ମାଲକାନଗିରିକୁ ୧୩ ଜିଲ୍ଲା ମନା
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାକୁ ନେଇ ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜ ନିଜର ସୀମାଗୁଡ଼ିକ ସିଲ କରିଦେଉଛନ୍ତି । ଏହାରି ଭିତରେ ୧୩ ଜିଲ୍ଲାର ଲୋକଙ୍କୁ ମାଲକାନଗିରି ଜିଲ୍ଲା ଆସିବାକୁ ବାରଣ କରାଯାଇଛି । ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, କଟକ, ଭଦ୍ରକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଗଜପତି, ବାଲେଶ୍ୱର ଓ ଜଗତସିଂହପୁର । ଜରୁରୀ କାମରେ କେହି ଏସବୁ ଜିଲ୍ଲାରୁ ମାଲକାନଗିରି ଆସିଲେ ୧୪ ଦିନି କ୍ୱାରେଣ୍ଟାଇନରେ ରହିବେ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।


