ଦୁର୍ବିପାକରେ ମୃତ୍ୟୁ ଘଟିଥିବା ୩ ପରିବାରକୁ ମିଳିଲା ସହାୟତା
କୋଦଳା :(ଗୁଲସନ୍ କୁମାର କର) କୋଦଳା ତହସିଲ ଠାରେ ମଂଗଳବାର ପ୍ରାକୃତିକ ଦୁର୍ବିପାକ ଜନିତ ଅକାଳରେ ଜୀବନ ଚାଲିଯାଇଥିବା କୋଦଳା ତହସିଲ ଅନ୍ତର୍ଗତ ୩ଟି ପରିବାରକୁ ମୃତ୍ୟୁ କ୍ଷତି ପୂରଣ ସହାୟତା ରାଶି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିଲା ବେଳେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଦ୍ଵାରା ଏହି ସହାୟତା ରାଶି ଚେକ୍ ମାଧ୍ୟମରେ ଦିଆଯାଇଛି। ମଙ୍ଗଳବାର କୋଦଳା ତହସିଲ କାର୍ଯ୍ଯାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡାକଂ ସମେତ ବହୁ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।
ଉଲ୍ଲେଖ ଯୋଗ୍ୟ ଯେ, ଆଜକୁ ପ୍ରାୟ ୯ ମାସ ତଳେ ସାତନଳର ୪୪ ବର୍ଷୀୟ କୃଷ୍ଣ ସାମଲ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ କୋଦଳାର ୧୦ ବର୍ଷର ବାଳକ ବାବୁଲା ମୁନି ଓ ଚଣ୍ଡପଲୀର ୫୨ ବର୍ଷୀୟ କାଳୁ ମୁନି ବିଶାକ୍ତ ସର୍ପ ଦଂଶନରେ ମୃତ୍ୟୁ ଘଟିଥିଲା। ଏ ସମସ୍ତ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଦିଆଯାଇଛି। ଏହି ଅର୍ଥକୁ ପରିବାରର କଲ୍ଯାଣ ନିମନ୍ତେ ଖର୍ଚ୍ଚ କରିବାକୁ ବିଧାୟିକା ହିତାଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।


