ଜାତୀୟ କ୍ରୀଡା ଦିବସ ପାଳିତ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନର କ୍ରୀଡ଼ା ବିଭାଗ ପକ୍ଷରୁ ସ୍ଥାନୀୟ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର.ଆୟର ଯୋଗଦେଇ ହକିର ମହାନାୟକ ତଥା ‘ହକିର ଯାଦୁଗର’ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଥିବା ସମ୍ପର୍କରେ ଉଲ୍ଲେଖ କରିଥିଲେ। କ୍ରୀଡ଼ା କେବଳ ଶାରୀରିକ ସୁସ୍ଥତା ନୁହେଁ, ଶୃଙ୍ଖଳା, ଦଳଗତ ଭାବନା, ନେତୃତ୍ୱ ଓ ଆତ୍ମବିଶ୍ୱାସ ବିକାଶର ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ସେ କହିଥିଲେ। ଜିଲ୍ଲାର ଯୁବପିଢ଼ି କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ସହ ଜିଲ୍ଲା ଓ ରାଜ୍ୟର ଗୌରବ ବୃଦ୍ଧି କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ।ଜାତୀୟ କ୍ରୀଡ଼ା ଦିବସ ଅବସରରେ ଅଗଷ୍ଟ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଉତ୍ସବ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାରେ କ୍ରୀଡ଼ାର ବିକାଶ, କ୍ରୀଡ଼ା ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବୃଦ୍ଧି ଏବଂ କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହିତ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।ଏହି ଅବସରରେ ବ୍ୟାଡମିଣ୍ଟନ, ଖୋ ଖୋ, କବାଡ଼ି ଆଦି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ କ୍ରୀଡ଼ା ସଂଗଠନରୁ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ସୟଦ ଆକମଲ ଅଲ୍ଲୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ କ୍ରୀଡ଼ା ସଂଗଠନର ପ୍ରତିନିଧି, ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତମାନେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଆସନ୍ତା କାଲି ସକାଳ ୮. ୩୦ ମିନିଟ ସମୟରେ କ୍ରୀଡା ଦିବସ ଅବସରରେ ସାଇକେଲ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିବ।


