ଲକ ଡାଉନରେ ଋଣ ଆଦାୟ ବନ୍ଦ କରିବା ପାଇଁ ମହିଳା ଗୋଷ୍ଠୀଙ୍କ ଦାବି

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ଲକଡାଉନ ସମୟରେ ବିଭିନ୍ନ ବେସରକାରୀ ଅର୍ଥଲଗାଣକାରୀ ସଂସ୍ଥା ଗୁଡିକ ଦ୍ୱାରା ଋଣ ଆଦାୟକୁ ବନ୍ଦ କରିବା ପାଇଁ ମହିଳା ଗୋଷ୍ଠୀମାନେ ଦାବି କରିଛନ୍ତି । ଅର୍ଥଲଗାଣକାରୀ ସଂସ୍ଥା ଠାରୁ ଋଣ ନେଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଏବେ ଲକଡାଉନ ସମୟରେ ଋଣ ପରିଷୋଧ କରିପାରୁ ନଥିବାବେଳେ କିଛି ଅର୍ଥଲଗାଣକାରୀ ସଂସ୍ଥା ଋଣ ଆଦାୟ ପାଇଁ ଜୁଲମ କରୁଥିବାରୁ ମହିଳା ମାନେ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି । ଏବେ ଋଣ ନସୁଝିଲେ ତୁମ ମାନଙ୍କୁ ଦୁଇଗୁଣ ସୁଧ ଦେବାକୁ ପଡିବ, ଡିଫଲ୍ଡର ଲିଷ୍ଟରେ ନାମ ଉଠିବ, ତୁମ ମାନଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ଧମକ ଚମକ ଦେଉଥିବାରୁ ମହିଳାମାନେ ଆତଙ୍କିତ ହୋଇପଡିଛନ୍ତି । ଆଜି ପଞ୍ଚୁଗୋଛିଆ, ଟିକରା ଆଦି ଗ୍ରାମରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଋଣ ଆଦାୟ ଜୁଲମକୁ ବିରୋଧ କରିବା ସହିତ ଦୃଢ଼ ପ୍ରତିବାଦ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁଯାଇ ସେମାନେ ମାଇକ୍ରୋ ଫାଇନାନ୍‌ସ ନାମକ ଏକ ବେସରକାରୀ ଅର୍ଥଲଗାଣକାରୀ ସଂସ୍ଥା ପକ୍ଷରୁ ଋଣନେଇ ନିୟମିତ ଋଣ ପରିଷୋଧ କରିଚାଲିଥିଲେ । କିନ୍ତୁ ଲକଡାଉନ ଯୋଗୁଁ ସେମାନଙ୍କ ପରିବାର ଲୋକେ ଜୀବିକା ହରାଇ ଘରେ ବସିଥିବାରୁ ଏବେ ଋଣ ପରିଷୋଧ କରିପାରୁ ନାହାନ୍ତି । ନିଜେ ଖାଇବାକୁ ପାଉ ନଥିବାବେଳେ ଋଣ ସୁଝିବା ପାଇଁ କେଉଁଠୁ ପଇସା ଆଣିବେ ସେନେଇ ଚିନ୍ତାରେ । ଅନକ୍ଷ ପକ୍ଷରେ ରାଜ୍ୟ ସରକାରବି ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ଋଣ ଆଦାୟ ଉପରେ ରୋକ ଲଗାଇଛନ୍ତି । କିନ୍ତୁ ଅର୍ଥଲଗାଣକାରୀ ସଂସ୍ଥାର କର୍ମକର୍ତ୍ତାମାନେ ବାରମ୍ବାର ଫୋନ କରିବା, ଘର ମାନଙ୍କୁ ଯାଇ ଜୁଲମ କରିବାରୁ ମହିଳାମାନେ ମାନସିକ ଦୁଶ୍ଚିନ୍ତା ଭୋଗ କରୁଛନ୍ତି । ତେଣୁ ଲକଡାଉନ ନଉଠିବା ପର୍ଯ୍ୟନ୍ତ ଋଣ ଆଦାୟକୁ ସ୍ଥଗିତ ରଖିବାକୁ ପ୍ରମିଳା ରାଉତ, ଗୀତାଞ୍ଜଳୀ ବରାଳ, ଜୁଳବତୀ ରାଉତ, ସୁଲୋଚନା ସାହୁ, ପ୍ରଭାସିନୀ ସେନାପତି, ସୁନି ବରାଳ, ପ୍ରମିଳା ଦଳେଇ, ତିଳୋତ୍ତମା ବରାଳ, କମଳିନୀ ସାହୁ, ଦମୟନ୍ତୀ ଦଳେଇ, ରୁକ୍ମଣୀ ଦଳେଇ, ରୁକ୍ମଣୀ ପଣ୍ଡା ପ୍ରମୁଖ ଦାବି କରିଛନ୍ତି । ଏ ସମ୍ପର୍କରେ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ ପ୍ୟାରିଲାଲ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ଋଣ ପରିଷୋଧ କରିବାକୁ ବାଧ୍ୟ କରୁନାହୁଁ, ଯେଉଁ ମାନଙ୍କର ସୁବିଧା ଅଛି ସେମାନେ ଦିଅନ୍ତୁ । ତାହା ଆମେ କେବଳ ବୁଝାଇବାକୁ ଆସିଛୁ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ