ଗଙ୍ଗୁ ଭାଇନା ଥିଲେ ଅଜାତ ଶତ୍ରୁ : ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ବିଶିଷ୍ଟ ଜନନେତା, ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ ଓକିଲ ତଥା ପୂର୍ବତନ ମନ୍ତ୍ରୀ ଗଙ୍ଗାଧର ମହାପାତ୍ରଙ୍କ ୧୦୬ତମ ଜୟନ୍ତୀ କାର୍ଯ୍ୟକ୍ରମ ଜୁମ୍ ଭିଡ଼ିଓ ମାଧ୍ୟମରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନୟକ କହିଲେ ଯେ, ଓଡ଼ିଶା ରାଜନୀତିରେ ଗଙ୍ଗାଧର ବାବୁଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ଥିଲା । ନୈତିକ ମୂଲ୍ୟବୋଧ ରାଜନୀତିର, ସେ ଥିଲେ ମୂର୍ତ୍ତୀମନ୍ତ ପ୍ରତୀକ । ସର୍ବୋପରେ ସାମାଜିକ ଜୀବନରେ ସେ ଥିଲେ ଅଜାତ ଶତ୍ରୁ । ଏଭଳି ମଣିଷ କୋଟିକରେ ଗୋଟିଏ ଦେଖାଯାନ୍ତି । ପୂଜ୍ୟ ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସ୍ୱାଗତ ଭାଷଣ ଦେଇ ବିଶିଷ୍ଟ ଶିକ୍ଷାବିତ୍ ତଥା ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡଃ ବଦ୍ରୀନାଥ ପଟ୍ଟନାୟକ କହିଲେ ଯେ, ଗଙ୍ଗୁଭାଇନାଙ୍କ କଥାରେ ଯେଉଁ ସ୍ନେହ ଓ ଆତ୍ମିୟତା ଥିଲା ତାହା ସମସ୍ତଙ୍କ ପାଇଁ ଅଭୁଲା ସ୍ମୃତି ହୋଇ ରହିଛି । ବିଶିଷ୍ଟ ଅତିଥି ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, କୃଷି ବିଶ୍ୱବିଦ୍ୟାଳୟର ପ୍ରୋଚାନେସଲର ଥିବାବେଳେ, ଯୁଗାନ୍ତକାରୀ ପଦକ୍ଷେପମାନ ଗ୍ରହଣ କରିଥିଲେ, ଯାହାକୁ ସେ ବେଳର ଛାତ୍ରମାନେ ଏବେ ମଧ୍ୟ ମନେ ରଖିଛନ୍ତି । ବାହାରକୁ ନମ୍ର ଅତ୍ୟନ୍ତ ସ୍ନେହୀ ଜଣା ପଡ଼ୁଥିଲେ ମଧ୍ୟ ସରକାରୀ କାର୍ଯ୍ୟରେ ତାଙ୍କର ଦୃଢ ନିଷ୍ପତ୍ତି, ଅନ୍ୟମାନଙ୍କ ପାଇଁ ଉଦାହରଣ । ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ପ୍ରଫେସର ବୁଦ୍ଧଦେବ ମିଶ୍ର, ସମାଜସେବୀ ବିଶ୍ୱନାଥ ରଥ, ଗୋବର୍ଦ୍ଧନ ମଠର ପ୍ରବକ୍ତା ମନୋଜ ରଥ, ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ ପ୍ରମୁଖ ଗଙ୍ଗାଧର ବାବୁ ଜଣେ ବିରଳ ବ୍ୟକ୍ତିତ୍ୱ ବୋଲି କହିଥିଲେ । ଆଜିର ଯୁବପିଢି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶ୍ରୀ ଶତପଥୀ ଆହ୍ୱାନ ଦେଇଥିଲେ । ଶେଷରେ ଟ୍ରଷ୍ଟି ସୀତାବଲ୍ଲଭ ମହାପାତ୍ର ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ଡଃ ବଦ୍ରୀନାଥ ପଟ୍ଟନାୟକ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ୟାମା ବଲ୍ଲଭ ମହାପାତ୍ର, ମୁକ୍ତିମଣ୍ଡପ ପଣ୍ଡିତ ସଭାର ଉପସଭାପତି ଉମାବଲ୍ଲବ ମହାପାତ୍ର, ସାମ୍ବାଦିକ ବିଶ୍ୱନାଥ ସାମଲ, ପୂର୍ବତନ ଅଧ୍ୟକ୍ଷ ଡଃ ଆର୍ତ୍ତତ୍ରାଣ ମିଶ୍ର, ଡଃ ନିବେଦିତା ପଟ୍ଟନାୟକ, ଡ. ରଶ୍ମୀ ଦାସ, ଓକିଲ ଶିଳଭଦ୍ର ଶାସ୍ତ୍ରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


