ଜୁଲାଇ ୧୭ ତାରିଖ ସୁଦ୍ଧା ୬୯୧.୮୬ଲକ୍ଷ ହେକ୍ଟର ଜମିରେ ଚାଷକାର୍ଯ୍ୟ ସଂପୂର୍ଣ୍ଣ

ନୂଆଦିଲ୍ଲୀ : ୨୦୨୦ ଜୁଲାଇ ୧୬ ତାରିଖ ସୁଦ୍ଧା ଦେଶରେ ୩୩୮.୩ ମିଲିମିଟର ବାସ୍ତବ ବୃଷ୍ଟିପାତ ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ ଭାରତରେ ସ୍ୱାଭାବିକଭାବେ ୩୦୮.୪ ମିଲିମିଟର ବର୍ଷା ହୋଇଥାଏ । ଅନ୍ୟପକ୍ଷରେ କହିବାକୁ ଗଲେ ଏହି ସମୟ ମଧ୍ୟରେ ଦେଶରେ ୧୦ ଶତାଂଶ ଅଧିକ ବୃଷ୍ଟିପାତ ଜୁନ୍‌ ୧ରୁ ଜୁଲାଇ ୧୬ ମଧ୍ୟରେ ହୋଇଛି । ଜୁଲାଇ ୧୬ ତାରିଖର କେନ୍ଦ୍ରୀୟ ଜଳ ଆୟୋଗଙ୍କ ରିପୋର୍ଟ ଅନୁସାରେ ଦେଶର ୧୨୩ଟି ଜଳଭଣ୍ଡାରରେ ଗତବର୍ଷ ତୁଳନାରେ ୧୫୦ ଶତାଂଶ ଅଧିକ ଜଳ ମହଜୁଦ ରହିଛି । ଗତ ୧୦ ବର୍ଷ ମଧ୍ୟରେ ଏହି ଭଣ୍ଡାରଣ ହାର ୧୩୩ ଶତାଂଶ । ୨୦୨୦ ଜୁଲାଇ ୧୭ ତାରିଖ ସୁଦ୍ଧା ଦେଶର ୬୯୧.୮୬ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲର ବୁଣାବୁଣି କାର୍ଯ୍ୟ ଶେଷ ହୋଇଛି । ଗତବର୍ଷ ଏହି ସମୟରେ ୫୭୦.୮୬ ଲକ୍ଷ ହେକ୍ଟର ଜମିରେ ବୁଣାବୁଣି ହୋଇଥିଲା । ଅତଏବ ଗତବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ଦେଶର ଖରିଫ ବୁଣାବୁଣି କାର୍ଯ୍ୟ ୨୧.୨୦ ଶତାଂଶ ଅଧିକ ହୋଇଛି । ଖରିଫ ଫସଲ ବୁଣାବୁଣି ସଂପର୍କରେ ସବିଶେଷ ତଥ୍ୟ ନିମ୍ନମତେ ପ୍ରଦାନ କରାଯାଇଛି । ଚଳିତବର୍ଷ ଏ ପର୍ଯ୍ୟନ୍ତ ୧୬୮.୪୭ ଲକ୍ଷ ହେକ୍ଟର ଜମିରେ ଧାନଚାଷ ହୋଇଥିବାବେଳେ ଗତବର୍ଷ ଏହି ପରିମାଣ ଥିଲା ୧୪୨.୦୬ ଲକ୍ଷ ହେକ୍ଟର । ଅତଏବ ଏ କ୍ଷେତ୍ରରେ ୧୫.୫୯ ପ୍ରତିଶତ ଅଧିକ ଜମିରେ ଧାନଚାଷ ହୋଇଛି । ଡାଲି ଜାତୀୟ ଫସଲ କ୍ଷେତ୍ରରେ ଏଯାଏଁ ୮୧.୬୬ ଲକ୍ଷ ହେକ୍ଟର ଜମିରେ ବୁଣାବୁଣି ହୋଇଥିବାବେଳେ ଗତବର୍ଷ ଏହା ଥିଲା ୬୧.୭୦ ଲକ୍ଷ ହେକ୍ଟର । ଏ କ୍ଷେତ୍ରରେ ୩୨.୩୫ ଶତାଂଶ ଅଧିକ ଜମିରେ ଏହି ଫସଲ ଚାଷ ହୋଇଛି । ମୋଟା ଶସ୍ୟ କ୍ଷେତ୍ରରେ ମଧ୍ୟ ଗତବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ଅଧିକ ଫସଲ ଚାଷ କରାଯାଇଛି । ଏବର୍ଷ ୧୧୫.୬୦ ଲକ୍ଷ ହେକ୍ଟର ଜମିରେ ମୋଟା ଶସ୍ୟ ଚାଷ ହୋଇଥିବାବେଳେ ଗତବର୍ଷ ଏହା ଥିଲା ୧୦୩.୦୦ ଲକ୍ଷ ହେକ୍ଟର । ଅର୍ଥାତ୍‌ ଚଳିତବର୍ଷ ୧୨.୨୩ ଶତାଂଶ ଅଧିକ ଜମିରେ ଏହି ଚାଷ ହୋଇଛି । ତୈଳବୀଜ କ୍ଷେତ୍ରରେ ଏବର୍ଷ ଗତବର୍ଷ ତୁଳନାରେ ୪୦.୭୫ ଶତାଂଶ ଅଧିକ ଜମିରେ ଫସଲ ଲାଗିଛି । ଗତବର୍ଷ ଏହା ୧୧୦.୦୯ ଲକ୍ଷ ହେକ୍ଟର ଥିବାବେଳେ ଏବର୍ଷ ତାହା ୧୫୪.୯୫ ଲକ୍ଷ ହେକ୍ଟରରେ ପହଞ୍ଚିଛି । ଆଖୁଚାଷ କ୍ଷେତ୍ରରେ ମଧ୍ୟ ଏଥର ଗତବର୍ଷ ଅପେକ୍ଷା ୦.୯୨ ପ୍ରତିଶତ ଅଧିକ ଜମିରେ ଫସଲ ଲଗାଯାଇଛି । ଗତବର୍ଷ ଏହା ୫୦.୮୨ ଲକ୍ଷ ହେକ୍ଟରରେ ହୋଇଥିବାବେଳେ ଏଥର ୫୧.୨୯ ଲକ୍ଷ ହେକ୍ଟରରେ ଚାଷ କରାଯାଇଛି । କପାଚାଷ କ୍ଷେତ୍ରରେ ମଧ୍ୟ ଏବର୍ଷ ୧୭.୨୮ ଶତାଂଶ ଅଧିକ ଜମିରେ ଫସଲ ହୋଇଛି । ଗତବର୍ଷ ଏହା ୯୬.୩୫ ଲକ୍ଷ ହେକ୍ଟର ଥିବାବେଳେ ଏଥର ତାହା ୧୧୩.୦୧ ଲକ୍ଷ ହେକ୍ଟରରେ ପହଞ୍ଚିଛି । ଗତବର୍ଷ ଦେଶରେ ଏହି ସମୟରେ ୬.୮୪ ଲକ୍ଷ ହେକ୍ଟର ଜମିରେ ଝୋଟ ଓ ମେସ୍ତା ଚାଷ କରାଯାଇଥିଲା । ଏବର୍ଷ ସେଥିରେ ୦.୭୦ ଶତାଂଶ ବୃଦ୍ଧି ଘଟି ଏହା ୬.୮୮ ଲକ୍ଷ ହେକ୍ଟରରେ ପହଞ୍ଚିଛି । ଅତଏବ ଅଦ୍ୟାବଧି ଖରିଫ ଫସଲ ବୁଣାବୁଣି କ୍ଷେତ୍ରରେ କରୋନା ମହାମାରୀର କୌଣସି ପ୍ରଭାବ ପଡିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ