ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ଅସହାୟ ବୃଦ୍ଧ ବର୍ଷେ ହେଲା ମିଳୁନି ଅନ୍ନପୂର୍ଣ୍ଣ ଚାଉଳ

ନାଉଗାଁ, (ଓ୍ବାଇଏନ୍ଏସ୍) : ଗରିବ ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଠାରୁ ଆରମ୍ଭ କରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରାଯାଇଛି । ଏପରିକି ଅତ୍ୟନ୍ତ ଗରିବ ପରିବାରକୁ ଅର୍ନ୍ତୋଦୟ ଯୋଜନାରେ ସାମିଲ କରାଯାଇ ୩୫ କି.ଗ୍ରା ଚାଉଳ ଯୋଗାଇ ଦିଆଯାଉଥିବା ବେଳେ ଅସହାୟ ପରିବାରଙ୍କୁ ଅନ୍ନପୂର୍ଣ୍ଣ ଯୋଜନାରେ ସାମିଲ କରାଯାଇ ମାଗଣାରେ ୧୦ କି.ଗ୍ରା ଚାଉଳ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଧନୀ ଲୋକମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେଉଥିବା ବେଳେ ଅସହାୟ ପରିବାର ଏହି ଯୋଜନାରୁ ବାଦ ପଡୁଥିବା ଦେଖାଯାଉଛି । ଯାହାର ଜଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳୁଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଲଣା ପଂଚାୟତ କୁଣ୍ଡେଶ୍ୱର ଗ୍ରାମର ଲୋକନାଥ ଦାସଙ୍କ କ୍ଷେତ୍ରରେ । ଲୋକନାଥ ଦାସ ଅସହାୟ ପରିବାରର ହୋଇଥିବାରୁ ସରକାରଙ୍କ ପକ୍ଷରୁ ଅନ୍ନପୂର୍ଣ୍ଣ ଯୋଜନାରେ ସାମିଲ କରାଯାଇ ପ୍ରତି ମାସକୁ ୧୦ କି.ଗ୍ରା ଚାଉଳ ଯୋଗଇ ଦିଆଯାଉଥିଲା । କିନ୍ତୁ ୨୦୧୯ ଜୁଲାଇ ୧୫ ତାରିଖରେ ଶେଷ ଥର ପାଇଁ ୧୦ କିଗ୍ରା ଚାଉଳ ଯୋଗାଇ ଦିଆଯାଇଥିବା ଅନ୍ନପୂର୍ଣ୍ଣ ଯୋଜନାରେ ପାଉଥିବା ଚାଉଳ ଖାତାରେ ଦର୍ଶାଯାଇଛି । ବର୍ଷେ ପୁରିବାକୁ ବସିଲାଣି ହେଲେ ଆଉ ଅନ୍ନପୂର୍ଣ୍ଣ ଯୋଜନାରେ ୧୦କି.ଗ୍ରା ଚାଉଳ ମିଳୁନାହିଁ । ଏପରିକି ଖାଦ୍ୟ ସୁରକ୍ଷା ଯୋଜନାରେ ଲୋକନାଥ ନାମ ନଥିବାରୁ ଫନି ସହାୟତା ସହିତ କରୋନା ସହାୟତା ମଧ୍ୟ ମିଳି ନଥିବା ଲୋକନାଥ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଲୋକନାଥଙ୍କ ପରିବାର କହିଲେ ସେ ଏବେ ଏକା । ଭୋଟର ପରିଚୟ ପତ୍ରରେ ତାଙ୍କ ବୟସ ୮୫ରେ ପହଁଚିଲାଣି । ଯାହା କିଛି ପାଖରେ ଥିଲା ଝିଅ ବିବାହରେ ସବୁ ସାରି ଦେଇଛନ୍ତି । ସରକାରଙ୍କ ଅନ୍ନପୂର୍ଣ୍ଣ ଯୋଜନାରୁ ମିଳୁଥିବା ଚାଉଳ ସହିତ ଦିନ ମଜୁରୀ ଓ ଭତା ଟଙ୍କାରେ ଲୋକନାଥ ଓ ପତ୍ନୀଙ୍କୁ ନେଇ ଦୁଃଖକଷ୍ଟରେ ଚଳି ଯାଉଥିଲେ । ପତ୍ନୀଙ୍କ ମୃତ୍ୟୁ ପରେ ଲୋକନାଥ ଏକ ପ୍ରକାର ଅସହାୟ ହୋଇ ପଡିଥିବା ବେଳେ ସରକାରଙ୍କ ଅନ୍ନପୂର୍ଣ୍ଣ ଯୋଜନାର ଚାଉଳ ଓ ଭତା ଟଙ୍କାଙ୍କୁ ନେଇ ଚଳୁଥିଲେ । କିନ୍ତୁ ଦୁଃଖର ବିଷୟ ୨୦୧୯ ଅଗଷ୍ଟ ମାସ ଠାରୁ ଲୋକନାଥକୁ ଅନ୍ନପୂର୍ଣ୍ଣ ଚାଉଳ ଯୋଗାଇ ଦିଆଯାଉନାହିଁ । ପଡିଶା ଓ ଝିଅମାନଙ୍କ ସହାୟତା ସହିତ ଭତା ଟଙ୍କା ୫୦୦କୁ ନେଇ ଲୋକନାଥ ବଂଚି ରହିଥିବା କୋହଭରା କଣ୍ଠରେ କହିଛନ୍ତି । ଲୋକନାଥ ଅନେକ ବାର ଖାଦ୍ୟ ସୁରକ୍ଷା ଯୋଜନାରେ ନିଜ ନାମକୁ ସାମିଲ କରିବା ପାଇଁ ଫର୍ମ ଆବେଦନ କରିଥିଲେ ମଧ୍ୟ ତାଙ୍କ ନାମକୁ ବାଦ ଦିଆଯାଉଥିବା କହିଛନ୍ତି । ଖାଦ୍ୟ ସୁରକ୍ଷାରେ ନାମ ନଥିବାରୁ ଫନି ସହାୟତା ସହିତ କରୋନା ପାଇଁ ସହାୟତା ମିଳୁ ନଥିବା ଲୋକନାଥ କହିଛନ୍ତି । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି । ଏ ବିଷୟକୁ ନେଇ ନାଉଗାଁ ଯୋଗାଣ ନିରୀକ୍ଷିକାଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ