’ର ବାମ୍ଫ ସହ ଏଠାରେ ଉଠେ ଦେଶବିଦେଶର ପ୍ରସଙ୍ଗ। କେବଳ ଚା’ ନୁହେଁ, ଏହି ଦୋକାନ ଏବେ ଲୋକମାନଙ୍କ ଭାବନା, ସମ୍ପର୍କ ଓ ସାମାଜିକ ଜୀବନର ଏକ ଅଭିନ୍ନ ଅଂଶ ପାଲଟିଯାଇଛି ।ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ଷ୍ଟେଟବ୍ୟାଙ୍କ ଛକରେ ଥୁବା ଏହି ଛୋଟ ଚା’ ଦୋକାନରେ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୬ଶହରୁ ଅଧିକ ଲୋକ ଚା’ ପିଉଛନ୍ତି। ଦିନମଜୁରିଆ, ଚାଷୀ, ଡ୍ରାଇଭର, ଦୋକାନୀ, ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭକରି ଅଞ୍ଚଳର ରାଜନୈତିକ ଲୋକଙ୍କର ପସନ୍ଦ ହେଉଛି ଶିବ ଭାଇଙ୍କ ହାତର ଚା’। ସକାଳେ ଗୋଟିଏ କପ୍ ଚା’ ପିଇ ଚାଷୀ ଭାଇ କ୍ଷେତକୁ ଯାଏ । ଦିନମଜୁରିଆ କାମରେ ବାହାରେ ।ସରକାରୀ କର୍ମଚାରୀ ଅଫିସକୁ ବାହାରନ୍ତି । ସନ୍ଧ୍ୟାରେ ଘରକୁ ଫେରିବା ପୂର୍ବରୁ ପୁଣି ସେହି ଚା’ ଦୋକାନରେ ଜମିଯାଏ ଭିଡ଼। ଯେପରି ଚା’ ନ ପିଇଲେ ଦିନଟା ଅଧୂରା ରହିଯାଏ । ସନ୍ଧ୍ୟା ହେଲେ ଷ୍ଟେଟବ୍ୟାଙ୍କ ଛକ ପାଲଟିଯାଏ ଏକ ଛୋଟ ଲୋକସଭା । ଚା’ କପ୍ ସହ ଆରମ୍ଭ ହୁଏ ରାଜନୀତି, ଅର୍ଥନୀତି, କୃଷି ସମସ୍ୟା, ପେଟ୍ରାଲ ଦର ବୃଦ୍ଧି, ଗାଁର ବିକାଶ ଠାରୁ ଆରମ୍ଭ କରି ଦେଶ ବିଦେଶର ଖବର ପର୍ଯ୍ୟନ୍ତ ଆଲୋଚନା । ନିର୍ବାଚନ ସମୟରେ ତ ଏହି ଚା’ ଖଟି ପାଲଟିଯାଏ ‘ଏକ୍ଜିଟ୍ ପାଲ୍ ସେଣ୍ଟର । କିଏ ଜିତିବ, କିଏ ହାରିବ ତାହାର ବିଶ୍ଳେଷଣ ଏଠାରେ ଆଗରୁ ଆରମ୍ଭ ହୋଇଯାଏ । ଏହି ସବୁରି ମଝିରେ ରହନ୍ତି ଶିବ ମୁଦୁଲି( ଶିବ ଭାଇ)। ମୁହଁରେ ସବୁବେଳେ ହସ, ହାତରେ ଗରମ ଚା’ କପ୍, ଆଉ ମନରେ ସମସ୍ତଙ୍କ ପାଇଁ ଆତ୍ମୀୟତା । ଭୋର ୪ଟାରୁ ଉଠି ନିତ୍ୟକର୍ମ ସାରି ସକାଳ ୫ଟା ବେଳକୁ ଚା’ ପ୍ରସ୍ତୁତ କରିଦିଅନ୍ତି ସେ । ରାତି ୧୦ଟା ପର୍ଯ୍ୟନ୍ତ ଦୋକାନରେ ଲାଗି ରହିଥାଏ ତାଙ୍କ ପରିଶ୍ରମ । ବର୍ଷ ପରେ ବର୍ଷ ଧରି ସେ କେବଳ ଚା’ ବିକ୍ରି କରୁ ନାହାନ୍ତି, ଲୋକମାନଙ୍କ ସହ ଗଢ଼ିଛତି ଭରସାର ସମ୍ପର୍କ । ସ୍ଥାନୀୟ ଲୋକଙ୍କ କହିବା କଥା ଶିବ ଭାଇଙ୍କ ଚା’ର ସ୍ବାଦ ଯେତେ ଭଲ, ତାଙ୍କ ବ୍ୟବହାର ତାଠାରୁ ଆହୁରି ମିଠା ।


