ଜଙ୍ଗଲ ସୁରକ୍ଷା ପାଇଁ ନିଆରା ପଣଗଛକୁ ରାକ୍ଷୀ ପିନ୍ଧାଇ ଶୁଭ ମନାସିଲେ ବନବାସୀ
ଭୁବନେଶ୍ୱର, : ଏମାନେ ବନବାସୀ । ଜଙ୍ଗଲ ଓ ପ୍ରକୃତିକୁ ମା’ ପରି ମାନନ୍ତି । ପ୍ରକୃତିର ଏହି ସନ୍ତାନମାନେ ଜଙ୍ଗଲ ଓ କୃଷିଭିତ୍ତିକ ପର୍ବପର୍ବାଣୀକୁ ଦେଇଥାନ୍ତି ସ୍ୱତନ୍ତ୍ର ଧ୍ୟାନ । ଶାଳଗଛରେ ଫୁଲ ଫୁଟିଲେ ଏଠାରେ ପାଳିତ ହୁଏ ଫୁଲ ଭାଙ୍ଗୁଣି ବା ଚଇତି ପର୍ବ । ଜଙ୍ଗଲକୁ ଭାତହାଣ୍ଡି କରି ଚଳୁଥିବା ବନବାସୀଙ୍କ ସଂସ୍କୃତିରେ ଜଙ୍ଗଲ ସୁରକ୍ଷାର ସୁସଂସ୍କୃତି ଯୋଡ଼ିହୋଇ ରହିଛି । ଏହାକୁ ଆଉ ଟିକିଏ ସୁଦୃଢ କରିବା ପାଇଁ ଏବେ ସେମାନେ ଗଛକୁ ରାକ୍ଷୀ ପିନ୍ଧାଇ ସୁରକ୍ଷାର ସଂକଳ୍ପ ନେଇଛନ୍ତି । ଫୁଲ, ଚନ୍ଦନ, ହୁଳହୁଳି ଓ ହରିବୋଲ ଧ୍ୱନି ମଧ୍ୟରେ ଗଛରେ ରାକ୍ଷୀ ବାନ୍ଧିବାର ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ଛତାବର ପଞ୍ଚାୟତର କନ୍ଦଳେଇ ଗାଁରେ । ମାଇଣ୍ଡ୍ ଏମ୍ପାୱାରମେଣ୍ଟ୍ ଫାଉଣ୍ଡେସନ୍ ପକ୍ଷରୁ ବନବାସୀଙ୍କୁ ଏକତ୍ରିତ କରାଯାଇ ବୃକ୍ଷପୂଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ହରିବୋଲ, ହୁଳହୁଳି ପକାଇ, ଚନ୍ଦନ, ସିନ୍ଦୂର ଦେଇ ଧୂପ, ଦୀପରେ ବୃକ୍ଷଦେବତାଙ୍କୁ ବନ୍ଦପନା କରିବା ସହ ବୃକ୍ଷକୁ ରାକ୍ଷୀ ପିନ୍ଧାଇ ବନବାସୀମାନେ ଜଗତର ମଙ୍ଗଳ କାମନା କରିଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍ର ସ୍ୱେଚ୍ଛାସେବୀ ମନୋଜ ପ୍ରଧାନ, ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ଗାଁର ମୁଖିଆ ଲୁନ୍ଦୁରୁ କୁଙ୍କାଲ, ମଦନ ·ତାର, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ, ଶିକ୍ଷକ ସୁବାସ ଓଝା, ବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ୟାମ ଗାଗରାଇଙ୍କ ସମେତ ଗାଁର ଶତାଧିକ ପୁରୁଷ, ମହିଳା ଓ କୁନିକୁନି ପିଲାମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।


