ନମୋ ଗଣେଶ ବିଘ୍ନେଶ
ବିପିନ ବିହାରୀ ମହାନ୍ତି
ଭାରତର ହିନ୍ଦୁ ସଂସ୍କୃତିରେ ସିଦ୍ଧିଲାଭ ଓ ସଙ୍କଟ ମୋଚନ ନିମନ୍ତେ ବୈଦିକ ଯୁଗରୁ ଶ୍ରୀ ଗଣେଶ ଅଗ୍ରପୂଜ୍ୟ ଗଣଦେବତା ରୂପେ ପୂଜା ହୋଇ ଆସୁଛନ୍ତି । ସମସ୍ତେ ଜାଣିବାରେ ସେ ଶିବ ଓ ପାର୍ବତୀଙ୍କର ପୁତ୍ର । ପ୍ରକୃତରେ ସେ ହେଉଛନ୍ତି ପାର୍ବତୀଙ୍କର ମାନସପୁତ୍ର । ଏଣୁ ତାଙ୍କୁ ଅଜନ୍ମା ବୋଲି କୁହାଯାଏ । ତାଙ୍କ ଜନ୍ମ ତିଥି ଭାଦ୍ର ଶୁକ୍ଲ ଚତୁର୍ଥୀ ଅଟେ । ଏ ସମସ୍ତ ମଙ୍ଗଳ କାର୍ଯ୍ୟରେ ପ୍ରଥମେ ପୂଜା ପାଆନ୍ତି ।
ଭାରତ ବର୍ଷରେ ସର୍ବତ୍ର ଗଣେଶ ଚତୁର୍ଥୀ ପାଳିତ ହୁଏ । ମହାରାଷ୍ଟ୍ରରେ ଏହାକୁ ଜାତୀୟ ପର୍ବରୂପେ ୧୮୯୩ ମସିହାରୁ ପାଳିତ ହୋଇ ଆସୁଅଛି । ଏହି ପ୍ରଥାଟିକୁ ଲୋକମାନ୍ୟ ତିଳକ ପ୍ରଚଳନ କରାଇଥିଲେ । ତାଙ୍କ ଲକ୍ଷ୍ୟ ଥିଲା ଯେ ଏହା ଲୋକମାନଙ୍କ ହୃଦୟରେ ଏକତା ଏବଂ ଭାତୃଭାବ ରକ୍ଷା କରିବ ।
ବୈଦିକ ଯୁଗରେ ଗଣେଶ ପୂଜାର ବିଶେଷତ୍ୱ ଏହାହିଁ ଥିଲା । ‘ଗଣେଶ’ ଶବ୍ଦଟି ଗଣ ଯୁକ୍ତ ଈଶ ରୁ ସୃଷ୍ଟି । ଅଥବା ‘ଗଣପତି’ ଶବ୍ଦଟି ‘ଗଣ’ ଯୁକ୍ତ ‘ପତି’ରୁ ସୃଷ୍ଟି । ଉଭୟଙ୍କ ଅର୍ଥ ଏକା । ଗଣ କହିଲେ ଲୋକମାନଙ୍କୁ ବୁଝାଏ । ‘ଈଶ’ ବା ‘ପତି’ କହିଲେ ‘ଈଶ୍ୱର’ ବା ‘ସ୍ୱାମୀ’ଙ୍କୁ ବୁଝାଏ । ଏହି ଅର୍ଥରେ ଗଣେଶ ବା ଗଣପତି ଠିକ୍ ।
ବୈଦିକ ଆର୍ଯ୍ୟମାନେ ବ୍ୟକ୍ତିଗତ ମଙ୍ଗଳ ଅପେକ୍ଷା ସାମୁହିକ କଲ୍ୟାଣ ଓ ସଂଘଶକ୍ତି ଉପରେ ଗୁରୁତ୍ୱ ଦେଉଥିଲେ । ଏହି ସଂଘଶକ୍ତି ହିଁ ଗଣଶକ୍ତି ଏବଂ ପରବର୍ତ୍ତୀ ଯୁଗରେ ଏହି ଗଣଶକ୍ତି ଗଣତନ୍ତ୍ରର ରୂପରେଖ : ‘ଗଣମାନଙ୍କର ସରକାର’ । ଏଥିରେ ଜନଗଣଙ୍କ ହିତକୁ ପରମ କର୍ତ୍ତବ୍ୟ ରୂପେ ବିଚାର କରାଯାଇଥାଏ । ଏହି ମୂଳତତ୍ତ୍ୱକୁ ଆଧାରକରି ବିଦ୍ୟା, ସିଦ୍ଧି, ଜ୍ଞାନ ଓ ସମୃଦ୍ଧିର ଦେବତା ରୂପେ ଗଣପତିଙ୍କୁ ସେମାନେ ଆବାହନ କରୁଥିଲେ :
ଗଣାନାଂତ୍ୱାଂ ଗଣପତିଂ ହବାମହେ
ପ୍ରିୟଣାଂ ତ୍ୱାଂ ପ୍ରିୟପତିଂ ହବାମହେ
ନିଧିନାଂତ୍ୱାଂ ନିଧିପତିଂ ହବାମହେ… ।ା
ଗଣେଶ ହେଉଛନ୍ତି ଜନ ଶକ୍ତିର ପ୍ରତୀକ; ନିୟମାଙ୍କ । ବୈଦିକ କଳ୍ପନାରେ ସେ ଗଜବଦନ ଗଣେଶ ନଥିଲେ; ନିରାକାର ବ୍ରହ୍ମ ।
ଗଣେଶଙ୍କର ବର୍ତ୍ତମାନର ମୂର୍ତ୍ତିକଳ୍ପନା ଏବଂ ତାଙ୍କ ମଣିଷ ଶରୀର ଓ ହସ୍ତୀର ମୁଖ ଗଠନ ହେଉଛି ପରବର୍ତ୍ତୀ ସମୟର ଯାହାକି ଏକ ବିଚିତ୍ର କାହାଣୀ ସହିତ ସମ୍ବଳିତ । ତଥାପି ଏ ଗଠନରେ ଏକ ଅପୂର୍ବ ରହସ୍ୟ ରହିଛି । ଗଣେଶଙ୍କ ଶରୀର ଉଭୟ ମାନବ ଓ ପଶୁର ମିଳନର ପ୍ରତୀକ । ତାଙ୍କର ଉଦର ଏବଂ ଶରୀର ଯଥାକ୍ରମେ ଏ ବିଶ୍ୱାଳ ବିଶ୍ୱ ବ୍ରହ୍ମାଣ୍ଡ ଏବଂ ତାଙ୍କ ଆକାରର ପ୍ରତୀକ । ମସ୍ତକର ଜଟା, ଦୁଇ ହସ୍ତରେ ବର; ଅଭୟ ଏବଂ ଅନ୍ୟ ଦୁଇ ହାତର ପାଶ ଏବଂ ଅଙ୍କୁଶ ଶୋଭ ପାଉଛି ।
ନାଗ ତାଙ୍କର ଯଜେ୍ଞାପୋବୀତ, ହସ୍ତୀମୁଖ ଏବଂ ପାଖେ ପାଖେ ମୂଷିକ ବାହନ ଇତ୍ୟାଦି ପୌରାଣୀକ ରୂପ କଳ୍ପନାରେ ଗଣତାନ୍ତ୍ରିକ ଚେତନା ଛଡ଼ା ଆଉ କିଛି ହୋଇନପାରେ । ଶ୍ରୀ ଗଣେଶ ଶିବ ପରିବାର ଅନ୍ତର୍ଭୁକ୍ତ ହେତୁ, ଦୁଇ ବିପରୀତ ଚେତନା ଯଥା ସବଳ ଓ ଦୁର୍ବଳର ସହାବସ୍ଥାନର ନିଦ୍ଦର୍ଶନ ସ୍ୱରୂପ ‘ମୂଷିକ-ସାପ’, ‘ସିଂହ-ଷଣ୍ଢ’ ତଥା ‘ଶିବଗଣ-ଗଣେଶ’ ଉଲ୍ଲେଖନୀୟ ଅଟନ୍ତି ।
ତ୍ରିଦେବ ପରିକଳ୍ପନାରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଏକ ଏବଂ ଅଭିନ୍ନ ହେଲେହେଁ, ଗଣେଶଙ୍କର ଜନ୍ମ ରହସ୍ୟକୁ ଆଧାର କରି ଏବଂ ପାର୍ବତୀକୁ ଅଭିମାନକୁ ସମ୍ମାନ ଜଣାଇ ତାଙ୍କୁ ‘ଅଗ୍ରପୂଜ୍ୟ’ ଦେବତା ରୂପେ ଶ୍ରୀକୃଷ୍ଣ ସ୍ୱୀକାର କରାଇଛନ୍ତି । ଗଣେଶଙ୍କ ଦ୍ୱାରା ଗଣତନ୍ତ୍ରକୁ ଚଳାଇବା ପାଇଁ ବିଦ୍ୟା, ବୁଦ୍ଧି ଓ ବିବେକର ଆବଶ୍ୟକ ଅଛି । ଗଣପତି ହିଁ ଏ ତିନୋଟିର ଅଧିକାରୀ ଏବଂ ନିୟମାଙ୍କ ଅଟନ୍ତି । ଶ୍ରୀ ଅରବିନ୍ଦ ଏବଂ ସ୍ୱାମୀ ଶିବାନନ୍ଦଙ୍କ ମତରେ :
ବିଶାଳ ବିଶ୍ୱର ସକଳ ପାଣୀମାନଙ୍କର ଧୀଶକ୍ତି ଓ ବିଚାର ଶକ୍ତିର ସାମଗ୍ରୀକ ପ୍ରତୀକ ହେଲେ ‘ଶ୍ରୀ ଗଣେଶ’ । ଏଣୁ ବୈଦୀକ ସରସ୍ୱତୀଙ୍କ ପରି ଶ୍ରୀ ଗଣେଶ ମ୍ମ ବିଦ୍ୟାର୍ଥୀ, କର୍ମଜୀବୀ ଓ ବ୍ୟବସାୟୀଙ୍କ ଦ୍ୱାରା ବିଶେଷ ଭାବରେଉପାସିତ ହୋଇଆସୁଛନ୍ତି । କବି ଓ ଲେଖକମାନେ ଲେଖନୀ ଚାଳନା ପୂର୍ବରୁ ତାଙ୍କୁହିଁ ସ୍ମରଣ କରନ୍ତି; ଜାଗ ଯଜ୍ଞ, ଦେବପୂଜନ, ଦେବାଳୟ ପ୍ରତିଷ୍ଠା, ଗୃହ, ପୁଷ୍କରିଣୀ ଏବଂ ସେତୁ ନିର୍ମାଣ ଠାରୁ ଆରମ୍ଭ କରି ସକଳ ଶୁଭ କର୍ମରେ ପ୍ରଥମେ ଗଣପତିଙ୍କର ଉପାସନା ହୁଏ, ଆଉ ବାକି କଥା ପରେ ।
ବିଶ୍ୱାସ, ସାଧନାର ସିଦ୍ଧି ଏବଂ ସମସ୍ତ ସଙ୍କଟ ମୋଚନ ପାଇଁ ଗଣପତି ଏକମାତ୍ର ସାହା । ଏଣୁ ଯଥାର୍ଥରେ ସେ ବିଘ୍ନ ବିନାଶକ:
ବକ୍ରତୁଣ୍ଡ ମହାକାୟଂ କୋଟି ସୂର୍ଯ୍ୟ ସମପ୍ରଭଂ
ନିର୍ବିଘ୍ନଂ କୁରୁମେ କାର୍ଯ୍ୟଂ ସର୍ବ କାର୍ଯ୍ୟେଷୁ ସର୍ବଦା ।
ଆଉ ଏକ କଥା ଏଠାରେ ଉଲ୍ଲେଖ କରୁଛୁ ଯେ ଗଣେଶଙ୍କୁ ବିଭିନ୍ନ ନାମରେ ନାମିତ କରାଯାଇଛି । ଯାହାକି ତାଙ୍କର ଏହା ଅବତାର ଲୀଳାବୋଲି କୁହାଯାଏ । ଏହି ଅବଲୀଳା କ୍ରମେ ସେ ବକ୍ରତୁଣ୍ଡରେ ମତ୍ସ୍ୟରାସୁର, ଏକ ଦନ୍ତରେ ମଦାସୁର, କୃଷ୍ଣ ପିଙ୍ଗାକ୍ଷ ଅବତାରେ ମୋହାସୁର, ଗଜାନନ ରୂପରେ ଲୋଭାସୁର, ଲମ୍ବୋଦର ରୂପେ କ୍ରୋଧାସୁର, ବିକଟ ରୂପରେ କାମାସୁର, ବିଘ୍ନରାଜ ରୂପେ ମମତାସୁର ଧୁମ୍ରବର୍ଣ୍ଣ ଅବତାରେ ଅଭିମାନସୁର, ଏହି କ୍ରମରେ ଭାଲଚକ୍ର, ବିନାୟକ ଏବଂ ଗଣପତି ରୂପେ ଅବତରୀ ସଙ୍କଟ ମୋଚନ କରିଆସୁଛନ୍ତି ।
ଗଣେଶଙ୍କର ପୂଜା ବିଧିର କିଛି ବୈଧାନିକ ନିୟମ ଅଛି ଅଥଚ ଆଧୁନିକତାର ଚାକଚକ୍ୟରେ ଆମେ ବ୍ୟତିକ୍ରମ କରିଚାଲିଛୁ । ଗଣେଶଙ୍କୁ ସାଷ୍ଟାଙ୍ଗ ଛିଡ଼ା କରାଇ ପୂଜା କରିବା ନିଷେଧ । ଏହା ପଶୁକର୍ମ ସହିତ ସମାନ । ଅଥଚ ଆମେ ଗଣେଶଙ୍କୁ ଠିଆ କରାଇ ପୂଜା କରୁଛୁ ଏବଂ ତାଙ୍କଠି ଭୋଗ ବାଢ଼ୁଛୁ । ତାଙ୍କ ମୁଖର ଗଠନ ସ୍ୱତନ୍ତ୍ର ହେଲେ ହେଁ, ଆମେ ତାଙ୍କୁ ବିଭିନ୍ନ ଆକୃତିରେ ବିକୃତ କରୁଅଛୁ । ଗଣେଶଙ୍କର ପ୍ରିୟ ଖାଦ୍ୟ ଲଡୁ ଏବଂ ପେଡ଼ା ଅଥଚ ଆମେ ତାଙ୍କୁ ନାନା ମିଶ୍ରିତ ଭୋଗ ରାଗ ଚଢ଼ାଇ ଦେଉଛୁ । ଏହା କଦାପି ଏକ ଶୁଭ ପରମ୍ପରା ନୁହେଁ । ତା’ ଭିତରେ ଆମେ ଏକ ଦୂଷିତ ପରମ୍ପରା ସୃଷ୍ଟି କରୁଛୁ ଯାହାକି ଏକ ଦୁଃଖ ।
ଗଣେଶଙ୍କ ପୂଜା ପାଇଁ ଏକ ନିର୍ଦ୍ଦିଷ୍ଟ ମଞ୍ଚ କରାଯାଇଥାଏ । ଏହାରି ଉପରେ ଗଣେଶଙ୍କୁ ମଞ୍ଚସ୍ଥ କରାଇ ବିଧି ବିଧାନ ପୂର୍ବକ ପୂଜା କରାଯାଏ । ଏ ପୂଜା ଏକଦିନ, ସାତଦିନ ଅଥବା ୧୦ଦିନ ପର୍ଯ୍ୟନ୍ତ ଚାଲିପାରେ । ଯେଉଁମାନେ ଗଣେଶଙ୍କୁ ଘରେ ଅଥବା ଦ୍ୱାର ଦେଶରେ ଅବସ୍ଥାପିତ କରାଇଛନ୍ତି, ସେଠାରେ ସେ ପ୍ରତ୍ୟହ ପୂଜା ହୁଅନ୍ତି ।
ଆମ ଓଡ଼ିଶାରେ ଜଟଣୀ ଗଣେଶ ପୂଜା ନିମନ୍ତେ ସର୍ବୋତ୍କଷ୍ଟ । ଲକ୍ଷ ଲକ୍ଷ ଲୋକଙ୍କର ଏଠାରେ ଦଶ ଦିନଧରି ସମାଗମ ହୁଏ । ବିଭିନ୍ନ ପ୍ରକାର ଭ୍ରମଣକାରୀ ନାଚଦଳ, ସର୍କସ, ମୀନାବଜାର ଏବଂ ଦୋକାନ ବଜାରରେ ସହରଟି ସରଗରମ ହୋଇଉଠେ । ଏହା ବେଶ୍ ଉପଭୋଗ୍ୟ । ଜଟଣୀ ବ୍ୟତୀତ, ଏବେ ପୁରୀ, ଭୁବନେଶ୍ୱର ଏବଂ କଟକ ଇତ୍ୟାଦିରେ ବଡ଼ଧରଣର ଗଣେଶ ପୂଜା ଆରମ୍ଭ ହେଲାଣି । ପୂଜା ପରେ ମୃଣୟ ମୂର୍ତ୍ତିଙ୍କୁ ଜଳାଶୟରେ ବିସର୍ଜନ କରାଯାଏ ।
ଗଣତାନ୍ତ୍ରିକ ଚେତନା ଓ ଏକତାର ସୂତ୍ରଧର ଏ ଗଣେଶ ପୂଜା । ଆସନ୍ତୁ, ଜାତି, ଧର୍ମ ନିର୍ବିଶେଷରେ ଏହାକୁ ପାଳନ କରିବା ଏବଂ ଆମ ଦେଶର ସଂହତି ରକ୍ଷା କରିବାରେ ସହାୟକ ହେବା ।
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା ।
ମୋ : ୯୯୩୮୩୪୪୧୩୮