ଓଡ଼ିଶା ପୁଲିସକୁ ପ୍ରଶଂସା କଲେ ମୁଖ୍ୟ ସଚିବ

ଭୁବନେଶ୍ୱର: କନ୍ଧମାଳ ତୁମୁଡ଼ିବନ୍ଧରେ ଏନକାଉଣ୍ଟରରେ ୪ ମାଓବାଦୀ ନିହତ ହେବା ଘଟଣାରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଓଡ଼ିଶା ପୁଲିସକୁ ପ୍ରଶଂସା କରିଛନ୍ତି । ଓଡ଼ିଶା ପୁଲିସର ଯବାନ ଓ ଅଫିସରଙ୍କୁ ଶ୍ରୀ ତ୍ରିପାଠୀ ଏନେଇ ଅଭିନନ୍ଦନ ଜଣାଇଛନ୍ତି । ୪ ମାଓବାଦୀ ନିହତ ହେବା ନେଇ ଶ୍ରୀ ତ୍ରିପାଠୀ ସ୍ପଷ୍ଟ କରିବା ସହ ଯବାନ ଓ ଅଫିସରଙ୍କ ସାହସିକ କାର୍ଯ୍ୟାନୁଷ୍ଠାନ ପ୍ରଶଂସନୀୟ ବୋଲି କହିଛନ୍ତି । ଏପରି ଅଭିଯାନ ଆମ ରାଜ୍ୟର ବିକାଶକୁ ଉତ୍ସାହିତ କରିବ ଓ ବଳ ଦେବ ବୋଲି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କହିଛନ୍ତି । ଆଜି ସକାଳେ କନ୍ଧମାଳ ତୁମୁଡ଼ିବନ୍ଧରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତୁମୁଡ଼ିବନ୍ଧ ଥାନାର ଶିର୍ଲା ଜଙ୍ଗଲରେ ଗୁଳିବିନିମୟ ହୋଇଥିଲା । ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ୩ ଇନସାସ ରାଇଫଲ, ୧ ଦେଶୀ ବନ୍ଧୁକ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଆଜି ଭୋରରୁ ଡିଭିଏଫ ଓ ଏସଓଜି ଯବାନମାନେ ଅପରେସନ କରିଥିଲେ । ଗୁଇନ୍ଦା ସୂଚନା ଆଧାରରେ ମାଓ କ୍ୟାମ୍ପ ଉପରେ ଆକ୍ରମଣ ହୋଇଥିଲା । ନିହତ ମାଓବାଦୀଙ୍କ ଉପରେ ରାଜ୍ୟ ସରକାର ପୁରସ୍କାର ରାଶି ଘୋଷଣା କରିଥିଲେ । ପ୍ରକାଶ ଯେ, ଚଳିତ ସପ୍ତାହରେ ଓଡ଼ିଶା ପୁଲିସ ଅଧୀନରେ ଥିବା ଏକ ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ (ଏସଓଜି) କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ସମରବନ୍ଧା ଜଙ୍ଗଲ ଅଞ୍ଚଳରେ ଚାଲିଥିବା ଏକ ମାଓବାଦୀ ଶିବିରକୁ ଧ୍ବଂସ କରିଥିବା ଜଣାଯାଇଥିଲା। ଏସଓଜି ଟିମ୍ କ୍ୟାମ୍ପରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଲଦାପଦର ରିଜର୍ଭ ଜଙ୍ଗଲ ପରିସରରେ ସ୍ଥାପିତ ଶିବିରରେ ୫ଜଣ ମହିଳା ମାଓବାଦୀଙ୍କ ସମେତ ପ୍ରାୟ ୧୫-୨୯ ଜଣ ମାଓବାଦୀ ଉପସ୍ଥିତ ଥିଲେ। ଏସଓଜି ଟିମ୍ ସେମାନଙ୍କୁ ଧରିବା ପାଇଁ ଜୁନ୍ ୨୯ ତାରିଖରେ ଜଙ୍ଗଲରେ ଏକ ଅପରେସନ୍ ଆରମ୍ଭ କରିଥିଲେ । ତେବେ ସମସ୍ତ ମାଓବାଦୀମାନେ ଘଞ୍ଚ ଜଙ୍ଗଲରେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ। ତେବେ ଘଟଣାସ୍ଥଳରୁ ପାରାମିଲିଟାରୀ ୟୁନିଟ୍ ୟୁରିଆ, ବନ୍ଧୁକ ଏବଂ ଅନ୍ୟାନ୍ୟ ବିସ୍ଫୋରକ ପଦାର୍ଥ ସହିତ ୧୫ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଛି। ସର୍ଚ୍ଚ ଅପରେସନକୁ ଜୋରଦାର କରି ଏସଓଜି ଟିମ୍ ୨୮ଟି ଡିଟୋନେଟର, ମଲ୍ଟିମିଟର, ବ୍ୟାଗ, ବ୍ଲାକ୍ କ୍ୟାପ୍, ରିଚାର୍ଜ ଯୋଗ୍ୟ ବ୍ୟାଟେରୀ, କ୍ୟାମ୍ପ ଉପକରଣ, ମାଓବାଦୀ ବ୍ୟାନର, ପୋଷ୍ଟର ଏବଂ ସାହିତ୍ୟ ଉଦ୍ଧାର କରିଥିଲେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ