ବ୍ୟାଙ୍କରୁ ଋଣରେ ବ୍ୟବସାୟ ଆରମ୍ଭ କରିଥିବା ଏସଏଚଜି କରୋନା ସମୟରେ ଋଣ ପରିଷୋଧ ପାଇଁ ଅଧିକ ସମୟ ଦେବାକୁ ଜିଲ୍ଲାପାଳଙ୍କୁ ନିବେଦନ
କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ): ବ୍ୟାଙ୍କରୁ ଋଣ ଆଣି ବ୍ୟବସାୟ ଆରମ୍ଭ କରିଥିବା ସ୍ୱୟଂ ସହାୟିକା ଗୋଷ୍ଠି କରୋନା ମହାମାରୀ ସଂକ୍ରମଣ ଯୋଗୁଁ ବ୍ୟବସାୟ କରିପାରୁ ନଥିବାରୁ ବ୍ୟାଙ୍କ ଋଣ ପରିଷୋଧ ପାଇଁ ଅଧିକ ସମୟ ଦେବାକୁ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଲୋକନାଥପୁର ଗ୍ରାମର ବଜରଙ୍ଗବାଲି ସ୍ୱୟଂ ସହାୟିକା ଗୋଷ୍ଠିର ଦଳିତବର୍ଘର ମହିଳା ସଦସ୍ୟାମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ପଟ୍ଟାମୁଣ୍ଡାଇ ବ୍ୟାଙ୍କ ଅଫ ବରୋଦା ଶାଖାରୁ ଗତ ୨୦୧୯ ମସିହାରେ ଋଣ ନେଇ ବେତ, ବାଉଁଶ ଓ ନାଳିଆ ପ୍ରଭୃତି ତିଆରି କରି ତାକୁ ବିକ୍ରୀକରି ବ୍ୟାଙ୍କର ଋଣ କିସ୍ତି ପଇଠ କରିଆସୁଥିଲେ । କିନ୍ତୁ କରୋନା ମହାମାରୀ ସଂକ୍ରମଣ ଆରମ୍ଭ ହୋଇଯିବା ପରେ ସରକାରଙ୍କ ତାଲାବନ୍ଦ ବ୍ୟବସ୍ତା ଲାଗୁ ହୋଇଯିବାରେ ସେମାନେ କଂଚାମାଲ ପାଇଁ ବାହାରକୁ ବାହାରିବା ଆଉ ସମ୍ଭବ ହେଲାନାହିଁ । ଏଥିସହିତ ଗତ ବାତ୍ୟାରେ ସେମାନଙ୍କ ନିକଟରେ ଥିବା ସମସ୍ତ ନିର୍ମିତ ଜିନିଷ ଗୁଡିକ ନଷ୍ଟ ହୋଇଗଲା । ଏଭଳି ସମୟରେ ସେମାନେ ନିଜ ପରିବାର ଚଳାଇବା ଅସମ୍ଭବ ହୋଇପଡିଥିବା ବେଳେ ବ୍ୟାଙ୍କଋଣ ଶୁଝିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି କହିଛନ୍ତି । ଏଣୁ ସେମାନଙ୍କୁ ବ୍ୟାଙ୍କ ଋଣ ଶୁଝିବା ପାଇଁ ଅଧିକ ସମୟ ଦେବାକୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ନିବେଦନ କରିଥିଲେ । ବଜରଙ୍ଗବାଲି ସ୍ୱୟଂ ସହାୟିକା ଗୋଷ୍ଠି ପକ୍ଷରୁ ସଭାନେତ୍ରୀ ସନ୍ତୋଷି ଜେନା,ସମ୍ପାଦିକା ଅଳକା ଜେନା,ଝୁନି ଜେନା,କବିତା ଜେନା,ଝୁନା ଜେନା,ଶସ୍ମିତା ଜେନା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟିଥିଲେ ।