ଖରିଫ ଫସଲ ଓ କୃଷି ଭିତ୍ତିକ ଶିଳ୍ପ ପାଇଁ ବାଧକ ସାଜିଛି କରୋନା

କୋଦଳା, (ଗୁଲସନ କୁମାର କର ) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ଖରିଫ ଫସଲ ବିଭିନ୍ନ କାରଣ ଯୋଗୁଁ ଆଗେଇ ପାରୁ ନଥିବା ଅଭିଯୋଗ ହୋଇଛି । ମହାମାରୀ କରୋନା ସାଂଗକୁ ଶ୍ରମିକ ଅଭାବ ଓ ବର୍ଷାର ଅନିୟମିତତା ଫଳରେ ଗତବର୍ଷ ତୁଳନାରେ ଏବର୍ଷ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଚଳିତ ଖରିଫ ଋତୁରେ ଏହି ବ୍ଲକରେ ୧୦ ହଜାର ୭୫୫ ହେକ୍ଟର ଚାଷ ଜମିରେ ଧାନ ଫସଲ ହେବାକୁ ଧାର୍ଯ୍ଯ ରହିଥିବା ବେଳେ ଜୁନ୍ ମାସରେ ମାତ୍ର ୨୮୦୦ ହେକ୍ଟର ଜମିରେ ଚାଷ ହୋଇଥିବା ଜଣାପଡିଛି। ଗତବର୍ଷ ତୁଳନାରେ ଏବର୍ଷ ଏହି ସମୟରେ ଅପେକ୍ଷାକୃତ ବହୁତ କମ୍ ଚାଷ କାର୍ଯ୍ୟ ହୋଇଥିବା ଜଣାପଡିଛି। କେବଳ ଧାନ ଚାଷ କାହିଁକି ଚିନାବାଦାମ୍, ସୋରିଷ, ଜଡା, ରାଶି ପ୍ରଭୃତି ତୈଳବୀଜ ଚାଷ ମଧ୍ଯ ହ୍ରାସ ପାଇଛି। ଏହାଛଡା ପରିବା ଚାଷ ମଧ୍ୟ ଅନେକ ପରିମାଣରେ ବାଧାପ୍ରାପ୍ତ ହୋଇଛି।କରୋନା ମହାମାରୀ ପାଇଁ ଦେଶରେ କାର୍ଯ୍ୟକାରୀ ହେଉଥିବା ଲକ୍‌ଡାଉନ୍ ଅବଧିରେ ସରକାର ସାମଗ୍ରୀ ଓ ସେବା ପରିବହନକୁ ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ଲୋକମାନଙ୍କ ଯାତାୟାତ ଉପରେ କଟକଣା ଜାରି କରାଯାଇଥିବାରୁ କୃଷିଭିତ୍ତିକ ଶିଳ୍ପ ଗୁଡ଼ିକର କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଶ୍ରମିକ, ବିଶେଷ କରି କୃଷି ଶ୍ରମିକଙ୍କ ଅଭାବ ଯୋଗୁଁ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ହୋଇପାରୁନାହିଁ।କୃଷି କ୍ଷେତ୍ରର ପ୍ରମୁଖ ଆନୁଷଙ୍ଗିକ ଶିଳ୍ପ ଯଥା ଝୋଟ ଶିଳ୍ପ, ବିହନ ପ୍ୟାକେଜିଂ, ପନିପରିବା ଚାଷ, କୁକୁଡ଼ା ପାଳନ ଏବଂ ପୋଖରୀରେ ମାଛ ଚାଷ ଗୁରତର ଭାବେ ପ୍ରଭାବିତ ହୋଇଛି। ଏଥିଯୋଗୁଁ କୃଷକ ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଉଦ୍ୟୋଗୀଙ୍କୁ ବହୁ ପରିମାଣର ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି ବୋଲି ମତପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ