ଆଙ୍କୁଲି ଓଭରବ୍ରିଜରେ ଦୁର୍ଘଟଣା
ବ୍ରହ୍ମପୁର,(ରାଜେଶ କୁମାର ପଟନାୟକ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଓଭରବ୍ରିଜ ନିକଟରେ ଏକ ଅଘଟଣ ଘଟିଛି। ଅର୍ଦ୍ଧନିର୍ମିତ ନାଳର ଲୁହାରଡ୍ ଯୁବକଙ୍କ ବାମ ଛାତି ଭିତରେ ପଶିଯାଇ ମୃତ୍ୟୁ ଘଟିଛି। ଖବର ପାଇ ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାସ, ବ୍ରହ୍ମପୁର ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି ଓ ଟ୍ରାଫିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜଣଙ୍କ ଲାଞ୍ଜିପଲ୍ଲୀ ତୋଟାସାହିର ସ୍ବର୍ଗତ ରଘୁନାଥ ସାମନ୍ତରାୟଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ (ବିଟୁ)ବୟସ ୩୫ବର୍ଷ ବୋଲି ପୋଲିସ କହିଛି । ଦୀର୍ଘଦିନ ହେଲା ଓଭରବ୍ରିଜ୍ ଓ ଡ୍ରେନ କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଥିବା ବେଳେ ଠିକାଦାରଙ୍କ ଖାମଖିଆଲି ନୀତି ଯୋଗୁ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ଲୋକେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଟ୍ରାଫିକ ପୋଲିସ ଲୁହାରଡ୍ କାଟି ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା କହିଛି। ସେହିପରି ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଥିବା ମଧ୍ୟ ପୋଲିସ ସୂଚନା ଦେଇଛି । ଘଟଣାରୁ ପ୍ରକାଶ ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ଜଣେ ଏସି ମେକାନିକ ଥିବା ବେଳେ ସେ କୌଣସି କାମରେ ଘରୁ ଗୁରୁବାର ବାହାରକୁ ଯାଇଥିଲେ। ରାତିରେ ସେ ଘରକୁ ଫେରି ନ ଥିଲେ। ଶୁକ୍ରବାର ସକାଳେ ସ୍ଥାନୀୟ ଲୋକ ଜଣେ ଯୁବକ ଲୁହାରଡ୍ରେ ପଶି ମୃତ୍ୟୁ ଘଟିଥିବା ପୋଲିସକୁ ଖବର ଦେଇଥିଲେ। ପୋଲିସ ସେଠାରେ ପହଞ୍ଚି ପୂର୍ଣଚନ୍ଦ୍ରଙ୍କ ସ୍କୁଟି ନମ୍ବର ଯାଞ୍ଚ କରି ତାଙ୍କ ପରିବାରକୁ ଖବର କରିଥିଲା। ଇଶାନ କୁମାର ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ଭାଇର ମୃତଦେହ ଚିହ୍ନଟ କରିଛନ୍ତି ବୋଲି ପୋଲିସ ସୂଚନା ଦେଇଛି।


