ଗଣେଶ୍ୱର ମିଶ୍ରଙ୍କ ‘ସୃଜନ ସମଗ୍ର’ ଚତୁର୍ଥ ଖଣ୍ଡ ଲୋକାର୍ପିତ
ଭୁବନେଶ୍ୱର: (ଯୁଗାବ୍ଦ ନ୍ୟୁଜ୍) ସାହିତ୍ୟର ପ୍ରାୟ ସବୁ ବିଭାଗରେ ସଫଳତାର ସହ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବା ଲେଖକ ଗଣେଶ୍ୱର ମିଶ୍ରଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସ ଅବସରରେ ସ୍ମୃତି ସଭା ଓ ସ୍ମାରକୀ ବକ୍ତୃତା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଲେଖକଙ୍କ ଲଳିତ ଗଦ୍ୟରଚନାଗୁଡ଼ିକୁ ନେଇ ‘ଟାଇମପାସ୍’ ପ୍ରକାଶିତ ସୃଜନ ସମଗ୍ର ସିରିଜ୍ରସ ଚତୁର୍ଥ ଖଣ୍ଡ ମଧ୍ୟ ଲୋକାର୍ପିତ ହୋଇଛି । ଭୁବନେଶ୍ୱରର ଜଣାଶୁଣା ସାଂସ୍କୃତିକ ଅନୁଷ୍ଠାନ ‘ସତୀର୍ଥ’ ତରଫରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏହି ଉତ୍ସବରେ ଅଧ୍ୟକ୍ଷତା କରି ଉକ୍ରଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଦର୍ଶନ ପ୍ରଫେସର ଡକ୍ଟର ପ୍ରଫୁଲ୍ଲ କୁମାର ମହାପାତ୍ର ଲେଖକଙ୍କ ସହ ତାଙ୍କର ଘନିଷ୍ଠତା ସଂପର୍କରେ ଆଲୋକପାତ କରିଥିଲେ । ସ୍ମାରକୀ ବକ୍ତୃତା କ୍ରମରେ ପ୍ରଫେସର ହିମାଂଶୁ ଶେଖର ମହାପାତ୍ର ଗଣେଶ୍ୱର ମିଶ୍ରଙ୍କ ଉପନ୍ୟାସର ମୌଳିକତା ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଦିବଂଗତ ଲେଖକଙ୍କ ସ୍ମୃତିଚାରଣ କରିଥିଲେ । ପୁସ୍ତକ ଲୋକାର୍ପଣ ଅବକାଶରେ ପ୍ରକାଶକ ସରୋଜ ବଳ ଗଣେଶ୍ୱର ମିଶ୍ରଙ୍କ ଲଳିତ ଗଦ୍ୟ ରଚନାର ବିଶେଷତ୍ୱ ସଂପର୍କରେ ସୂଚନା ଦେଇଥିଲେ । କାର୍ୟ୍ୟକ୍ରମ ଆରମ୍ଭରେ ସ୍ୱାଗତ ଭାଷଣ ଓ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ବିଶିଷ୍ଟ କଥାକାର ବିରାଜ ମୋହନ ଦାସ । ଉତ୍ସବ ପରିଚାଳନା କରିଥିଲେ ସତୀର୍ଥର ଆବାହକ ସଂଦୀପ ମିଶ୍ର । ଏହି କାର୍ୟ୍ୟକ୍ରମରେ ବହୁ ବରିଷ୍ଠ ଲେଖକଙ୍କ ସମେତ ସାହିତ୍ୟାନୁରାଗୀ ଦର୍ଶକଗଣ ଉପସ୍ଥିତ ଥିଲେ ।


