ବାକିଟଙ୍କା ନଦେଇ ପ୍ଲାଣ୍ଟ ଉଠାଇନେବାକୁ ବିରୋଧ କଲେ ଠିକାଦାର
ହାଟଡିହି, (ଓ୍ବାଇଏନ୍ଏସ୍) : ସ୍ଥାନୀୟ ଠିକାଦାରଙ୍କ ଲକ୍ଷଲକ୍ଷ ଟଙ୍କା ବାକି ରଖିୋଦଇ କଟକର ଏକ ଠିକାସଂସ୍ଥା ମଠଡାହିରୁ ତାର ମିକ୍ସଚର ପ୍ଲାଣ୍ଟ ଉଠାଇ ନେଉଥିବାବେଳେ ଠିକାଦାର ମାନେ ଏହାକୁ ବିରୋଧ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ କେନାଲ କାମ ଠିକାନେଇଥିବା ଏମଏସଆଇଏଲ ନାମକ ଏକ ଠିକାସଂସ୍ଥା ଆନନ୍ଦପୁର ମେନକେନାଲର ଉନ୍ନୟନ କାମ କରୁଥିଲା । କିନ୍ତୁ ନିର୍ଦ୍ଧାରିତ ସମୟରେ କାମ ସାରି ନପାରିବାରୁ ସେ ଏହି କାମକୁ ସ୍ଥାନୀୟ ପେଟି କଣ୍ଟ୍ରାକ୍ଟର ମାନଙ୍କୁ ଦେଇ କାର୍ଯ୍ୟ କରାଉଥିବାବେଳେ ଅନେକ ବେକାରୀ ଯୁବକ ଏଥିରେ ନିୟୋଜିତ ହୋଇଥିଲେ । ଅନେକ ପେଟି କଣ୍ଟ୍ରାକ୍ଟରଙ୍କ ଲକ୍ଷଲକ୍ଷ ଟଙ୍କା ବାକି ଥିବାବେଳେ ଠିକାସଂସ୍ଥା କାମ ବନ୍ଦକରିଦେଇ ପଳାଇଥିଲା । ଏପରିକି ପର୍ଯ୍ୟାୟକ୍ରମେ ତାର ସମସ୍ତ ଯନ୍ତ୍ରପାତି ସହିତ ଗାଡିସବୁ ନେଇ ପଳାଇଥିଲା । କେବଳ ମଠଡାହି ନିକଟରେ ଏକ ମିକ୍ସଚର ପ୍ଲାଣ୍ଟ ରହିଯାଇଥିଲା । ଗତକାଲି ଠିକାସଂସ୍ଥାର କିଛି କର୍ମଚାରୀ ଆସି ପ୍ଲାଣ୍ଟଟିକୁ ଖୋଲାଖୋଲି କରୁଥିବାବେଳେ ୪୦ରୁ ଉର୍ଦ୍ଧ ସ୍ଥାନୀୟ ପେଟି କଣ୍ଟ୍ରାକ୍ଟର ଆସି ଏହାର ବିରୋଧ କରିବା ସହିତ ସେମାନଙ୍କ ପ୍ରାପ୍ୟ ନପାଇଲେ ପ୍ଲାଣ୍ଟ ଖୋଲାଇ ଦେବୁ ନାହୁଁ ବୋଲି ଅଡିବସିବାରୁ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇବା ସହ କର୍ମଚାରୀ ମାନେ ଫେରିଯାଇଥିଲେ ।


