ହିଞ୍ଜିଳିରେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ କରୋନା ସମୀକ୍ଷା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଲକ୍ଷାଧିକ ପ୍ରବାସୀଙ୍କୁ ଜିଲ୍ଲାକୁ ଆଣି ଚର୍ଚ୍ଚିତ ହୋଇଥିବା ଗଞ୍ଜାମ ଜିଲ୍ଲା ଆଗାମୀ ଦିନରେ ଜିଲ୍ଲାବାସୀଙ୍କ ପାଇଁ ଦୁଃଖର କାରଣ ପାଲଟିବାକୁ ଯାଉଛି । ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ବେଶ ଭୟଙ୍କର ହୋଇଛି । ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ଓ ମୃତକ ଗଞ୍ଜାମ ଜିଲ୍ଲାରେ ରହିଛନ୍ତି । ପ୍ରବାସୀଙ୍କ ଅଜ୍ଞତା କିମ୍ବା ସଚେତନତାର ଅଭାବ ଯୋଗୁଁ ଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ଜିଲ୍ଳାର ସ୍ଥିତି ଭୟଙ୍କର ଆଡ଼କୁ ଗତି କରୁଛି । ଜିଲ୍ଲାର ଏଭଳି ଅଣାୟତ ପରିସ୍ଥିତି ଅନୁଧ୍ୟାନ କରି ରାଜ୍ୟ ସରକାର କରୋନା ମୁକାବିଲା କରିବା ସକାଶେ ଗଞ୍ଜାମ ଜିଲ୍ଲାକୁ ୨ଆଇଏଏସ ଓ ୬ ଓଏଏସ ଅଫିସରଙ୍କୁ ସ୍ୱତନ୍ତ୍ର ଭାବେ ନିୟୋଜିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ଉପଖଣ୍ଡ ସକାଶେ ନିୟୋଜିତ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟ୍ଟୱାରୀ ଗୁରୁବାର ଅପରାହ୍ନରେ ହିଞ୍ଜିଳି ଗ୍ରସ୍ତରେ ଆସି କରୋନା ସମୀକ୍ଷା କରିଛନ୍ତି । ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପଟ୍ଟୱାରୀ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟରେ ପଂହଚି ତହସିଲସଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ସହ ଅଂଚଳର କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ବ୍ଳକ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ସ୍ଥାନୀୟ ନିୟନ୍ତ୍ରିତ ବଜାର ପରିସରରେ ଅବସ୍ଥାପିତ କୋଭିଡ଼-୧୯ ହସପିଟାଲ ବୁଲି ଦେଖିବା ସହ ରୋଗୀଙ୍କ ସ୍ୱାସ୍ଥ୍ୟ ସେବା, ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ହିଞ୍ଜିଳି ନେତାଜୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟ ଟିମ୍ଙ୍କ ଦ୍ୱାରା ଚାଲିଥିବା ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ସେଠାରୁ ସ୍ଥାନୀୟ ବ୍ଳକ ଶାସନ ଆମ୍ବଗାଁ ଓ ଦାରୁଭଦ୍ରା ପଂଚାୟତାରେ ପଂହଚି ସଂପୃକ୍ତ ଗ୍ରାମର ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ । ପରେ ଦୁର୍ବନ୍ଧ ଗ୍ରାମରେ ପଂହଚି ଭାମ୍ୟମାଣ କୋଭିଡ଼-୧୯ ନମୁନା ସଂଗ୍ରହ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପଟ୍ଟୱାରୀଙ୍କ ଗ୍ରସ୍ତ ସମୟରେ ତହସିଲସଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଆଇଆଇସି ଅଭିମନ୍ୟୁ ଦାସ, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଟ ଚିକିତ୍ସକ ଡ଼ାକ୍ତର ମାଧବ କୁମାର ସାହୁ, କୋଭିଡ଼-୧୯ ମେଡ଼ିକାଲ ଅଧିକାରୀ ଡ଼ାକ୍ତର ଦୁର୍ଗା ପ୍ରସାଦ ପଣ୍ଡା, ବିଇଓ ବସନ୍ତ କୁମାର ପଣ୍ଡା, ପିଇଓ ରାଜେନ୍ଦ୍ର ପଟ୍ଟନାୟକ, ବିପିଏମ ଶଶାଙ୍କ ଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


