ମହାନଗର ନିଗମ ପକ୍ଷରୁ ସେରୋଲୋଜିକାଲ ସର୍ଭେ ଆରମ୍ଭ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ରାଜ୍ୟରେ ଦିନକୁ ଦିନକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ବିଶେଷ କରି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ଜଣାପଡିଛି । ଏହାକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣର ମାତ୍ରା ମାପିବାକୁ ଚାଲିଛି ବ୍ରହ୍ମପୁରରେ ସେରୋଲୋଜିକାଲ୍ ସର୍ଭେ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ସେରୋଲୋଜିକାଲ ସର୍ଭେ ଆରମ୍ଭ କରାଯାଇଛି । ବ୍ରହ୍ମପୁର ସହରର ୪୦ଟି ୱାର୍ଡ ରେ ୧୦ଟି ଟିମ୍ ଦ୍ୱାରା ସର୍ଭେ କରାଯାଉଛି । କରୋନା ସଂକ୍ରମଣ ହେବା ପରେ ଲୋକମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି କି ନାହିଁ ସେ ସମ୍ପର୍କରେ ବି ତଥ୍ୟ ସଂଗ୍ରହ କରାଯିବ ବୋଲି କୁହାଯାଇଛି । ଏହାସହ ହାଇରିସ୍କ ଓ କମ୍ୟୁନିଟିରେ ୨୫୦୦ ସାମ୍ପଲ ସଂଗ୍ରହ କରାଯିବ । ଆରଏମଆରସି ଓ ବ୍ରହ୍ମପୁର ମହାନଗର ନିଗମର ମିଳିତ ଉଦ୍ୟମରେ ଏହି ସର୍ଭେ କରାଯାଉଥିବା ସୂଚନା ମିଳିଛି । ଆଜି ଲାଞ୍ଜିପଲ୍ଲୀ ୱାର୍ଡ ନମ୍ବର ୩୬ ରେ ତାରାଦେବୀ କଲ୍ୟାଣ ମଣ୍ଡପ ଠାରେ ଏହି ଆଣ୍ଟିବୋଡି ଟେଷ୍ଟ କରାଯାଇଛି ଏଥିରେ ୬୮ ଜଣଙ୍କ ଆଣ୍ଟିବଡ଼ି ଟେଷ୍ଟ ପାଇଁ ନମୁନା ନିଆଯାଇଛି ।


