କମ୍ ବୟସରେ କେଶ ଧଳା ପଡ଼ିବାର କାରଣ
କଳା କେଶ କାହାକୁ ବା ପସନ୍ଦ ନଥାଏ । ପୁରୁଷଙ୍କଠାରୁ ଆରମ୍ଭ କରି ମହିଳାଙ୍କ ପର୍ଯ୍ୟନ୍ତ ସମସ୍ତେ ଚାହାଁନ୍ତି ଆଜୀବନ ତାଙ୍କର କେଶ କଳା ରହୁ । କିନ୍ତୁ ଏହା ସମ୍ଭବପର ହୋଇନଥାଏ । ବୃଦ୍ଧ ବୟସରେ ସେ ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତଙ୍କର କେଶ ଧଳା ହୋଇଥାଏ । ତେବେ ବର୍ତ୍ତମାନ ବହୁତ କମ୍ ବୟସରେ ଏପରିକି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କର ମଧ୍ୟ କେଶ ଧଳା ହେବାର ଦେଖାଯାଉଛି । ତେବେ ଏହାର ଅନେକ କାରଣ ଆମର ଦୈନନ୍ଦିନ ଜୀବନ ସହ ଜଡିତ । ଆସନ୍ତୁ ଜାଣିବା ସେହି କାରଣମାନଙ୍କ ବିଷୟରେ । କମ୍ ବୟସରେ କେଶ ଧଳା ହେବାର ମୁଖ୍ୟ କାରଣ ହେଉଛି ଚିନ୍ତା । ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନରେ ଅନେକ ବ୍ୟକ୍ତି ବହୁତ ଛୋଟ ଛୋଟ କଥାକୁ ନେଇ ଚିନ୍ତାଗ୍ରସ୍ତ ରହୁଛନ୍ତି । ଏକ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି ଯେ ଅଧିକ ସମୟ ଚିନ୍ତାଗ୍ରସ୍ତ ରହିବା ଦ୍ୱାରା କେଶ ଝଡିବା ତଥା ଧଳା ହେବାର ଦେଖାଯାଇଥାଏ । ଏଣୁ ଯେତେ ସମ୍ଭବ ଚିନ୍ତାମୁକ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ ।ଯେଉଁ ବ୍ୟକ୍ତିଙ୍କ ସାଧାରଣତଃ ଅଧିକ ସମୟ ପର୍ଯ୍ୟନ୍ତ ମୁଣ୍ଡବିନ୍ଧା ହୋଇଥାଏ ସେମାନଙ୍କର କେଶ ସମୟ ଥାଉ ଧଳା ହେବାର ଦେଖାଯାଇଥାଏ । ସାଇନସ ରୋଗ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ଏହି ସମାନ ଅସୁବିଧା ଦେଖାଯାଇଥାଏ ।ଶରୀରରେ ମେଲାନିନ ଏବଂ ଭିଟାମିନ-୧୨ର ଅଭାବ ହୋଇଥିଲେ କେଶ ଧଳା ହେବା ସମସ୍ୟା ନଜର ଆସିଥାଏ । କେଶକୁ କଳା ରଖିବା ପାଇଁ ମେଲାନିନ ପ୍ରସ୍ତୁତିରେ ଭିଟାମିନ୍୧୨ର ଆବଶ୍ୟକତା ହୋଇଥାଏ । ଏଣୁ ଏହାର ଅଭାବରେ ଧଳା କେଶ ସୃଷ୍ଟି ହୋଇଥାଏ । ବର୍ତ୍ତମାନ ପ୍ରତ୍ୟେକ ଛୋଟ ଛୋଟ କଥାରେ ବ୍ୟକ୍ତି ଔଷଧ ଗ୍ରହଣ କରୁଥିବାର ଦେଖାଯାଇଛି । ତେବେ ଏପରି ଭାବେ ଦୈନିକ ବହୁ ପରିମାଣର ଔଷଧ ଖାଇବା ଦ୍ୱାରା କେଶ ଧଳା ହୋଇଥାଏ ।
ବିଶୃଙ୍ଖଳା ଖାଦ୍ୟପେୟ ଏକ ନିଦ୍ରାହୀନତା ଧଳାକେଶର ପ୍ରମୁଖ କାରଣ । ବ୍ୟସ୍ତ ଜୀବନରେ କୌଣସି ବ୍ୟକ୍ତିଙ୍କର ସଠିକ୍ ଭାବେ ଖାଦ୍ୟପେୟ ରହୁନାହିଁ । ତାହା ସହ କାର୍ଯ୍ୟଚାପ ଅଧିକ ରହୁଥିବାରୁ ରାତିରେ ନିଦ ମଧ୍ୟ କମ ହେଉଛି । ଏହି କାରଣରୁ ଧଳା କେଶ ଦେଖାଯାଇଥାଏ । ଏଣୁ ଯଥାସମ୍ଭବ ଉଚିତ ପୋଷକ ବିଶିଷ୍ଟ ଖାଦ୍ୟ ଖାଇବା ସହ ସଠିକ ପରିମାଣରେ ଶୋଇବା ପାଇଁ ଚେଷ୍ଟାକରନ୍ତୁ ।


