ନିଆରା ରକ୍ଷାବନ୍ଧନ କାର୍ଯ୍ୟକ୍ରମ ‘ଗଛ ମୋ ଭାଇ’

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍):ଶ୍ରଦ୍ଧା, ସମ୍ପର୍କ, ସୁରକ୍ଷାର ପର୍ବ ‘ରକ୍ଷା ବନ୍ଧନ’। ଭାଇ ଓ ଭଉଣୀ ମଧ୍ୟରେ ଥିବା ଶ୍ରଦ୍ଧାକୁ ଏହା ପରିପ୍ରକାଶ କରିବା ସହିତ ସେମାନଙ୍କର ସମ୍ପର୍କକୁ ସୁଦୃଢ କରି ଭଉଣୀର ସୁରକ୍ଷା ପାଇଁ ଭାଇକୁ ପ୍ରତିଜ୍ଞାବଦ୍ଧ କରିବା ଏହି ପର୍ବର ମୂଳ ଉଦ୍ଦେଶ୍ୟ । କେବଳ ଯେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିବ ଏ କଥା ନୁହେଁ ବରଂ ସମାଜ, ରାଷ୍ଟ୍ର ସର୍ବୋପରି ସମଗ୍ର ପୃଥିବୀକୁ ବିଭିନ୍ନ ଦିଗକୁ ସୁରକ୍ଷା ପ୍ରଦାନ କରୁଥିବା ପ୍ରାଣୀଉଦ୍ଭିଦଙ୍କୁ ରାକ୍ଷୀ ବାନ୍ଧିବା ଆବଶ୍ୟକ । ବୃକ୍ଷ ସମଗ୍ର ସୃଷ୍ଟି ପାଇଁ ମଙ୍ଗଳକାରୀ, ରକ୍ଷାକବଚ । ତେଣୁ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ‘ସବୁଜ ସଙ୍କେତ’ର ଆହ୍ୱାନକ୍ରମେ ରାଜ୍ୟ ଓ ରାଜ୍ୟ ବାହାରେ ମହିଳାମାନେ ଆଜି ରାକ୍ଷୀ ପୂର୍ଣ୍ଣିମାରେ ‘ଗଛ ମୋ ଭାଇ’ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଗଛରେ ରାକ୍ଷୀ ବାନ୍ଧୁଛନ୍ତି ।ଏହି କ୍ରମରେ ରାଜଧାନୀ ଭୁବନେଶ୍ୱର ଶ୍ୟାମପୁରଠାରେ ଆଜି ‘ଗଛ ମୋ ଭାଇ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସବୁଜ ସଙ୍କେତର ଆବାହକ ସରୋଜ ବିଶ୍ୱାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ (ପପୁ ପମ୍‌ପମ୍‌), କଣ୍ଠଶିଳ୍ପୀ ବସନ୍ତ ପାତ୍ର, କଣ୍ଠଶିଳ୍ପୀ ଡଃ ଜୟଶ୍ରୀ ଧଳ, ସମାଜସେବୀ ଶ୍ରୀମନ୍ତ ମହାନ୍ତି, ସମାଜସେବୀ ଜଗଦିଶ ଶଙ୍କର ସାହୁ, ଭାଷ୍ୟକାର ବିନୋଦ ବିହାରୀ ବେହେରା ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ବୃକ୍ଷର ମହନୀୟତା ଓ ବୃକ୍ଷରେ ରାକ୍ଷୀ ବାନ୍ଧିବାର ଯଥାର୍ଥତା ପ୍ରତିପାଦନ କରିଥିଲେ । ବୃକ୍ଷ ସୃଷ୍ଟିର ଏକ ଅନବଦ୍ୟ ସୃଷ୍ଟି । ବୃକ୍ଷ ବିନା ସମଗ୍ର ପ୍ରାଣୀଜଗତ ଅସମ୍ଭବ । ବର୍ତ୍ତମାନର ବସ୍ତବାଦୀ ମଣିଷ ତତ୍କାଳ ସୁଖ ପାଇଁ ବୃକ୍ଷ କାଟୁଛି, ଜଙ୍ଗଲ ପଦା କରୁଛି । ଫଳତଃ ପରିବେଶ ବିଗିଡ଼ିବାରେ ଲାଗିଛି । ଯାହାର ବିଷମୟ ଫଳ ମଣିଷ ସମେତ ସମଗ୍ର ପ୍ରାଣୀଜଗତ ଭୋଗ କରୁଛି । ତେଣୁ ବୃକ୍ଷ ରୋପଣ ଓ ବୃକ୍ଷର ସୁରକ୍ଷା ପ୍ରତି ଯତ୍ନବାନ ହେବା ଅପରିହାର୍ଯ୍ୟ । ବୃକ୍ଷ ମଣିଷ ତଥା ସମଗ୍ର ପୃଥିବୀକୁ ରକ୍ଷା କରୁଥିବାରୁ ଏହାର ଉପକାରକୁ ସ୍ୱୀକାର ପୂର୍ବକ ‘ଗଛ ମୋ ଭାଇ’ କାର୍ଯ୍ୟକ୍ରମ ମାଧ୍ୟମରେ ଗଛରେ ରାକ୍ଷୀ ବାନ୍ଧିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା । ସ୍ନେହାଁଲିସା ନାୟକ, ଆଇସା ମଲିକ, ରିଙ୍କି ନାୟକ, ମଧୁସ୍ମିତା ନାୟକ, ଡ଼ୋନା ନାୟକ, ଉର୍ମିଳା ନାୟକ, ଅନ୍ୱୋଷା ପ୍ରିୟଦର୍ଶିନୀ ପ୍ରମୁଖ ଗଛକୁ ବନ୍ଦାପନା କରି ସେଥିରେ ରାକ୍ଷୀ ବାନ୍ଧିଥିଲେ । ବଂଶୀଧର ନାଥ, ସଚିନ ନାୟକ, ଅଶ୍ୱିନୀ ସ୍ୱାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମୋନାଲିସା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ