ଚଳିତ ଶିକ୍ଷାବର୍ଷରୁ ଫୁସ୍‌ଫୁସ୍ ରୋଗ ଔଷଧୀୟ ପାଠ୍ୟକ୍ରମ ଖୋଲିବ ଏସ୍‌ସିବିରେ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲ୍ ଏସ୍‌ସିବିରେ ଫୁସ୍‌ଫୁସ୍ ରୋଗ ସମ୍ବନ୍ଧୀୟ ଉଚ୍ଚସ୍ତରୀୟ ପାଠ୍ୟକ୍ରମ ଖୋଲିବ । ଏଥିପାଇଁ ଭାରତୀୟ ମେଡିକାଲ୍ କାଉନ୍‌ସିଲ୍ ଅନୁମତି ପ୍ରଦାନ କରିଛନ୍ତି । ଶ୍ୱାସକ୍ରିୟାଜନିତ ଚିକିତ୍ସା କ୍ଷେତ୍ରରେ ଫୁସ୍‌ଫୁସ୍ ରୋଗ ସମ୍ବନ୍ଧୀୟ ଔଷଧୀୟ ପାଠ୍ୟକ୍ରମର ଉଚ୍ଚତର ଶିକ୍ଷା ଏସ୍‌ସିବିରେ ଉପଲବ୍ଧ ହେବ । ଚଳିତ ୨୦୨୦-୨୧ ଶିକ୍ଷାବର୍ଷରୁ ଏଥିପାଇଁ ଦୁଇଟି ସ୍ଥାନ ସଂପୃକ୍ତ ସୁପର ସ୍ପେସାଲିଟି ବିଭାଗରେ ଖୋଲାଯିବ । ଦେଶରେ ଫୁସ୍‌ଫୁସ୍‌ଜନିତ ରୋଗ ଚିକିତ୍ସା ପାଇଁ ଔଷଧୀୟ ପାଠ୍ୟକ୍ରମ ପ୍ରଚଳନ କ୍ଷେତ୍ରରେ ଏସ୍‌ସିବି ୧୦ମ ଅନୁଷ୍ଠାନ ହୋଇଥିବାବେଳେ ସମଗ୍ର ପୂର୍ବ ଭାରତରେ ଏପରି ଅନୁମତି ପାଇବାରେ ପ୍ରଥମ । ପାଠ୍ୟକ୍ରମ ଖୋଲିବା ଫଳରେ ସମସ୍ତ ପ୍ରକାର ଫୁସ୍‌ଫୁସ୍‌ଜନିତ ରୋଗର ଚିକିତ୍ସା ନିମନ୍ତେ ମାର୍ଗ ପ୍ରଶସ୍ତ ହେବ । ଶ୍ୱାସକ୍ରିୟାଜନିତ ରୋଗର ନିଦାନ ଏବଂ ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର ଉପକରଣ ଓ ଯନ୍ତ୍ରପାତି ମଧ୍ୟ ଉପଲବ୍ଧ ହେବ । ଏସ୍‌ସିବି ମେଡିକାଲ୍ କଲେଜ୍‌ର ଉତ୍କର୍ଷ କେନ୍ଦ୍ର ଅଧୀନରେ ଏହି ପାଠ୍ୟକ୍ରମ ପରିଚାଳିତ ହେବ ଏବଂ ଭବିଷ୍ୟତରେ କେନ୍ଦ୍ରରେ ମଧ୍ୟ ପାରାମେଡିକାଲ୍ କୋର୍ସ ଆରମ୍ଭ କରାଯିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାର ଏହି ସଫଳତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ