ପାକିସ୍ତାନ ବୈଦେଶିକ ମନ୍ତ୍ରୀ କୋରୋନା ଆକ୍ରାନ୍ତ
ଇସଲାମାବାଦ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ କୋରୋନାରେ ସଂକ୍ରମିତ ହୋଇଥିଲେ ବି ଘରେ ରହି ଅଫିସ୍ କାର୍ଯ୍ୟ କରିବେ। କୋରୋନା ସଂକ୍ରମଣ ସତ୍ତ୍ବେ ସେ ନିଜକୁ ସୁସ୍ଥ ମନେ କରୁଛନ୍ତି। ଆଲ୍ଲାଙ୍କ କୃପାରୁ ସେ ଶୀଘ୍ର ସୁସ୍ଥ ହେବା ନେଇ ଆଶା ପୋଷଣ କରିବା ସହ ଅନ୍ୟମାନଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି। କୁରେଶୀ କହିଛନ୍ତି ଯେ ସେ ଅସୁସ୍ଥ ଅନୁଭବ କରିବା ପରେ ନିଜେ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି। କୋରୋନା ରିପୋର୍ଟ ପଜିଟିଭ ଆସିଥିବାରୁ ସେ ସୁସ୍ଥ ହେବା ପର୍ଯ୍ୟନ୍ତ ଘର ଭିତରେ ରହିବେ ବୋଲି ଟ୍ବିଟ ଯୋଗେ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ପାକିସ୍ତାନରେ ମଧ୍ୟ କୋରୋନା ସଂକ୍ରମଣ ବେଳକୁ ବେଳ ଗମ୍ଭୀର ହେବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ପାକିସ୍ତାନରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୧ ହଜାର ପାର କରିଛି। ସେହିପରି ଭାବେ ପାକିସ୍ତାନରେ କୋରୋନାଜନିତ ପ୍ରାଣହାନି ମଧ୍ୟ ୪ ହଜାର ୫ ଶହ ଟପିଛି। କୋରୋନା ସଂକ୍ରମଣ ପାଇଁ ଏସୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ବର୍ତ୍ତମାନ ନମ୍ବର-୧ ସଂକ୍ରମିତ ରାଷ୍ଟ୍ର ହୋଇଛି। ଭାରତ ପଛକୁ ପାକିସ୍ତାନ ସଂକ୍ରମଣ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି।


