ସାମାଜିକ ଦୂରତା ଦ୍ୱାରା କରୋନାକୁ ରୋକାଯାଇ ପାରିବ : ଜିଲାପାଳ
ଛତ୍ରପୁର, (ଓ୍ବାଇଏନ୍ଏସ୍): କିଏ ଗଞ୍ଜାମ ଟାଇଗର କହୁଛି ତ ଆଉ କିଏ ଗଞ୍ଜାମର ହିରୋ କହୁଛି । ଜିଲ୍ଲାପାଳଙ୍କୁ ଏମିତି ଭାବରେ ଅନେକେ ଏବେ ସମ୍ବୋଧନ କରୁଛନ୍ତି । କୋଭିଡ୍ ପରିଚାଳନାରେ ତାଙ୍କର ଦକ୍ଷତା ଓ ଆଗୁଆ ପଦକ୍ଷେପକୁ ଦେଖି ଅନେକେ ତାଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଦେଉଛନ୍ତି । ଅଢେଇ ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ ଗଞ୍ଜାମ ଜିଲ୍ଲାକୁ ଆସିବାକୁ ଅନୁମତି ଦେଇ ଏକ ବିରାଟ ଚ୍ୟାଲେଞ୍ଜ୍ କୁ ଗ୍ରହଣ କରିଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ପୂର୍ବରୁ ଆଗୁଆ ୧୪୪ ଧାରା, ଲକ୍ ଡାଉନ୍, ସଟ୍ ଡାଉନ୍ ପରି ପଦକ୍ଷେପମାନ ନେଇ ଚର୍ଚ୍ଚାରେ ଥିବା ଜିଲ୍ଲାପାଳ ଏବେ ବି କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ସେ । ଜିଲ୍ଲାରୁ କରୋନାକୁ ନିପାତ କରିବା ଏକ ମାତ୍ର ଲକ୍ଷ୍ୟ ହୋଇଛି ତାଙ୍କର । ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଏମସି କମିଶନର, ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ଫ୍ରନଂଟ୍ ଲାଇନ୍ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ଗୋଟାଏ ପରେ ଗୋଟାଏ କାମ କରି ଚାଲିଛନ୍ତି ସେ । ତଥାପି ଜିଲ୍ଲାରେ କରୋନା ବୋଲୋ ମାନୁନାହିଁ । ପ୍ରତିଦିନ ବଢିବାରେ ଲାଗିଛି ସଂକ୍ରମଣଙ୍କ ସଂଖ୍ୟା । ଜିଲ୍ଲାରେ କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁଇଜଣ ଆଇଏଏସ୍ ଅଧକାରୀ ପାରୁଲ୍ ପଟୱାରୀଙ୍କୁ ଛତ୍ରପୁର ଉପଖଣ୍ଡର ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବା ବେଳେ ବିଶାଲ୍ ସିଂଙ୍କୁ ଭଞ୍ଜନଗର ଉପଖଣ୍ଡର ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଏହା ସହ ୬ ଓଏଏସ୍ ଅଧିକାରୀ ସୁଧାକର ନାୟକ, ପଦ୍ମନାଭ ବେହେରା,ଲୋକନାଥ ଦଳବେହେରା, ଶକ୍ତିକାନ୍ତ ରାୟ, ଚିତରଞ୍ଜନ ମହନ୍ତ, ସୁଭେନ୍ଦୁ କୁମାର ସାମଲ ଙ୍କୁ ଗଞ୍ଜାମ ଜିଲ୍ଲାକୁ ଡେପୁଟେସନ୍ ରେ ପଠାଇଛନ୍ତି । ସେମାନେ କୋଭିଡ୍ ପରିଚାଳନାରେ ସହଯୋଗ କରିବେ । କୋଭିଡ୍ କେୟାର ହୋମ୍, କୋଭିଡ୍ କେୟାର୍ କମିଟି, କୋଭିଡ୍ ସେଲ୍ ଆଦି କାର୍ଯ୍ୟକ୍ରମରେ ଆଜି ଠାରୁ ଯୋଗଦାନ କରିଛନ୍ତି ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲାରେ କରୋନା ପରିସ୍ଥିତି ଅସମ୍ଭାଳ ହେଉଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀ ମଧ୍ୟ ସଂକ୍ରମିତ ହେବାରେ ଲାଗିଛନ୍ତି। ଏମାନଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯିବା ସହ ପ୍ରତି ଅଫିସରେ ମନିଟରଙ୍କୁ ନିଯୁକ୍ତି ଦିଆଯାଇଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। କୌଣସି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କଠାରେ କରୋନା ଲକ୍ଷଣ ଦେଖାଗଲେ ସେମାନେ ମନିଟରଙ୍କୁ ଜଣାଇବେ। ମନିଟରଙ୍କୁ ସେମାନଙ୍କର ଟେଷ୍ଟିଂ ଓ ଚିକିତ୍ସା ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାରେ ସ୍ବାବ ଟେଷ୍ଟିଙ୍ଗ ବୃଦ୍ଧି କରାଯାଉଛି। କଣ୍ଟାକ୍ଟ ଟ୍ରେସିଂ ପାଇଁ ସ୍ବତନ୍ତ୍ର ଟିମ୍ କାମ କରୁଛି। ଗୋଷ୍ଠୀ ସଂକ୍ରମଣ ହୋଇନି, ଗୋଟିଏ ଗୋଟିଏ କେସର ହିଷ୍ଟ୍ରି ବାହାର କରୁଛୁ। କୋଭିଡ କାମ ବଢିଛି, ଏନ୍ଫୋର୍ସମେଣ୍ଟକୁ ଆହୁରି ବୃଦ୍ଧି ସହ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ସରକାର ମଧ୍ୟ ଏଥିପାଇଁ କଡା ନିର୍ଦ୍ଦେଶ ଦେଇଥିବା ଜିଲାପାଳ କହିଛନ୍ତି l ଅନ୍ୟପଟେ ଯେକେହିବି ସରକାରଙ୍କ ଗାଇଡ୍ ଲାଇନ୍ କୁ ଉଲ୍ଲଘଂନ କରିବ ତା ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚେତାଇ ଦେବା ସହ କାର୍ଯ୍ୟରତ ଡାକ୍ତରଙ୍କ ସମେତ ସମସ୍ତ କରୋନା ଯୋଦ୍ଧାଙ୍କ ଉପରେ ନଜର ରଖାଯାଇଛି ଯେକେହିବି ଅସୁସ୍ଥ ଅନୁଭବ କଲେ ତୁରନ୍ତ ସେମାନେ ଜଣାଇଲେ ପରୀକ୍ଷା କରାଯାଇ ସେମାନଙ୍କର ଚିକିତ୍ସା କରାଯିବ ବୋଲି ଜଣାଇଛନ୍ତି । ଯେଉଁମାନେ କୋଭିଡ୍ କେୟାର ହସପିଟାଲରେ କାମ କରିବେ ସେମାନଙ୍କୁ ଗୋଟାଏ ସପ୍ତାହ ପରେ ଗୋଟାଏ ସପ୍ତାହ ପାଇଁ ଛୁଟି ମିଳିବ । ଏହା ସହିତ ଯେଉଁ ଶିକ୍ଷକ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା ତାଙ୍କ ପରିବାର ସହ ଜିଲ୍ଲା ପ୍ରଶାସନ ଅଛି ବୋଲି କହିଛନ୍ତି ।